ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ରବିବାର ଏକ ନୂଆ କଥା ଦେଖିବାକୁ ମିଳିଛି।  ନିର୍ମଳା ସୀତାରମଣଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ମିଳିଛି। ଇନ୍ଦିରା ଗାନ୍ଧୀଙ୍କ ପରେ ସୀତାରମଣ ହେଉଛନ୍ତି ଦ୍ୱିତୀୟ ମହିଳା, ଯିଏ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି।
ପୂର୍ବରୁ ସେ ବାଣିଜ୍ୟ ମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ଥିଲେ। ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି। ପୂର୍ବରୁ ଏହି ବିଭାଗ ମନୋହର ପାରିକରଙ୍କ ହାତରେ ରହିଥିଲା। ତେବେ ପାରିକର ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହି ବିଭାଗ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ହାତକୁ ଆସିଥିଲା।
ଜେଟଲୀ ଏକାସାଙ୍ଗରେ ଅର୍ଥ ଓ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୁଝାସୁଝା କରିପାରୁ ନଥିଲେ। ଫଳରେ ଚୀନ ଓ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଉଭୟ ମୁହାଁମୁହିଁ ସ୍ଥିତିକୁ ଆସି ଯାଇଥିଲେ। ଏଣୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ପ୍ରତିରକ୍ଷା ବିଭାଗରେ ନୂଆ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ଫଳରେ ସୀତାରମଣଙ୍କୁ ଏହି ବିଭାଗ ମିଳିଛି।
ସୀତାରମଣଙ୍କ ରାଜନୈତିକ କ୍ୟାରିଅର
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ କରିବା ପରେ ସୀତାରମଣ ଚର୍ଚ୍ଚାକୁ ଆସିଥିଲେ। ଏହାସହ ସେ ୬ ଜଣିଆ ମୁଖପାତ୍ର ମଣ୍ଡଳୀରେ ସ୍ଥାନ ପାଇଥିଲେ।
୨୦୦୬ରେ ସୀତାରମଣ ବିଜେପିରେ ଯୋଗ ଦେଇଥିଲେ। ୨୦୧୦ରେ ମୁଖପାତ୍ର ତାଲିକାରେ ସାମିଲ ହେବା ପରେ ସୀତାରମଣ ଚର୍ଚ୍ଚାକୁ ଆସିଥିଲେ। ବିଭିନ୍ନ ଟିଭି ଡିବେଟରେ ସୀତାରମଣ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଲା।
୨୦୧୪ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବାରେ ସୀତାରମଣ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୬ ମେ ୨୬ରେ ସୀତାରମଣ ବାଣିଜ୍ୟ ଏବଂ ଶିଳ୍ପ ବିଭାଗର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Tags: Cabinet Minister, Nirmala Sitharaman, Ram Nath Kovind, Bhubaneswar News, BJP, BJP Ministers, Breaking News, Cabinet Ministers, Cabinet Reshuffle, Dharmendra Pradhan, Indian Politics, Latest News, Modi, Modi Ministers, Narendra Modi, Odisha Breaking News, Odisha News, Odisha Stories, Odisha Top Stories, Politics, Skill Development, Top Stories

Comment