ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧର୍ମେନ୍ଦ୍ର ପ୍ରଧାନ ମୋଦି ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ପାଇଛନ୍ତି। ଏହାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କର୍ମୀ ଓ ଛାମୁଆ ସଙ୍ଗଠକ ବାଜା ବଜାଇ, ନାଚ କରି ଧର୍ମେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଦୀର୍ଘ ବର୍ଷ ପରେ ଓଡ଼ିଶାର ଦୁଇ ଜଣ ନେତା କ୍ୟାବିନେଟ୍ ପାହ୍ୟା ପାଇଛନ୍ତି। ୨୦୧୪ରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଆଦିବାସୀ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ଏବେ ଧର୍ମେନ୍ଦ୍ର ମଧ୍ୟ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଏଥିପାଇଁ ବିଜେପି କର୍ମୀମାନେ ଉତ୍ସାହିତ ହୋଇ ଯାଇଛନ୍ତି। ଉଭୟଙ୍କ ନେତୃତ୍ୱରେ ଦଳ ଆହୁରି ଆଗକୁ ଯିବ ବୋଲି କର୍ମୀମାନେ ଆଶାବାଦୀ ଅଛନ୍ତି।
ତେବେ ଶାସକ ବିଜେଡି ଏହାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଓଡ଼ିଶା ପାଇଁ ଅଧିକ ଆଶା ରଖିଛି। ଦୁଇ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ କ’ଣ କ’ଣ ଉନ୍ନତିମୂଳକ ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର ରଖିଛି।
ବିଜେପି କର୍ମୀମାନେ ଡ୍ରମ ତାଳେତାଳେ ଧର୍ମେନ୍ଦ୍ରଙ୍କ ପଦୋନ୍ନତିକୁ ସ୍ୱାଗତ କରୁଥିବା ବେଳେ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ଗଣମାଧ୍ୟମରେ ବିବୃତ୍ତି ଦେଇ ପରିସ୍ଥିତିକୁ ଆହୁରି ଗରମ କରିଦେଇଛନ୍ତି। କହିଛନ୍ତି ଧର୍ମେନ୍ଦ୍ର ଓଡ଼ିଶା ଏବଂ ଓଡିଆଙ୍କ ପାଇଁ କ’ଣ କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୬ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାର ଦୁଇଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ଆଉ ଧର୍ମେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ଏହି ରଣନୀତିରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶା ଉପରେ ବିଜେପି ଅଧିକ ଫୋକସ୍ କରୁଛି। ୨୦୧୯ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ବିଜେପିର କେନ୍ଦ୍ରୀୟ ନେତା ପୂରା ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଏବଂ ଜୁଏଲଙ୍କୁ ନେଇ ଶାହା ତାଙ୍କ ରଣନୀତିକୁ ଆଗେଇ ନେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।
Tags: Bhubaneswar News, BJP, BJP Ministers, Breaking News, Cabinet Ministers, Cabinet Reshuffle, Dharmendra Pradhan, Indian Politics, Latest News, Modi, Modi Ministers, Narendra Modi, Odisha Breaking News, Odisha News, Odisha Stories, Odisha Top Stories, Politics, Skill Development, Top Stories

Comment