ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ପ୍ରଥମଥର ପାଇଁ ପାଳିତ ହୋଇଛି ନୂଆଁଖାଇ ଭେଟଘାଟ୍। ପ୍ରବାସୀ ଓଡ଼ିଆ ଏହି ଉତ୍ସବରେ ସାମିଲ ହୋଇ ମା’ ମାଟିର ସ୍ମୃତି ସାଉଁଟିଥିଲେ। ପାରମ୍ପରିକ ଖାଦ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତରେ ବିଭୋର ହୋଇ ନୂଆଁଖାଇ ପାଳନ କରିଥିଲେ ବିଶାଖାପାଟଣାରେ ରହୁଥିବା ଓଡ଼ିଆ ଲୋକେ।
ସେପ୍ଟେମ୍ବର ୨ ତାରିଖ। ସଞ୍ଜ ନଇଁବା ମାତ୍ରେ ଦଶପଲ୍ଲା ହିଲସ ନିକଟ ଜଗନ୍ନାଥ ମନ୍ଦିର ପରିସର ଲୋକାରଣ୍ୟ ହୋଇ ଯାଇଥିଲା।  କାରଣ ଏହିଠାରେ ହିଁ ଆୟୋଜନ ହୋଇଥିଲା ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ୍। ଆଉ ଏହି ଉତ୍ସବ ଆୟୋଜନର ମୁଖ୍ୟ ପୁରୋଧା ସାଜିଥିଲେ ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ।
ଲଗ୍ନ ଧାର୍ଯ୍ୟ କରାଯାଇ ଏଠାରେ ସମସ୍ତେ ଏକାସାଙ୍ଗରେ ନୂଆଁଖାଇ ଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡଃ ଜିତେନ୍ଦ୍ରିୟ ହରିପାଲ ଯୋଗଦେଇଥିଲେ। ଏହି ଉତ୍ସବରେ ଶ୍ରୀ ହରିପାଲଙ୍କୁ ପ୍ରଥମେ ସମ୍ମାନିତ କରାଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ସମ୍ବଲପୁରୀ ନୃତ୍ୟ, ଗୀତରେ ମଞ୍ଚ ଦୁଲୁକିଥିଲା।
ଜିତେନ୍ଦ୍ରିୟ ହରିପାଲଙ୍କ ‘ରଙ୍ଗବତୀ’ ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆଙ୍କ ପାଦ ଅଥୟ ହୋଇଯାଇଥିଲା। ସମସ୍ତେ ନାଚି ନୂଆଁଖାଇର ମଜା ନେଇଥିଲେ। ଡାଲଖାଇ, ପାନି ମାରିଦେଲା ଝାଇଁ ସମ୍ବଲପୁରୀ ଗୀତ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ମନରେ ରଙ୍ଗ ବୋଳିଥିଲା। ଜିତେନ୍ଦ୍ରିୟ ହରିପାଲଙ୍କ ସାନପୁଅ ପ୍ରଭାତ ହରିପାଲ ଓ ବୋହୁ ମିନା ହରିପାଲଙ୍କ ସଙ୍ଗୀତର ଯାଦୁ ଉପସ୍ଥିତ ଓଡ଼ିଆଙ୍କୁ ମସଗୁଲ୍ କରି ଦେଇଥିଲା।
ଏହି ଅବସରରେ ସମ୍ବଲପୁରୀ ପିଠା ସାଙ୍ଗକୁ ଆମ୍ବିଳ ପ୍ରସ୍ତୁତ କରାଯାଇଥିଲା। ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ଏହି ଦେଶୀ ଏବଂ ନିଆରା ଆମ୍ବିଳର ମଜା ନେଇଥିଲେ। ଶ୍ରୀ ହରିପାଲ କିଛି ଗୀତକୁ ସୁଦୂର ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ସମର୍ପଣ କରିଥିବା ବେଳେ ଆଉ କିଛି ଗୀତ ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଯବାନ ଓ କାର୍ଯ୍ୟରତ ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ।
”ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ହୋଇ ରହିନି।  ସାରା ବିଶ୍ୱରେ ଏହା ପାଳନ କରାଯାଉଛି ଏହି ପର୍ବ ଭାଇଚାରାକୁ ବଞ୍ଚାଇ ରଖିବାରେ ମୁଖ୍ୟ ମାଧ୍ୟମ ପାଲଟିଛି”, କହିଛନ୍ତି ଶ୍ରୀ ହରିପାଲ।
ଏ ସମ୍ପର୍କରେ ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଶ୍ରୀ ଜିତେନ୍ଦ୍ର ନାୟକ କହିଛନ୍ତି ଯେ ପ୍ରଥମ ଥର ପାଇଁ ବିଶାଖାପାଟଣାରେ ନୂଆଁଖାଇ ଭେଟଘାଟ ପାଳନ କରାଯାଇଛି। ବିଶାଖାପାଟଣାରେ ବାସ କରୁଥିବା ସମସ୍ତ ଓଡ଼ିଆଙ୍କ ମନରେ ଖୁସି ଦେବା ପାଇଁ ଏଭଳି ପ୍ରୟାସ କରାଯାଇଛି। ଏଥିଲାଗି ୨ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା।
ବିଶାଖାପାଟଣା ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁ ଓଡ଼ିଆ ବାସ କରୁଛନ୍ତି। ସେମାନଙ୍କ ପାଇଁ ବିଭିନ୍ନ ସମୟରେ ଉତ୍କଳ ସାଂସ୍କୃତିକ ସମାଜ ବହୁ କାର୍ଯ୍ୟକ୍ରମ ଆୟୋଜନ କରୁଛି।
Tags: Rangabati, Jitendriya Haripal, Nuakhai, Western Odisha, Vishakhapatnam, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment