ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ସରକାର ଗଠନ ପାଇଁ ୧୨୦ ଆସନର ଟାର୍ଗେଟ୍‍ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା। ଏହି ଟାର୍ଗେଟ୍‌ କିପରି ହାସଲ କରିହେବ ସେଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଶାହା ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି।
୬ରୁ ୮ ତାରିଖ ପର୍ଯ୍ୟନ୍ତ ଶାହା ଓଡ଼ିଶାରେ ରହିବେ। ବିଭିନ୍ନ ପଦାଧିକାରୀଙ୍କ ସହ ମିଶନ ୧୨୦ ଉପରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଶାହାଙ୍କ ଗସ୍ତକୁ ସଫଳ କରିବା ପାଇଁ ରାଜ୍ୟ ବିଜେପି କର୍ମକର୍ତ୍ତାମାନେ ଦିନରାତି ଏକ କରିଦେଇଛନ୍ତି।  ‘କାର୍ଯ୍ୟକର୍ତ୍ତା ମହା ଅଧିବେଶନ’ ଲାଗି ଭୁବନେଶ୍ୱର ଜନତା ମଇଦାନରେ ବିଜେପି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।
ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ୬ ତାରିଖ ଦିନ ୧ଟାରେ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ରାଜ୍ୟ ଅତିଥିଭବନକୁ ପାଛୋଟି ନିଆଯିବ। ୭ ତାରିଖ ସକାଳେ ଶାହା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ସଙ୍ଗଠନ ମଜଭୁତ ପାଇଁ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ।  ୮ ତାରିଖରେ ‘କାର୍ଯ୍ୟକର୍ତ୍ତା ମହା ଅଧିବେଶନ’ ଆୟୋଜନ କରାଯିବ। ଏଥିରେ ଯୋଗ ଦେବାକୁ ଥିବା ୧ ଲକ୍ଷ କର୍ମୀଙ୍କୁ ଶାହା ଉଦବୋଧନ ଦେବା ସହ ମିଶନ-୧୨୦ ସମ୍ପର୍କରେ ମାର୍ଗ ଦର୍ଶନ କରିବେ।
ଜୁଲାଇ ମାସରେ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ। ଯାଜପୁର, ବ୍ରହ୍ମପୁର ଏବଂ ଭୁବନେଶ୍ୱରରେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶାହା ‘ମିଶନ-୧୨୦’ କଥା କହିଥିଲେ। ଏହି ମିଶନ କିପରି ହାସଲ କରାଯିବ ସେନେଇ ପୁଣି ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରୀୟ ସଭାପତି ହେବା ପରେ ଶାହା ୫ମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି।
୩୦ଟି ଜିଲ୍ଲାର ୩୬ଟି ସାଙ୍ଗଠନିକ ମଣ୍ଡଳର କାର୍ଯ୍ୟକର୍ତ୍ତା ଏବଂ ୯ଟି ପ୍ରକଳ୍ପର ଛାମୁଆ କର୍ମୀ ଶାହାଙ୍କ ସହ ଆଲୋଚନା କରିବେ। ଏହାସହ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ଶାହା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Tags: Amit Shah, Basanta Panda, Mission-120, BJP, Odisha BJP, Politics, Odisha Plolitics, Indian Politics, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

LEAVE A REPLY

Please enter your comment!
Please enter your name here