ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଣ୍ଣ ଷ୍ଟାର ତଥା ବଲିଉଡ୍‌ ସେନ୍‌ସେସନ୍‌ ସନ୍ନି ଲିଓନି ନିକଟରେ ମାତୃତ୍ୱକୁ ଆପଣେଇ ନେବା କଥା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋ‍ଇଛି। ଲିଓନି ଓ ତାଙ୍କର ସ୍ୱାମୀ ଡାନ ଇଏଲ୍‌ ୱେବର ଦୁଇ ବର୍ଷର ଝିଅ ନିଶା କୌରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି।
ଡାନିଏଲ୍‌ଙ୍କ ସହ ସନ୍ନିଙ୍କ ବିବାହ ୨୦୦୯ରେ ସମ୍ପନ୍ନ ହୋ‍ଇଥିଲା। ଯେଉଁ ସମୟରେ ଦୁହିଁଙ୍କର ବଂଶକୁ ଆଗକୁ ବଢ଼ାଇବା ନେଇ ଯୋଜନା ଉପରେ ଚର୍ଚ୍ଚା ହେଉଥିଲା, ସେହି ସମୟରେ ନଅ ମାସ ଗର୍ଭଧାରଣ ନ କରି ମହାରାଷ୍ଟ୍ରର ଲାଟୁରଠାରେ ଥିବା ଅନାଥ ଆଶ୍ରମରୁ ନିଶାଙ୍କୁ ଘରକୁ ଆଣିଛନ୍ତି।
ପୂର୍ବରୁ ପ୍ରାୟ ୧୧ ଜଣ ଦମ୍ପତି ନିଶାକୁ ଅଗ୍ରାହ୍ୟ କରିବା ପରେ ସନ୍ନି ତାଙ୍କୁ ଗ୍ରହଣ କରିଥିଲେ। ସାଧାରଣତଃ ପୋଷ୍ୟ ସନ୍ତାନ ଆପଣେଇବା ସମୟରେ ଦମ୍ପତିମାନେ ପିଲାର ରଙ୍ଗ ଓ ରୋଗବୈରାଗ୍ୟ ସମ୍ପର୍କରେ ସୂଚନା ନେଇ ନିଷ୍ପତ୍ତି ନେଇଥା’ନ୍ତି। ବଲିଉଡ୍‌ ବେବିଡଲ୍‌ ସନ୍ନିଙ୍କ ପାଇଁ ଏସବୁ ନଗଣ୍ୟ ଥିଲା।
ସନ୍ନି ୨୦୧୬ ମସିହା ସେପ୍ଟେମ୍ବର ୩୦ରେ ସନ୍ତାନ ଗ୍ରହଣ କରିବାକୁ ଆବେଦନ କରିଥିଲେ। ନିଶାକୁ ଦେଖିବା ପରେ ହିଁ ସେ ତାକୁ ନିଜର ସନ୍ତାନ ରୂପେ ଗ୍ରହଣ କରିବାକୁ ସ୍ଥିର କରିଥିଲେ। ତାଙ୍କ ଜୀବନରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବସର ବୋଲି ସେ କହିଛନ୍ତି।
କେବଳ ସେତିକି ନୁହେଁ, ନିଜର କର୍ମବ୍ୟସ୍ତତା ଭିତରେ ସେ ନିଶା ସହ ସମୟ କଟେଇବାରେ ଖୁସି ଅନୁଭବ କରୁଥିବା କଥା ମଧ୍ୟ କହିଛନ୍ତି।
ଅନ୍ୟାନ୍ୟ ମା’ଙ୍କ ପରି ନିଶା ସାଙ୍ଗେ ଖେଳିବା ଓ ତାକୁ ଖୁଆଇବାରେ ତାଙ୍କର ଅଶେଷ ଆନନ୍ଦ ବୋଲି ସେ ଅନୁଭବ କରୁଛନ୍ତି। ନିଶାକୁ ଜୀବନର ସମସ୍ତ ଖୁସି ଓ ସ୍ୱାଚ୍ଛନ୍ଦ୍ୟ ଯୋଗାଇ ଦେବାକୁ ଉଭୟ ସନ୍ନି ଓ ଡାନିଏଲ୍‍ ବଦ୍ଧ ପରିକର।

Tags: Sunny Leone, Daniel Weber, Nisha Kaur, Bollywood, Bollywood News, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment