ଓଡ଼ିଶାଲାଇଭ୍‍ ବ୍ୟୁରୋ

ପଦୋନ୍ନତି ପରେ ମଙ୍ଗଳବାର ଓଡ଼ିଶା ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ପାଛୋଟି ଅଣାଯାଇଥିଲା। ଏଥିପାଇଁ ଦଳ ତରଫରୁ ବ୍ୟାପକ ଆୟୋଜନ କରାଯାଇଥିଲା।
ବିମାନ ବନ୍ଦର ଅଞ୍ଚଳ ଦଳୀୟ ପତାକାରେ ଛାଇ ଯାଇଥିବା ବେଳେ ଦୁଲୁଦୁଲି ଓ ପାଇକ ନୃତ୍ୟ ମାଧ୍ୟମରେ ଦଳୀୟ କର୍ମୀ ରାଜ୍ୟ ବିଜେପିର ପୋଷ୍ଟର ବୟଙ୍କୁ ସ୍ୱାଗତ କରିଥିଲେ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ”ଜଗନ୍ନାଥଙ୍କ କୃପାରୁ କ୍ୟାବିନେଟ୍ ପାହ୍ୟା ମିଳିଛି। ଓଡ଼ିଶାବାସୀଙ୍କ ଉପରେ ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ମୋତେ କୌଶଳ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଶାହାଙ୍କ ମିଶନ-୧୨୦ ଓଡ଼ିଶାରେ ସାକାର କରିବାକୁ ଉଦ୍ୟମ କରାଯିବ।”
ରବିବାର ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଏଥିରେ ଶ୍ରୀ ପ୍ରଧାନଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ମିଳିବା ସହ କୌଶଳ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ମୋଦି କ୍ୟାବିନେଟକୁ ପଦୋନ୍ନତି ପାଇବା ପରେ ଶ୍ରୀ ପ୍ରଧାନ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି।
ମିଶନ-୧୨୦ର ରୋଡମ୍ୟାପ୍ ପ୍ରସ୍ତୁତି ପାଇଁ ଶାହା ୬ ତାରିଖରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାର ଦିନକ ପୂର୍ବରୁ ଧର୍ମେନ୍ଦ୍ର ଭୁବନେଶ୍ୱରରେ ପାଦ ଦେଇଥିବାରୁ ଦଳୀୟ କର୍ମୀ ଉତ୍ସାହିତ ହୋଇ ଯାଇଛନ୍ତି। ଶାହାଙ୍କ ଗସ୍ତ ସଫଳ କରିବା ଲାଗି ବିଜେପି ତରଫରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି।
ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ବିମାନବନ୍ଦରରେ ଉପସ୍ଥିତ ଥିଲେ।

Tags: Politics, Odisha Politics, BJP, Dharmendra Pradhan, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment