ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ (ଗଭର୍ନାନ୍ସ) ଓ ଅମଳ (ଡେଲିଭରି) ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏଥିପାଇଁ ସେ କେତେକ କଡ଼ା ନିଷ୍ପତ୍ତି ନେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାତ୍ର ଦେଢ଼ ବର୍ଷ ସମୟ ଥିଲା ବେଳେ ଗତ ସପ୍ତାହରେ ମୋଦି ତୃତୀୟ ଥର ପାଇଁ ତାଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଛନ୍ତି।
ଖବର ଆସୁଛି ଯେ ମୋଦି ସବୁ ମନ୍ତ୍ରୀଙ୍କୁ ଶହେ ଦିନ ମଧ୍ୟରେ ଫଳ ଦେଖାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ଭିତରେ ଯଦି ମନ୍ତ୍ରୀମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନ ହୁଏ ତେବେ ୩ ମାସ ପରେ ପୁଣି ଥରେ ଅଦଳବଦଳ ହୋଇପାରେ।
ରବିବାର ଦିନ ହୋଇଥିବା ଅଦଳବଦଳ ପରେ ଏବେ ସରକାରରେ ୭୫ ଜଣ ମନ୍ତ୍ରୀ ଅଛନ୍ତି। ନିୟମ ଅନୁସାରେ ଆଉ ୬ ଜଣ ମନ୍ତ୍ରୀଙ୍କ ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ଅଛି।
ଏହି ଖବର ମଧ୍ୟ ଆସୁଛି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ଏକ ଫର୍ମୁଲା ବାହାର କରିଛି। ଏହି ଫର୍ମୁଲା ଅନୁସାରେ ମନ୍ତ୍ରୀମାନଙ୍କର କାର୍ଯ୍ୟ ସମୀକ୍ଷା ସିଧା ପିଏମଓ କରିବ। ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ମଧ୍ୟ ମନ୍ତ୍ରୀମାନଙ୍କର କାର୍ଯ୍ୟଦକ୍ଷତାକୁ ଦେଖି ନମ୍ବର ଦିଆଯାଇଥିଲା।
ଶୁଣାଯାଉଛି ଅନ୍ତତଃ ୬ ଜଣ ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କର ନଜର ରହିଛି ଓ ଏହି ୬ ଜଣ ଯଦି ଠିକ୍ ଭାବରେ କାମ ନ କରିପାରିବେ ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇ ଦିଆଯିବ। ଏଥିସହିତ କିଛି ମନ୍ତ୍ରୀଙ୍କୁ ହୋମୱାର୍କ ବି ଦିଆଯାଇଛି ଓ ଚୌକି ବଞ୍ଚାଇବାକୁ ହେଲେ ଦିଆଯାଇଥିବା କାମକୁ ସମ୍ପୂର୍ଣ୍ଣ କରିବାକୁ ତାଗିଦ୍ କରାଯାଇଛି। ଖାଲି ମନ୍ତ୍ରୀ ନୁହଁନ୍ତି ସଚିବମାନଙ୍କ କ୍ଷେତ୍ରରେ ମଧ୍ୟ ଏକ ଦକ୍ଷତା ମାପିବା ଫର୍ମୁଲା ବାହାର କରାଯାଇଛି।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୧ ବର୍ଷ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର ଫଳ ତୃଣମୂଳ ସ୍ତରରେ ଦେଖିବାକୁ ଚାହାନ୍ତି। ପିଏମଓରେ ପହଞ୍ଚିଥିବା ଖବର ଅନୁସାରେ ସୁସ୍ତି ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଫଳ ସନ୍ତୋଷଜନକ ହୋଇନାହିଁ। ଆହୁରି ମଧ୍ୟ ଖବର ମିଳିଛି ଯେ ୨୦୧୯ ପୂର୍ବରୁ ପିଏମଓ ନିଜ ରିପୋର୍ଟ କାର୍ଡ ତିଆରି କରିବ ଓ ସେହି ଅନୁସାରେ ମନ୍ତ୍ରୀଙ୍କୁ କାମ କରିବାକୁ ପଡ଼ିବ।
ପ୍ରଧାନମନ୍ତ୍ରୀ ମୋଦି ଏମିତି ବି ଆଉ ତିନି ମାସ ପରେ ଏକ ଅଦଳବଦଳ ପାଇଁ ଚିନ୍ତା କରିଛନ୍ତି। ଏହି ଅଦଳବଦଳରେ ନିତିଶ କୁମାରଙ୍କର ଜନତା ଦଳ ୟୁ ଓ ଏଆଇଏଡିଏମକେର ମନ୍ତ୍ରୀମାନଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ମିଳିବ।

Tags: Prime Minister, Narendra Modi, BJP, BJP Cabinet, Cabinet Resuffle, PMO, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment