ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାର ଉପରେ ବର୍ଷିଛନ୍ତି। ଶୁକ୍ରବାର ଦିନ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ‘କାର୍ଯ୍ୟକର୍ତ୍ତା ମହାଅଧିବେଶନ’ରେ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ଯାଇ ସେ ନବୀନଙ୍କୁ ପୁଣିଥରେ ‘ପୋଡା ଟ୍ରାନ୍ସଫର୍ମର’ ବୋଲି ବର୍ଣ୍ଣନା କରିଛନ୍ତି। କେବଳ ସେତିକି ନୁହେଁ, ନବୀନଙ୍କ ସରକାରକୁ ‘ନିକମା’ ବୋଲି କହିବାକୁ ପଛାଇ ନାହାନ୍ତି ଶାହା।

‘ମିଶନ-୧୨୦’ ହାସଲର ଲକ୍ଷ୍ୟ ନେଇ ଅମିତ  ଶାହା ଗୁରୁବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଦୁଇ ଦିନ ଧରି ଦଳର ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରିବା ପରେ ଶୁକ୍ରବାର ଜନତା ମଇଦାନରେ ଆୟୋଜିତ ‘କାର୍ଯ୍ୟକର୍ତ୍ତା ମହାଅଧିବେଶନ’ରେ ବୁଥ୍ ସ୍ତରର କର୍ମୀଙ୍କ ମନରେ ଜୋସ୍ ଭରିଛନ୍ତି।
ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ‘ବିଜେଡି କେ ଉପର୍ ହମାରା କୋଇ ଗୁସ୍ସା ନହିଁ’ ବୋଲି କହିଥିଲେ ଅମିତ ଶାହା। ହେଲେ ଶୁକ୍ରବାର ମହାଅଧିବେଶନରେ ତାଙ୍କ ସ୍ୱର ଥିଲା ବେଶ୍ ଗରମ୍। ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନ୍ସଫର୍ମର ବୋଲି ଦର୍ଶାଇବା ସହ ଓଡ଼ିଶାରେ ଏକ ‘ନିକମା’ ସରକାର ଶାସନ କରୁଛି ବୋଲି ଆକ୍ଷେପ କରିଛନ୍ତି। ୨୦୧୯ରେ ଦଳ ରାଜ୍ୟରେ ୧୨୦ ଆସନ ହାସଲ କରିବା ସୁନିଶ୍ଚିନ୍ତ ବୋଲି ସେ ପୁଣିଥରେ ଦୋହରାଇଛନ୍ତି। ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ସମୁଦ୍ରରେ ଫିଙ୍ଗିଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତି।
ଏହି ମହା-ଅଧିବେଶନରେ ଗତ ୩ ବର୍ଷ ଭିତରେ ଓଡ଼ିଶାକୁ କେନ୍ଦ୍ର ଦେଇଥିବା ଟଙ୍କାର ହିସାବ ରଖିଛନ୍ତି ଶାହା। ଓଡ଼ିଶାର ବିକାଶ ଲାଗି ୩ ବର୍ଷରେ ମୋଦି ୩ ଲକ୍ଷ ୯୪ ହଜାର କୋଟି ଦେଇଛନ୍ତି। ହେଲେ ଏହି ଟଙ୍କା ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଏହି ଟଙ୍କା କୁଆଡେ ଗଲା ବୋଲି ଶାହା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
୧୭ ବର୍ଷ କିଛି କମ୍ ସମୟ ନୁହେଁ। ହେଲେ ଏହି ସମୟ ମଧ୍ୟରେ ଓଡ଼ିଶା ପଛରେ ପଡିଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବିକାଶ ହୋଇନାହିଁ। ତେବେ “୧୭ ସାଲ୍ ମେଁ ନବୀନ କ୍ୟା କିୟା” ବୋଲି ଅମିତ ଶାହା ପୁଣିଥରେ ଖୋଲାଖୋଲି ପ୍ରଶ୍ନ ଉଠାଇଛନ୍ତି।
ନବୀନଙ୍କ ୧୭ ବର୍ଷର ଶାସନରେ ଓଡ଼ିଶାରେ ବେରୋଜଗାରୀ ବୃଦ୍ଧି ପାଇଛି। ଯୁବକଙ୍କ ହାତକୁ ରୋଜଗାର ଦେବାରେ ବିଜେଡି ସରକାର ବିଫଳ। ଓଡ଼ିଶାର ଯୁବକ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଓଡ଼ିଆ ଯୁବକଙ୍କ ଶ୍ରମଦାନରେ ଅନ୍ୟ ରାଜ୍ୟର ବିକାଶ ହେଉଛି। ମାତ୍ର ନବୀନ ସେମାନଙ୍କୁ ଓଡ଼ିଶାରେ ରଖିପାରୁ ନାହାନ୍ତି। ଓଡ଼ିଶାର ବିକାଶ ପାଇଁ ୨୦୧୯ରେ ବିଜେପି ସରକାର କରିବ ବୋଲି ଶାହା କହିଥିଲେ।
ଦଳୀୟ ନେତା ଓ କର୍ମୀମାନଙ୍କ ମନରେ ଭରସା ଆଣିବାକୁ ଯାଇ ଅମିତ ଶାହା କହିଥିଲେ ଯେ, ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରମାଣିତ କରୁଛି ୨୦୧୯ରେ ଭାଜପା ସରକାର ଗଢ଼ିବ। ଏଥିପାଇଁ ଆମେ ‘ମିଶନ-୧୨୦’ର ଲକ୍ଷ୍ୟ ରଖିଛୁ। ଏହି ମିଶନକୁ ସଫଳ କରିବା ଲାଗି ସେ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ବୁଥ୍ ସ୍ତରରେ ସଙ୍ଗଠନ ମଜଭୁତ କରି ଲୋକଙ୍କ ପାଖରେ ନରେନ୍ଦ୍ର ମୋଦି ସରକାରଙ୍କ ଲୋକପ୍ରିୟ ଯୋଜନା ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି।
ବିଜେପି ସରକାର ଆସିଲେ ଓଡ଼ିଶାର ଗାଁଗାଁରେ ପିଇବା ପାଣି, ୨୪ ଘଣ୍ଟିଆ ବିଜୁଳି ଓ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିବ ବୋଲି ଶାହା କହିଛନ୍ତି। ଅଧିବେଶନରେ ଉପସ୍ଥିତ ସମସ୍ତ କର୍ମୀ ଏହିଠାରେ ସଙ୍କଳ୍ପ କରିବା ସହ ଏହି ଆହ୍ୱାନକୁ କାର୍ଯ୍ୟରେ ପରିଣତ କରିବାକୁ ଶାହା ସମସ୍ତଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି।
ଏହି ମହାଅଧିବେଶନରେ ମଞ୍ଚରେ ଶାହାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉଦବୋଧନ ଦେଇଥିଲେ।

Tags: Amit Shah, BJP, OdishaWantsBJP, ShahInOdisha, KARYAKARTA, MAHAADHIBESHAN MISSION120, Odisha BJP, BJP Govt, Panchayat Election, Politics, Odisha Politics, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment