ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାପ ପାଗ ଯୋଗୁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋପବନ୍ଧୁ ହାଇସ୍କୁଲ ପଡିଆରେ ମଙ୍ଗଳବାର ଡିଜିଙ୍କ ହେଲିକପ୍ଟର ଅବତରଣ କରିଥିଲା।
ଏହି ହେଲିକପ୍ଟରରେ ଡିଜିଙ୍କ ସମେତ ଗୁଇନ୍ଦା ନିର୍ଦ୍ଦଶେକ ଓ ଆଇଜି ଅପରେସନ୍ ମଧ୍ୟ ଥିଲେ। ପୋଲିସ ଡିଜି ମାଓ ମୁକାବିଲା ସ୍ଥିତି ସମୀକ୍ଷା କରି କନ୍ଧମାଳ ଜିଲ୍ଲା ବାରାଖମ୍ମାରୁ ଭୁବନେଶ୍ୱର ଫେରୁଥିବା ବେଳେ ପାଗ ଖରାପ ହୋଇଯାଇ ଥିଲା। ସୁରକ୍ଷା ଦୃଷ୍ଟିରୁ ପାଇଲଟ୍ ହେଲିକପ୍ଟରର ଜରୁରୀ ଅବତରଣ କରିଥିଲେ।
ପୋଲିସ ଡିଜି ଶର୍ମା କହିଛନ୍ତି, ”କନ୍ଧମାଳ ଜିଲ୍ଲା ବାରାଖମ୍ମାରୁ ମାଓ ସ୍ଥିତି ସମୀକ୍ଷା କରି ଫେରୁଥିବା ବେଳେ ପାଗ ବିଗିଡି ଯାଇଥିଲା। ଏଣୁ ହେଲିକ୍ପଟରକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। ମାତ୍ର ହେଲିକପ୍‌ଟରର କୌଣସି ଯାନ୍ତ୍ରିକ ତ୍ରୁଟି ନ ଥିଲା।”
କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ସଙ୍ଗଠନ ମଜଭୁତ କରୁଛନ୍ତି। ଏହାର ପ୍ରମାଣ ସେପ୍ଟେମ୍ବର ୧୦ ତାରିଖରେ ମିଳିଥିଲା। ଏସଓଜି ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ନିହତ ହେବା ପରେ ପୋଲିସ ପ୍ରଶାସନ ତତ୍ପର ହୋଇ ଉଠିଛି।
ଛତିଶଗଡ, ଝାଡଖଣ୍ଡ ସୀମାନ୍ତରେ ସୁରକ୍ଷା କର୍ମୀମାନେ ମାଓବାଦୀଙ୍କୁ ବାରମ୍ବାର ଝଟକା ଦେଉଥିବାରୁ ଏମାନେ ନୂଆ ରୁଟ୍ ବାଛିଛନ୍ତି। କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ(କେକେବିଏନ୍) ଡିଭିଜନ ମାଓବାଦୀଙ୍କ ନୂଆ ରୁଟ୍ ପାଲଟିଥିବା ଡିଜି ୧୧ ତାରିଖ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ୩ ବର୍ଷ ହେଲା ମାଓବାଦୀମାନେ ଏହି ଡିଭିଜନରେ ସଙ୍ଗଠନ ବଢ଼ାଇବାକୁ ଚେଷ୍ଟା କରୁଥିବା ଡିଜି କହିଥିଲେ।
ତେବେ ମାଓବାଦୀଙ୍କ ଖବର ଜଣାପଡିବା ପରେ କନ୍ଧମାଳ ଜିଲ୍ଲାରେ ସ୍ଥିତି କ’ଣ ଅଛି ତା’ର ସମୀକ୍ଷା ପାଇଁ ଡିଜି ବାରାଖମ୍ମା ଫାଣ୍ଡି ଅଞ୍ଚଳକୁ ଯାଇଥିଲେ।
୧୦ ତାରିଖରେ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନ୍ ସାରି ଫେରୁଥିବା ବେଳେ ଖାମାଖୋଲ ଜଙ୍ଗଲର ଏକ ନାଳ ନିକଟରେ ମାଓବାଦୀମାନେ ବୁଲୁଥିବା ଦେଖିଥିଲେ। ମାଓବାଦୀମାନେ ଏସ୍‌ଓଜି ଯବାନମାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ପ୍ରାୟ ୪୫ ମିନିଟ୍ ଧରି ଉଭୟଙ୍କ ମଧ୍ୟ ଗୁଳି ବିନିମୟ ଘଟିଥିଲା। ଫଳରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ମହିଳା ମାଓବାଦୀ ବନିଲାଙ୍କ ମୃତଦେହ ପଡି ରହିଥିଲା।
ମୃତ ମାଓବାଦୀଙ୍କଠାରୁ ୩ ନୋଟ୍ ୩ ରାଇଫଲ୍, ୧୩ ରାଉଣ୍ଡ ଗୁଳି, ଗୋଟିଏ କ୍ୟାମେରା, ମାଓବାଦୀ ପୁସ୍ତିକା, ମାନଚିତ୍ର ଏବଂ ନଗଦ ୪ ହଜାର ଟଙ୍କା ଜବତ କରାଯାଇଥିଲା।
କନ୍ଧମାଳ ଜିଲ୍ଲାରେ ଯବାନଙ୍କ ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହେବା ଘଟଣା ପ୍ରଥମ ବୋଲି ଡିଜି ସୂଚନା ଦେଇଥିଲେ।

Tags: Maoists, Police DG, Bhubaneswar News, Breaking News, Dr. RP Sharma, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here