ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ମଙ୍ଗଳବାର ଦିନ ବର୍କଲିଠାରେ ଥିବା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ସେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ।  ଯେଉଁମାନେ ରାହୁଲଙ୍କୁ ଭାରତରେ ତାଚ୍ଛଲ୍ୟ କରୁଛନ୍ତି ସେମାନେ ତାଙ୍କର ଏହି ଭାଷଣଟି ନିହାତି ଶୁଣିବା ଦରକାର।

ରାହୁଲ୍ ଭାରତର ଶକ୍ତି ଓ କ୍ଷମତା ସମ୍ପର୍କରେ ନିଜର ଦୃଷ୍ଟିକୋଣ ରଖିଥିଲେ ଓ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ମୋଦି ସରକାରଙ୍କ ସମ୍ପର୍କରେ ସେ ଉଲ୍ଲେଖ କରିବାକୁ ଯାଇ କହିଲେ ଯେ ଭାରତରେ ବର୍ତ୍ତମାନ ସାମ୍ପ୍ରଦାୟିକତା ଓ ଧ୍ରୁବୀକରଣ (ପୋଲାରାଇଜେସନ୍) ମୁଣ୍ଡ ଟେକିଛି।

ନୋଟବନ୍ଦୀ ସମ୍ପର୍କରେ ରାହୁଲଙ୍କ ମତଥିଲା ଯେ ବିମୁଦ୍ରୀକରଣ ଓ ଜଲ୍‌ଦିବାଜିରେ ଜିଏସ୍‌ଟି ଲାଗୁ କରିବା ଫଳରେ ଭାରତର ଅର୍ଥନୀତି ଲାଇନଚ୍ୟୁତ ହେବା ଅବସ୍ଥାକୁ ଆସିଯାଇଛି।

ବଂଶବାଦ… ଏଠି ସେଠି ସବୁଠି

ଭାରତର ରାଜନୀତିରେ ବଂଶବାଦକୁ ନେଇ ଛାତ୍ରମାନଙ୍କ ପାଖରୁ ଆସିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଲେ ଯେ ସମଗ୍ର ଦେଶରେ ଏହାହିଁ ଚାଲିଛି। ଏହି ସମ୍ପର୍କରେ ସେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କଠାରୁ ଆରମ୍ଭ କରି ବିହାରର ଲାଲୁଯାଦବ, ତାମିଲ୍‌ନାଡ଼ୁର ଡିଏମ୍‌କେ ଓ କରୁଣାନିଧି ପରିବାର ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ କଥା ଉଠାଇଥିଲେ। ସେ କହିଲେ ଯେ, ‘‘ବାସ୍ତବରେ ଭାରତରେ ଅଧିକାଂଶ ରାଜନୀତିକ ଦଳରେ ଏହି ସମସ୍ୟା ରହିଛି। ଏଣୁ କେବଳ ଆମ ଦଳଠାରେ ଆପଣମାନେ ଅଟକିଯାନ୍ତୁ ନାହିଁ। ଅଖିଳେଶ ଜଣେ ଡାୟୋନେଷ୍ଟ (ବଂଶବାଦୀ), ଷ୍ଟାଲିନ୍ ବି ଜଣେ ଡାୟୋନେଷ୍ଟ, ଧୁମଲଙ୍କ ପୁଅ ମଧ୍ୟ ଜଣେ ଡାୟୋନେଷ୍ଟ ଓ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ବାପାଙ୍କ ଉତ୍ତରାଧିକାରୀ…। ଏଣୁ ମୋ କହିବା କଥା ଯେ କେବଳ ମୋ ଉପରେ ବଂଶବାଦର ଅଭିଯୋଗ ଆଣନ୍ତୁନି… ସବୁ ଦଳରେ ଏହାହିଁ ଚାଲିଛି’’।

ସେ କହିଲେ ଯେ ମୁଁ କଂଗ୍ରେସ ଦଳକୁ ବଦଳେଇବାକୁ ଚାହୁଁଛି। ରାହୁଲ କହିଲେ ଯେ କଂଗ୍ରେସରେ ଏଭଳି କିଛି ଲୋକ ବି ଅଛନ୍ତି ଯେଉଁମାନଙ୍କର ବଂଶବାଦ ସହିତ କିଛି ନେଣଦେଣ ନାହିଁ… ଆଉ ଏଭଳି ବି କିଛି ଅଛନ୍ତି ଯେଉଁମାନଙ୍କର ବାପା, ଜେଜେବାପା, କକା କଂଗ୍ରେସ ରାଜନୀତିରେ ଅଛନ୍ତି। କିନ୍ତୁ ମୁଁ ଏଥିରେ କିଛି କରିପାରିବି ନାହିଁ।

ରାହୁଲ କହିଲେ ଯେ ବିଗତ ୭୦ ବର୍ଷ ଭିତରେ ଭାରତ ଯେତିକି ଉନ୍ନତି କରିଛି, ଯଦି ବର୍ତ୍ତମାନ ଭଳି ଧ୍ରୁବୀକରଣ ଓ ନକାରାତ୍ମକ ରାଜନୀତି ଚାଲେ ସେହି ଉନ୍ନତି ବାଧାପ୍ରାପ୍ତ ହେବା ନିଶ୍ଚିତ। ସେ ମତ ଦେଇଥିଲେ ଯେ,  ଉଦାରବାଦୀ ସାମ୍ବାଦିକମାନଙ୍କୁ ହତ୍ୟା କରାଯାଉଛି। ଦଳିତମାନଙ୍କୁ  ମାଡ଼ ମରାଯାଉଛି। ମୁସଲିମ୍‌ ଓ ଅଳ୍ପସଂଖ୍ୟକମାନଙ୍କୁ ଟାର୍ଗେଟ କରାଯାଉଛି। ରାହୁଲ୍ କହିଲେ, ‘‘ଅହିଂସା ଆଜି ବିପଦରେ। କିନ୍ତୁ ଅହିଂସା ହିଁ ମାନବିକତାକୁ ଆଗକୁ ନେଇପାରିବ। ହିଂସା, ପରସ୍ପର ବିରୋଧରେ କ୍ରୋଧ ଏସବୁ ଆମକୁ ବରବାଦ୍ କରିଦେଇପାରେ। ଧ୍ରୁବୀକରଣ ରାଜନୀତି  ଏକ ଖତରନାକ୍‌ ଖେଳ’’।

ମୋଦି ସରକାରର ନୋଟ୍‌ବନ୍ଦୀକୁ ସମାଲୋଚନା କରିବାକୁ ଯାଇ ସେ କହିଲେ ଯେ ଏହି ପ୍ରସଙ୍ଗରେ ସରକାରଙ୍କର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କିମ୍ବା ପାର୍ଲାମେଣ୍ଟର ମତ ନେବାକୁ ସରକାର ପସନ୍ଦ କଲେ ନାହିଁ। ରାହୁଲଙ୍କ କହିବା ଅନୁସାରେ ନୋଟବନ୍ଦୀ ଯୋଗୁଁ ଜିଡ଼ିପିରେ ୨% ହ୍ରାସ ଆସିଛି। ଭାରତରେ ଆଦୌ ନିଯୁକ୍ତି ସୁଯୋଗ ସୃଷ୍ଟି  ହେଉନାହିଁ ଏବଂ ଆର୍ଥିକ ଅଗ୍ରଗତି ଆଉ ପୂର୍ବଭଳି ହେଉ ନାହିଁ। ଅର୍ଥ ବ୍ୟବସ୍ଥାରେ କିଛି ଭୁଲ୍ ନିଷ୍ପତ୍ତି ଯୋଗୁଁ ଚାଷୀମାନେ ବହୁଳ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ମୋଦି ସରକାର ଯେଉଁ କେତୋଟି ନିଷ୍ପତ୍ତି ନେଇଛନ୍ତି ତାହା ଦେଶର ଆର୍ଥିକ ଅବସ୍ଥାକୁ ଏପଟସେପଟ କରିଦେଇପାରେ।

ମୁଁ ବିଜେପିର ଟାର୍ଗେଟରେ

ରାହୁଲ ଗାନ୍ଧି କହିଲେ ଯେ ବିଜେପିର ସୋସିଆଲ୍ ମେଡ଼ିଆ ସେଲ୍ ତାଙ୍କୁ ଟାର୍ଗେଟ କରୁଛି। ସେ କହିଲେ, ବିଜେପିର ଏକ କଳ (ମେସିନାରୀ) ରହିଛି ଯେଉଁଠି ହଜାରେ ଲୋକ କମ୍ପ୍ୟୁଟରରେ ବସିଛନ୍ତି ଓ ସେମାନେ  ବରାବର ମୋ ବିରୁଦ୍ଧରେ ଲେଖାଲେଖି କରୁଛନ୍ତି ଏବଂ ଅପମାନଜନକ କଥା ପ୍ରଚାର କରୁଛନ୍ତି। ଏହି ଅପରେସନ ସେଇ ମହାନୁଭବମାନେ ଚଳାଇଛନ୍ତି ଯେଉଁମାନେ ଦେଶର ହର୍ତ୍ତାକର୍ତ୍ତା ବିଧାତା।

ରାହୁଲ୍ ଏହା ବି କହିଲେ ଯେ ସେ ପର୍ଦ୍ଦାପଛରେ ରହି ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପି. ଚିଦାମ୍ବରମ୍, ଜୟରାମ ରମେଶ ଓ ଅନ୍ୟ ନେତାମାନଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ କାମ କରି ଆସୁଛନ୍ତି। ରାହୁଲଙ୍କ କହିବାନୁସାରେ ଯେତେବେଳେ ସେ କାଶ୍ମୀର ଉପରେ କାମ ଆରମ୍ଭ କଲେ ସେତେବେଳେ ଆତଙ୍କବାଦ ପସରା ମେଲାଇଥିଲା। ଏବେ କିନ୍ତୁ ସେଠି ଶାନ୍ତି ପ୍ରତିଷ୍ଠା ହୋଇଛି ଓ ଆତଙ୍କବାଦର ଅଣ୍ଟା ଭାଙ୍ଗିଯାଇଛି।

ମୋଦିଙ୍କୁ ନିନ୍ଦା ବି ଓ ପ୍ରଶଂସା ବି

କାଶ୍ମୀର ଘାଟିରେ ଆତଙ୍କବାଦ ପାଇଁ ରାହୁଲ୍ ମୋଦିଙ୍କୁ ଦୋଷ ଦେଇଛନ୍ତି। ସେ କହିଲେ ଯେ ପିଡ଼ିପି କାଶ୍ମୀରର ଯୁବକମାନଙ୍କୁ ଠିକ୍‌ବାଟକୁ ଆଣିବା ପାଇଁ ଉଦ୍ୟମ କରୁଥିଲା। କିନ୍ତୁ ଯେଉଁଦିନଠାରୁ ବିଜେପି ପିଡ଼ିପି ସହିତ ମେଣ୍ଟ କଲା ସେ ଦିନଠାରୁ ପରିସ୍ଥିତି ବିଗିଡ଼ି ଯାଇଛି।

ରାହୁଲ୍ ତାଙ୍କ ଭାଷଣରେ ମୋଦିଙ୍କୁ ଜଣେ ଭଲ କମ୍ୟୁନିକେଟର କହି ପ୍ରଶଂସା ମଧ୍ୟ କରିଥିଲେ।

Tags: Rahul Gandhi, Berkeley University, Congress, UCBerkeley, Narendra Modi, Demonetization, Kashmir, Polarization, Manmohan Singh, P Chidambaram, Abhishek Bachhan, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here