ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ବାଭାବିକ ଢଙ୍ଗରେ ଗୁରୁବାର ଚାଲିଥିଲା ବିଧାନସଭା। ହେଲେ ଶୁକ୍ରବାର ଯଥା ପୂର୍ବଂ ତଥା ପରଂ ସ୍ଥିତି। ଆରମ୍ଭରୁ ଗୃହରେ ହଙ୍ଗାମା ସୃଷ୍ଟି କରିଥିଲେ ବିରୋଧୀ। ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଗୃହରେ ମୁଲତବି ପ୍ରସ୍ତାବ ଆଗତ କରିଥିଲେ। ହେଲେ ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ବିରୋଧୀ ସଭ୍ୟ ଗୃହ ମଝିକୁ ଚାଲିଆସି ସ୍ଲୋଗାନ୍ ଦେଇଥିଲେ। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।
ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ କହିଛନ୍ତି, ”ଗୃହରେ ବିରୋଧୀ ଦଳ ସଭ୍ୟ ବିଶୃଙ୍ଖଳା ଆଚରଣ କରୁଛନ୍ତି। ଗୃହ ସୁରୁଖୁରୁରେ ଚଳାଇବାକୁ ବିରୋଧୀ ଚାହୁଁନାହାନ୍ତି। କୌଣସି ନିର୍ଦ୍ଦିଷ୍ଟ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳ ମୁଲତବି ପ୍ରସ୍ତାବ ଆଣି ନାହାନ୍ତି।”
ବିଜେଡି ବିଧାୟକଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି କଂଗ୍ରେସ ଓ ବିଜେପି। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଶାସକ ଦଳ ଏହାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି।
କଂଗ୍ରେସ ବିଧାୟକ ନବ କିଶୋର ଦାସ କହିଛନ୍ତି, ”ଦିନ ବେଳେ ଗଣତନ୍ତ୍ରର ହତ୍ୟା କରାଯାଉଛି। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି ବିଜେବି କଲେଜ ଓ ବାଦାମବାଡି ବୋମାମାଡ଼ ଘଟଣା ସ୍ପଷ୍ଟ କରୁଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଥିବାରୁ ଶାସକ ଦଳ ଲୋକମତକୁ ଦବେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି।”
ଅନ୍ୟତମ ବିରୋଧୀ ବିଜେପି ମଧ୍ୟ ଶାସକ ଦଳଙ୍କୁ ଘେରିଛି। ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ”ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣ କରିନାହାନ୍ତି।”

Tags: Odisha News, Odisha Hot News, BJB college, Cuttack Badambadi, Odisha Assembly, Law and Order, Congress, BJD, BJP, Bhubaneswar, Chief Minister, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment