ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଫିଆନା ଗାୟକି ପାଇଁ ବଲିଉଡରେ ନିଜର ପରିଚିତି ସ୍ଥାପନ କରିପାରିଥିବା ଓଡ଼ିଆ ଗାୟକ କ୍ରିଷ୍ଣା ବେଉରାଙ୍କର ନୂଆ ହିନ୍ଦୀ ମ୍ୟୁଜିକ୍ ଭିଡିଓ ‘ଜିନା ହୈ ତେରେ ବିନ୍’ ଜିଡିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହେବାର ଏକ ସପ୍ତାହ ମଧ୍ୟରେ ୧୦୦ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି।
ଏହି ଭିଡିଓରେ କ୍ରିଷ୍ଣାଙ୍କ ସମେତ ବଙ୍ଗୀୟ ମଡେଲ ଦୀପିକା ରୟ ଅଭିନୟ କରିଛନ୍ତି। କେ ବି ମ୍ୟୁଜିକ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ବ୍ୟାନର ନିବେଦିତ ଏହି ସିଙ୍ଗିଲ ମ୍ୟୁଜିକ୍ ଭିଡିଓର ସଂଗୀତ ସଂଯୋଜନା କରିଛନ୍ତି ରାଜୀବ-ମୋନା ତଥା ଏହାର ଗୀତ ରଚନା କରିଛନ୍ତି ଶ୍ୟାମରାଜ। ପ୍ରଥମ ଥର ପାଇଁ ନିଜର ସୁଫିଆନା ଅନ୍ଦାଜ ଛାଡ଼ି ଏହି ରୋମାଣ୍ଟିକ୍ ଗୀତଟି ଗାଇଛନ୍ତି ବୋଲି କ୍ରିଷ୍ଣା କୁହନ୍ତି। ଏହି ମ୍ୟୁଜିକ୍ ଭିଡିଓର ସୁଟିଂ ଗୁଜୁରାଟସ୍ଥିତ ଦାଣ୍ଡି, ସୁରଟ ଓ ରାଜପିପ୍‌ଲାଠାରେ କରାଯାଇଛି। କ୍ରିଷ୍ଣାଙ୍କ ନିଖୁଣ ଗାୟକି ତଥା ସିନେମାଟୋଗ୍ରାଫି ଏହି ମ୍ୟୁଜିକ୍ ଭିଡିଓକୁ ମନଲୋଭା କରିଛି।
ସଞ୍ଜୟ ଦତ୍ତଙ୍କ ‘ରୁଦ୍ରାକ୍ଷ’ ସିନେମାରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଏହି ସୁଫିଆନା ଗାୟକ ପାକିସ୍ଥାନୀ କୱାଲି ଗାୟକ ଓସ୍ତାଦ ନୁସରତ ଫତେହ ଅଲ୍ଲୀ ଖାନଙ୍କ ଗାଇବା ଶୈଳୀ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ମୁମ୍ବାଇକୁ ନିଜର କର୍ମସ୍ଥଳୀ ରୂପେ ବାଛି ନେବା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଶାହରୁଖ୍ ଖାନ୍‌ଙ୍କ ପାଇଁ ଗାଇଥିବା ‘ଚକ୍ ଦେ ଇଣ୍ଡିଆ’ ସିନେମାର ମୌଲା ମେରେ ଲେଲେ ମେରି ଜାଁ’… ଗୀତ ତାଙ୍କୁ ସମଗ୍ର ଦେଶରେ ପ୍ରସିଦ୍ଧି ଆଣିବା ସହ ଏଥିପାଇଁ ସେ ଷ୍ଟାର ଡଷ୍ଟ ଆୱାଡ ମଧ୍ୟ ପାଇଥିଲେ। ପରେ ପରେ ‘ନମସ୍ତେ ଲଣ୍ଡନ’ ସିନେମାର ‘ମେଁ ଜହାଁ ରହୁଁ…’ ତଥା ’ସୋନିଓ’ ଗୀତ ମଧ୍ୟ ଅଲ୍‌ଟାଇମ୍ ହିଟ୍ ଗୀତ ମଧ୍ୟରୁ ଅନ୍ୟତମ।
କ୍ରିଷ୍ଣା ଗାଇଥିବା ସିନେମାଗୁଡ଼ିକ ମଧ୍ୟରେ ‘ବଦ୍‌ମାସ କମ୍ପାନୀ’, ‘ଜୁଗାଡ଼’, ‘ଅଗ୍ନିପଥ’, ‘ୱେଲକମ୍’, ‘ଜିନ୍ଦା’, ’ମୁଶାଫିର’, ଅନ୍ୟତମ। ଅନ୍ତର୍ଜାତୀୟ ସିନେନିର୍ମାତା ନୀଳମାଧବ ପଣ୍ଡାଙ୍କ ’କୌନ କିତ୍‌ନେ ପାନି ମେଁ’ ସିନେମାରେ ରଙ୍ଗବତୀ ଗୀତ ମଧ୍ୟ ଗାଇଥିଲେ। କ୍ରିଷ୍ଣାଙ୍କ ହିନ୍ଦୀ ମ୍ୟୁଜିକ୍ ଆଲବମ୍‌ ‘ଚେହେରା ତେରା ଆଁଖେ ତେରି’ରେ ଓଡ଼ିଆ ଅଭିନେତ୍ରୀ ଲିପ୍‌ସା ମିଶ୍ର ଅଭିନୟ କରିଥିଲେ।

Tags: Jeena Hai Tere Bin, Krishna Beuraa, Deepika Ray, Bollywood Singer, Bollywood, Album Song, Album Hit Songs, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment