ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦୦ କୋଟିର ସମ୍ପତ୍ତିକୁ ଛାଡ଼ିଲେ, ମାତ୍ର ୩ ବର୍ଷର ଝିଅକୁ ଛାଡ଼ି ବାପାମା’ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶ ନୀମଚ ସହରର ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି।

୩୫ ବର୍ଷୀୟ ସୁମିତ ରାଠୋର ଓ ୩୪ ବର୍ଷୀୟା ଅନାମିକା ରାଠୋରଙ୍କୁ ନେଇ ଏବେ ଦେଶସାରା ଚର୍ଚ୍ଚା। କାରଣ ଜୈନ ସଂପ୍ରଦାୟର ଏହି ଯୁବ ଦମ୍ପତି ଏବେ ସନ୍ନ୍ୟାସୀ ହେବାକୁ ନି​‌ଷ୍ପତ୍ତି ନେଇଛନ୍ତି। ଆସନ୍ତା ଶନିବାର ଦିନ ସେମାନେ ଜୈନ ଧର୍ମର ଶ୍ୱେତମ୍ବର ପରମ୍ପରା ଅନୁଯାୟୀ ଦୀକ୍ଷା ନେବେ। ଏହାପରେ ସେମାନେ ଧଳା ବସ୍ତ୍ର ପରିଧାନ କରିବେ ଏବଂ ମୁହଁରେ କପଡ଼ା ବାନ୍ଧି ନୀରବ ବ୍ରତ ପାଳନ କରିବେ। ସାଂସାରିକ ମୋହ ମାୟା ଛାଡ଼ି ସନ୍ନ୍ୟାସୀ ଜୀବନ ବିତାଇବେ।
ଯୁବ ଦମ୍ପତି ସୁମିତ ଓ ଅନାମିକା ଦୁହେଁ ବେଶ ଉଚ୍ଚ ଶିକ୍ଷିତ। ନୀମଚ ସହରରେ ସୁମିତଙ୍କର ପାରିବାରିକ ବ୍ୟବସାୟ ରହିଛି ଏବଂ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ସ୍ତ୍ରୀ ଅନାମିକା ଜଣେ ମେଧାବୀ ଇଞ୍ଜିନିୟର ଏବଂ ବିବାହ ପୂର୍ବରୁ ସେ ପ୍ରତିଷ୍ଠିତ ମାଇନିଂ କମ୍ପାନୀ ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡରେ କାର୍ଯ୍ୟ କରୁଥିଲେ।
ଅଚଳାଚଳ ସମ୍ପତ୍ତିର ମୋହ ତୁଟାଇ ଏବେ ଏହି ଦମ୍ପତି ସନ୍ୟାସ ବ୍ରତ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି, ୩ ବର୍ଷର ଝିଅ ଇଭ୍ୟା ଏବେ ବାପା-ମାଆଙ୍କ ସ୍ନେହ ଆଦର ଆଉ ପାଇବନି। ତାଙ୍କୁ ଏବେ ଅଜା-ଆଈଙ୍କ ପାଖରେ ରହିବାକୁ ପଡ଼ିବ। ଅନାମିକାଙ୍କ ବାପା ଅଶୋକ ଚାଣ୍ଡଲିୟ କହିଛନ୍ତି, ସେ ତାଙ୍କର ନାତୁଣୀକୁ ଲାଳନପାଳନ କରିବେ। ତାଙ୍କ ଝିଅ ସନ୍ନ୍ୟାସିନୀ ହେବାପାଇଁ ଯେଉଁ ନିଷ୍ପତ୍ତି ନେଇଛି, ଏହାକୁ ସେ ବିରୋଧ କରନ୍ତି ନାହିଁ।
ସେହିପରି ସୁମିତଙ୍କ ବାପା ରାଜେନ୍ଦ୍ର ସିଂହ ମଧ୍ୟ ପୁଅର ନିଷ୍ପତ୍ତିକୁ ସମ୍ମାନ ଜଣାଉଥିବା କହିଛନ୍ତି।
ସୁମିତ ଓ ଅନାମିକା ୪ ବର୍ଷ ତଳେ ବିବାହ କରିଥିଲେ। ଦୁଇଜଣ ସନ୍ନ୍ୟାସୀ ହେବା ପାଇଁ ମନସ୍ଥ କରିବା ପରେ ଏବେ ନୀରବ ବ୍ରତ ପାଳନ ଆରମ୍ଭ କରିଛନ୍ତି। ଦୀକ୍ଷା ନେବା ପରେ କ୍ରମେ ସେମାନଙ୍କୁ ସମସ୍ତ ପ୍ରକାର ପାରିବାରିକ ଓ ସଂସାରିକ ବନ୍ଧନ କାଟିବାକୁ ପଡ଼ିବ।
ସନ୍ନ୍ୟାସ ହେବା ନିଷ୍ପତ୍ତି ନେବା ପରେ ଗତ ମାସରେ ବିଧିବଦ୍ଧ ଘୋଷଣା କରିଥିଲେ ସୁମିତ। ଜୈନ ଧର୍ମ ଅନୁଯାୟୀ ଏଥିପାଇଁ ପତ୍ନୀଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ଯେତେବେଳେ ପତ୍ନୀ ଅନାମିକାଙ୍କୁ ସୁମିତ ଅନୁମତି ମାଗିଥିଲେ, ସେ ମଧ୍ୟ ସନ୍ନ୍ୟାସିନୀ ହେବାକୁ ମନ ବଳାଇଥିଲେ।
ତେବେ ସେମାନଙ୍କର ଜଣେ ସମ୍ପର୍କୀୟ ଭାଇ କହିଛନ୍ତି, ଯେତେବେଳେ ତାଙ୍କ ଝିଅକୁ ମାତ୍ର ୮ ମାସ ହୋଇଥିଲା, ଦୁଇ ଜଣ ସନ୍ନ୍ୟାସୀ ହେବା ପାଇଁ ସ୍ଥିର କରିଥିଲେ। ଝିଅ ଅତି ​‌ଛୋଟ ଥିବାରୁ ଘୋଷଣା କରିବା ବିଳମ୍ବ ହୋଇଥିଲା।
ପ୍ରଥମେ ଦୁଇଜଣଙ୍କ ପରିବାର ଏହି ନିଷ୍ପତ୍ତିର ବିରୋଧ କରିଥିଲେ, ହେଲେ ଯେତେବେଳେ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ଜିଦରୁ ହଟିନଥିଲେ, ପରିବାର ସମ୍ମତି ଦେବା ପାଇଁ ବାଧ୍ୟ ହୋଇଥିଲେ।
ସେପଟେ ସ୍ୱାମୀ-ସ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ଉପରେ କିନ୍ତୁ ଆପତ୍ତି ଉଠାଇଛି ଶିଶୁ ମଙ୍ଗଳ ବିଭାଗ। ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ୩ ବର୍ଷର ଝିଅ ‘ଇଭ୍ୟା’ର ଅଧିକାର ପାଇଁ ଆମେ ଏହି ଯୁବ ଦମ୍ପତିକୁ ସେମାନଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ଚାପ ପକାଇବୁ। ସେମାନେ ନିଜ ଦାୟିତ୍ଵକୁ ଛାଡ଼ି ଏପରି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ।

Tags: Sumit Rathore, Anamika, Jain couple, Jain Acharya, Ramlal Maharaj, Ashok Chandaliya, Rajendra Singh Rathore, Jain Religion, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

1 COMMENT

  1. Interesting. The subject may need a larger discussion. The rights of child also need to be taken care. This might become a subject for socio-cultural studies for many researchers.

LEAVE A REPLY

Please enter your comment!
Please enter your name here