ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ରେଡିଓ, ଟିଭି ଓ ସିନେମାରେ ବାଜୁଥିବା ଖରାପ ଗୀତ ପାଇଁ ଆମେ କାହାକୁ ଦାୟୀ କରିବା?
ବଲିଉଡ୍‌ର ବିଶିଷ୍ଟ ଗାୟକ କୁମାର ସାନୁଙ୍କ ପାଖରେ ଏହାର ଉତ୍ତର ଅଛି। ସାନୁଙ୍କ ମତରେ ଯଦି ଲୋକେ ଖରାପ ଗୀତ ଶୁଣିବା ପାଇଁ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି ଏଥିପାଇଁ କିଛି ପରିମାଣରେ ମିଡିଆ ବା ଗଣମାଧ୍ୟମ ଦାୟୀ।
ପିଟିଆଇ-ଭାଷାକୁ ଦେଇଥିବା ଏକ ସାକ୍ଷାତକାରରେ ସାନୁ କହିଲେ ଯେ ଯଦି ବିଭିନ୍ନ ଜାଗାରେ ଓ ବିଭିନ୍ନ ମାଧ୍ୟମରେ ଗୋଟିଏ ନିର୍ଦ୍ଦିଷ୍ଟ ଗୀତକୁ ଦିନରେ ୫୦୦ ଥର ବଜାଯାଏ ଏଥିରୁ ସ୍ପଷ୍ଟ ଯେ ଏହିଭଳି ଗୀତକୁ ହିଁ ଶୁଣିବା ପାଇଁ ଶ୍ରୋତା ପସନ୍ଦ କରିବେ। ତାଙ୍କ କହିବା କଥା ଯେ ଶ୍ରୋତାଙ୍କୁ ଯେଉଁଭଳି ଗୀତ ଶୁଣିବାକୁ ଦିଆଯିବ ସେହିଭଳି ଗୀତରେ ସେମାନଙ୍କର ପସନ୍ଦ ସୀମିତ ରହିବ।
ଭଲ ଗୀତ ଶୁଣିବାରେ ଓ ଶୁଣାଇବାରେ ମାଧ୍ୟମର ଏକ ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି। ‘‘ଯଦି ଶ୍ରୋତାମାନଙ୍କ ନିକଟରେ ଭଲ ଗୀତ ପରିବେଷଣ କରାଯାଏ ତ ସେମାନେ ନିଶ୍ଚିତରେ ଏହିଭଳି ଗୀତ ଶୁଣିବାକୁ ଚାହିଁବେ,’’ କହିଛନ୍ତି ସାନୁ। କଲିକତାରେ ତାଙ୍କର ନୂଆ ପୂଜା ଆଲବମ୍ ‘ଝିରିଝିରି ବ୍ରିଷ୍ଟିର’ ଲୋକାର୍ପଣ ଅବସରରେ ସେ ଏହିଭଳି ମନ୍ତବ୍ୟ ଦେଇଛନ୍ତି।
‘‘ଯଦି ଗୀତର ବୋଲ୍ ବା କବିତା ମହତ୍ତ୍ୱହୀନ ହୋଇପଡ଼ୁଛି, ଯଦି ଆମ ସଙ୍ଗୀତର ମଧୁର ମୂର୍ଚ୍ଛନା ନଷ୍ଟ ହେବାରେ ଲାଗିଛି ଏବଂ କେବଳ ଖରାପ ଗୀତ ହିଁ ବଜାରରେ ଚାଲିଛି ଏସବୁକୁ ଆମେ ହଟାଇପାରିବା ଯଦି ସମସ୍ତେ ଏକାଠି ହୋଇପାରିବା’’, କହିଛନ୍ତି ବିଗତ ଦିନର ବଲିଉଡ୍‍ ଗାୟକ।
ବଙ୍ଗଳା ଅଡ଼ିଓ ସିଡି ‘ଝିରିଝିରି ବ୍ରିଷ୍ଟି’ରେ ୮ଟି ଗୀତ ଅଛି ଓ ସବୁବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ଏହି ଆଲବମ୍‌କୁ ପ୍ରସ୍ତୁତ କରାଯାଇଛି।

Tags: Kumar Sanu, Ollywood, Ollywood Songs, Bengali Puja Album, Album, Bollywood, Bollywood Songs, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment