ଓଡ଼ିଶାଲାଇଭ୍‌ ବ୍ୟୁରୋ


ବିଜୁ ଜନତା ଦଳ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଛନ୍ତି। ସୋମବାର ରାତିରେ ସିବିଆଇ ପକ୍ଷରୁ ଗିରଫ କରାଯାଇଛି। ସିସୋର ଗ୍ରୁପର ଏକ ଜମି କାରବାରରେ ତାଙ୍କୁ ଗିରଫ କରାଯାଇଥିବା କଥା ସିବିଆଇ କହିଛି।

ଚୌଦ୍ୱାର-କଟକ ବିଧାୟକଙ୍କୁ ଗତବର୍ଷ ସିବିଆଇ ଚାରିଥର ଜେରା କରିଥିଲା। ସିସୋରର ଯାଜପୁରରେ ଥିବା ଜମିକୁ ବିକ୍ରି କରିଦେବା ପାଇଁ ସେ କମ୍ପାନିଠାରୁ ଅର୍ଥ ନେଇଥିଲେ। ଚୌଦ୍ୱାର ଓ ଜଗତପୁରରେ କମ୍ପାନିର ବ୍ୟବସାୟ ବଢାଇବା ପ୍ରତିଶ୍ରୁତି ଦେଇ ସେ ବିପୁଳ ପରିମାଣର ଅର୍ଥ ଆଦାୟ କରିଥିଲେ। ଶ୍ରୀ ବିଶ୍ୱାଳ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ପତ୍ନୀ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀ ବିଳାସିନୀଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା।

ରିମାଣ୍ଡରେ ଗଲେ ପ୍ରଭାତ
ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟ କିଛି ସମୟ ତଳେ ଶୁଣାଣି କରି ସିବିଆଇର ଆବେଦନକୁ ଗ୍ରହଣ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଗିରଫ କରିଥିଲା। ତାଙ୍କୁ ଆଜି ଅପରାହ୍‌ଣରେ ଭୁବନେଶ୍ୱର ସ୍ଥିତ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପ୍ରଭାତଙ୍କୁ ଜାମିନରେ ଯିବା ପାଇଁ ତାଙ୍କ ଓକିଲ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହା ଗ୍ରହଣ କରିନଥିଲେ। କୋର୍ଟ ସିବିଆଇର ଆବେଦନକୁ ଗ୍ରହଣ କରି ପ୍ରଭାତଙ୍କୁ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ନେବା ପାଇଁ ଅନୁମତି ଦେଇଛନ୍ତି।
ପ୍ରଭାତ ବିଶ୍ୱାଳଙ୍କର କଟକ ଏସସିବି ମେଡିକାଲରେ ଚିକିତ୍ସା ଚାଲିଥିବାରୁ ତାଙ୍କୁ ଜାମିନରେ ଯିବା ପାଇଁ ତାଙ୍କ ଓକିଲ କୋର୍ଟକୁ ନିବେଦନ କରିଥିଲେ। ତେବେ ଆବଶ୍ୟକ ଥିଲେ ତାଙ୍କର ଡାକ୍ତରୀ ଚିକିତ୍ସା କରାଯିବ ବୋଲି ସିବିଆଇ ଓକିଲଙ୍କୁ ପକ୍ଷରୁ ପାଲଟା ଯୁକ୍ତି କରାଯାଇଥିଲା।
ଆଜି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ କୋର୍ଟରେ ଶୁଣାଣି ଚାଲିଥିଲା। କୋର୍ଟ ବାହାରେ ପ୍ରଭାତଙ୍କ ସମର୍ଥକମାନଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା। ଜାମିନର ଶୁଣାଣି ବେଳେ ପ୍ରଭାତ ନିଜକୁ ନିର୍ଦ୍ଦୋଷ ବୋଲି କୋର୍ଟକୁ କହିଥିଲେ। ପ୍ରଭାତଙ୍କ ଓକିଲ କହିଥିଲେ ଯେ ଶ୍ରୀଯୁକ୍ତ ବିଶ୍ୱାଳ ଜଣେ ଜନପ୍ରତିନିଧି ଏବଂ ତାଙ୍କ ଅଞ୍ଚଳରେ ଅତ୍ୟନ୍ତ ଲୋକପ୍ରିୟ। ସିବିଆଇ ତାଙ୍କୁ ଏଭଳି ମାମଲାରେ ଅଯଥାରେ ଛନ୍ଦୁଛି ବୋଲି ସେ କୋର୍ଟକୁ ଜଣାଇଥିଲେ।
ଆଜି ସିବିଆଇ ପକ୍ଷରୁ ଯୁକ୍ତି କରାଯାଇଥିଲା ଚିଟ୍‌ଫଣ୍ଡ ଦୁର୍ନୀତି ଏକ ବଡ଼ ସ୍କାମ୍‌ ଏବଂ ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ମାମଲାକୁ ନେଇ ଓଡ଼ିଶା ବିଧାନସଭା ଏପରିକି ଲୋକସଭାରେ ପ୍ରସଙ୍ଗ ଉଠିଥିଲା। ସିସୋର ଚିଟ୍‌ଫଣ୍ଡ ଦୁର୍ନୀତିରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ସମ୍ପୃକ୍ତି ନେଇ ସିବିଆଇ ଜୋର୍ ଦେଇ ମାମଲା ଉପସ୍ଥାପନା କରିବା ସହ କୋର୍ଟକୁ ଜଣାଇଛି ଯେ ପ୍ରଭାତଙ୍କୁ ମଗାଯାଇଥିବା ବିଭିନ୍ନ ତଥ୍ୟ ଓ ପ୍ରମାଣ ସେ ଠିକ୍ ଭାବରେ ଉପସ୍ଥାପନ କରିପାରିନାହାନ୍ତି। କେବଳ ସେତିକି ନୁହେଁ ପ୍ରଭାତ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥାକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି।
ପ୍ରଭାତଙ୍କୁ ହେପାଜତକୁ ନେଇ ସିବିଆଇ ଏହି ୫ ଦିନ ମଧ୍ୟରେ ତାଙ୍କଠାରୁ କିଛି ନୂଆ ତଥ୍ୟ ବାହାର କରିବାକୁ ଚେଷ୍ଟା କରିବ। କେବଳ ସେତିକି ନୁହେଁ ସେହି ଖିଅରୁ ସିବିଆଇ ତଦନ୍ତକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ପ୍ରଭାତ ନିଜକୁ ନିର୍ଦ୍ଦୋଷ ବୋଲି କିଭଳି ପ୍ରମାଣ କରିବେ ତାହା ହିଁ ତାଙ୍କ ପାଇଁ ତଥା ତାଙ୍କ ଦଳ ବିଜେଡି ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ।

 

Tags: Chit fund Scam, Seashore Group, CBI, BJD, Choudwar-Cuttack MLA, Pravat Biswal, Seashore Group, Ponzi scam, MLA Pravat Tripathy, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories