ଓଡିଶାଲାଇଭ୍ ବ୍ୟୁରୋ

ବିଧାୟକ ପ୍ରଭାତ ବିଶ୍ବାଳଙ୍କ ଗିରଫ ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଯେଉଁଥିପାଇଁ ଦଳ ଏବେ ପ୍ରଭାତଙ୍କ ସପକ୍ଷରେ ରାଜରାସ୍ତାକୁ ଓହ୍ଲାଇ ଆସିଛି। ସିବିଆଇ ଅଫିସ୍ ଆଗରେ ଶକ୍ତି ପ୍ରଦର୍ଶନ କରିଛି। ଗିରଫଦାରୀକୁ ବିରୋଧ କରି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍ କରିଛି। ମଙ୍ଗଳବାର ଗିରଫ ହେବା ପରେ ପ୍ରଭାତଙ୍କ ସମର୍ଥକମାନେ ସିବିଆଇ ଅଫିସ ସମ୍ମୁଖରେ ଭିଡ ଜମାଇଥିଲେ। ହେଲେ ବୁଧବାର ଦଳ ଖୋଲାଖୋଲି ବିରୋଧ କରିଛି। ଫଳରେ ସିବିଆଇ ଅଫିସ ସମ୍ମୁଖରେ ପୋଲିସ ୧୪୪ ଧାରା ଜାରି କରିଛି।
ପ୍ରଭାତ ବିଶ୍ବାଳଙ୍କୁ ସିବିଆଇ କୋର୍ଟରେ ହାଜର କରିବା ପରେ ଅଧିକ ଜେରା ପାଇଁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି। ଦ୍ବିତୀୟ ଦିନରେ ସିବିଆଇ ପ୍ରଭାତଙ୍କୁ ମାରାଥନ୍ ଜେରା କରୁଥିବା ବେଳେ କଟକରୁ ଶତାଧିକ ଯୁବ, ଛାତ୍ର ସମର୍ଥକମାନେ ବାଇକ୍ ରାଲିରେ ଆସି ସିବିଆଇ ଅଫିସ୍ ସମ୍ମୁଖରେ ଏକାଠି ହୋଇଥିଲେ।
ଖାଲି ଛାତ୍ର କି ଯୁବନେତା ନୁହନ୍ତି,  କଟକ ଜିଲ୍ଲା ବିଜେଡିର ବହୁ ନେତା ଆସି ସିବିଆଇ ଅଫିସ ଆଗରେ ନାରାବାଜି କରିଛନ୍ତି। ଏଥିରେ ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ସମେତ, କଟକ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ବହୁ କର୍ପୋରେଟର ଏବଂ ବରିଷ୍ଠ ନେତାମାନେ ଆସି ପ୍ରଭାତଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ପ୍ରଭାତ ବିଶ୍ବାଳଙ୍କ ରାତି ଅଧିଆ ଗିରଫଦାରୀକୁ ଗ୍ରହଣ କରି ନ ପାରି ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ସମ୍ମୁଖରେ ଆସି ପ୍ରତିବାଦ କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଯାହା କରାଯିବା କଥା ତାହା କରାଯାଇଛି। ତେବେ ସିବିଆଇ ତାହାର ତଦନ୍ତ ଠିକ୍ ଭାବେ କରୁନାହିଁ।”
ପ୍ରଭାତଙ୍କ ଗିରଫ ପରେ ମଙ୍ଗଳବାର ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଭାତଙ୍କୁ ସମର୍ଥନ କରିଥିଲା ଦଳ। କେନ୍ଦ୍ର ସରକାରଙ୍କ କଳ, ବଳ, ଛଳ ବିରୋଧରେ ଲଢ଼େଇ କରିବାକୁ ଆହ୍ବାନ ଦେବା ପରେ ବୁଧବାର ପୂରା କଟକ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆସିଛି।
ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭଳି ବିଜେଡି ପ୍ରଥମ ଥର ପାଇଁ ସିବିଆଇ ଅଫିସ୍ ସମ୍ମୁଖରେ ପ୍ରତିବାଦ କରିଥିବା ମନେ କରାଯାଉଛି। ରୋଜଭ୍ୟାଲି ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବା ଅଭିଯୋଗରେ ଟିଏମ୍‌ସି ନେତା ତଥା ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିବା ପରେ ଦଳ ଭୁବନେଶ୍ବରଠାରେ ଶକ୍ତି ପ୍ରଦର୍ଶନ କରିଥିଲା। ଏବେ ସେହି ରାସ୍ତାରେ ବିଜେଡି ପାଦ ଦେଇଥିବାରୁ ଦଳକୁ କେତେ ପଲିଟିକାଲ ମାଇଲେଜ ମିଳୁଛି ତାହା ଅପେକ୍ଷା କରି ଦେଖିବାର କଥା।
ବିଜେପି ମୁଖପାତ୍ର ସଜ୍ଜନ ଶର୍ମ କହିଛନ୍ତି, “ପ୍ରଭାତ ବିଶ୍ବାଳଙ୍କ ଗିରଫଦାରୀକୁ ନେଇ ବିଜେଡି ଯେଉଁ ରାଜନୀତି କରୁଛି ତାହା ତୁଚ୍ଛା ଆସ୍ଫାଳନ। ସିବିଆଇ ଠୋସ୍ ପ୍ରମାଣ ପାଇଛି ବୋଲି ପ୍ରଭାତବାବୁଙ୍କୁ ଗିରଫ କରିଛି। ଯଦି ଏଥିରେ କିଛି ଭୁଲ୍ ଅଛି ତାହାଲେ ବିଜେଡି ସିବିଆଇ ବିରୋଧରେ କୋର୍ଟକୁ ଯାଉ।”
(ପ୍ରସ୍ତୁତି: ସରୋଜ ମହାପାତ୍ର)

Comment