କପିଳାସ ଭୂୟାଁ
ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଆଦିବାସୀ ଗାଁଗୁଡ଼ିକରେ ଗଞ୍ଜା ଲଢେଇ ଏକ ସାଧାରଣ ଦୃଶ୍ୟ। ହାଣ୍ଡିଆ, ରସି କି ମହୁଲି ପିଇ ମତୁଆଲା ଆଦିବାସୀମାନେ ଗଞ୍ଜା ଗୋଡ଼ରେ ଖୁର ବାନ୍ଧି ଲଢେଇ କରାନ୍ତି। ଦୁଇଟି ଗଞ୍ଜାଙ୍କ ଏହି ଲଢେଇରେ ଆକ୍ରମଣ ପ୍ରତି-ଆକ୍ରମଣ ଆଦିବାସୀମାନଙ୍କ ମନୋରଞ୍ଜନ କରିଥାଏ।
ଲଢେଇପ୍ରବଣ ଏହି ଦେଶୀ କୁକୁଡ଼ା ଓ ଗଞ୍ଜାଙ୍କୁ ‘ହାଁସଲି’ କୁହାଯାଏ। ଏହା ମୂଳତଃ ଓଡ଼ିଶାର ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଦେଖାଯା’ନ୍ତି। ମକରସଂକ୍ରାନ୍ତି ଉତ୍ସବ ପାଳନ କଲାବେଳେ ଭଲ ଲଢୁଆ ଗଞ୍ଜା ଗୋଟିକର ଦାମ୍ ପ୍ରାୟ ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଲଢେଇରେ ହାରି ଯାଉଥିବା ଗଞ୍ଜାକୁ ଲୋକେ ଭୋଜିକରି ଖାଆନ୍ତି।
ଏହି ‘ହାଁସିଲି’ କୁକୁଡ଼ାକୁ ଏବେ ଜାତୀୟ ସ୍ତରରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏମ୍ଆର୍) ଅନ୍ତର୍ଗତ ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ୍ ବା ଏନ୍ବିଏଜିଆର୍ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ଯେ, ପୂର୍ବରୁ ଆମ ଦେଶର ବିଭିନ୍ନ ରାଜ୍ୟର ସମୁଦାୟ ୧୭ଟି କୁକୁଡ଼ା ପ୍ରଜାତି ଜାତୀୟ ମାନ୍ୟତାପ୍ରାପ୍ତ ଥିଲେ। ତାହା ସହ ‘ହାଁସିଲି’କୁ ମିଶାଇବା ଦ୍ୱାରା ଦେଶର କୁକୁଡ଼ା ପ୍ରଜାତି ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।
‘ହାଁସିଲି’ କୁକୁଡ଼ାକୁ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀମାନେ ବହୁଳ ଭାବେ ପାଳନ କରନ୍ତି। କଳା ମାଟିଆସିଆ ମିଶା ବଡ଼ ଡେଣା ଓ ବହୁତ ପକ୍ଷୀ ଥିବା ଏହି କୁକୁଡ଼ା ଦେଖିବାକୁ ଡେଙ୍ଗା, ପତଳା ଏବଂ ଆକର୍ଷଣୀୟ।
ଗୋଟିଏ ‘ହାଁସିଲି’ କୁକୁଡ଼ା ବର୍ଷକୁ ହାରାହାରି ୬୭ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ ଓ ପ୍ରତି ଅଣ୍ଡାର ଓଜନ ପ୍ରାୟ ୪୬ ଗ୍ରାମ୍। ସମ୍ପୂର୍ଣ୍ଣ ବୃଦ୍ଧି ପାଇସାରିଥିବା ମାଈ କୁକୁଡ଼ା ଓ ଗଞ୍ଜାର ହାରାହାରି ଓଜନ ଯଥାକ୍ରମେ ୨.୫ କି.ଗ୍ରା. ଓ ୩.୮ କି.ଗ୍ରା.। ପ୍ରତି କୁକୁଡ଼ାର ପର ଛଡ଼ାଇ ପେଟ ସଫା କରିଦେବା ପରେ ପ୍ରାୟ ୮୦ ଭାଗ ମାଂସ ମିଳିଥାଏ। ତେଣୁ ‘ହାଁସିଲି’ କୁକୁଡ଼ାରୁ ଅନ୍ୟ ପ୍ରଜାତି କୁକୁଡ଼ା ଅପେକ୍ଷା ଅଧିକ ଆହାରଯୁକ୍ତ ମାଂସ ମିଳେ।
‘ହାଁସିଲି’ କୁକୁଡ଼ା ଓଡ଼ିଶାରେ ବେଶ୍ ଜଣାଶୁଣା ହୋଇଥିଲେ ବି ପୂର୍ବରୁ ଏହା ଉପରେ କୌଣସି ଗବେଷଣା ହୋଇନଥିଲା। ଏକ ସର୍ବଭାରତୀୟ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୪ ବର୍ଷ ପୂର୍ବେ ଓୟୁଏଟିର କୁକ୍କୁଟ ବିଜ୍ଞାନ ବିଭାଗରେ ତତ୍କାଳୀନ ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରସନ୍ନ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ପ୍ରଥମେ ଗବେଷଣା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିଭାଗର ବୈଜ୍ଞାନିକମାନେ ଏହି ଗବେଷଣାକୁ ଏକ ନିର୍ଣ୍ଣାୟକ ସ୍ତରକୁ ନେଇଥିଲେ| ପରେ ‘ହାଁସିଲି’ କୁକୁଡ଼ାକୁ ଏକ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ଦେବା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦ ନିକଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା| ଏହାକୁ ଆଧାରକରି ସେପ୍ଟେମ୍ବର ୧୨ ତାରିଖରେ ‘ହାଁସିଲି’ କୁକୁଡ଼ାକୁ ଦେଶର ଏକ ସ୍ୱତନ୍ତ୍ର ପ୍ରଜାତି ରୂପେ ଏନ୍ବିଏଜିଏ ପକ୍ଷରୁ ମାନ୍ୟତା ଦିଆଗଲା।
“‘ହାଁସିଲି’ ଓଡ଼ିଶାର ପ୍ରଥମ ଦେଶୀ କୁକୁଡ଼ା ଜାତି, ଯାହାକୁ ଜାତୀୟ ସ୍ତରରେ ପ୍ରଜାତିର ମାନ୍ୟତା ମିଳିଲା। ଏହା ଆମ ରାଜ୍ୟ ପାଇଁ ଅତି ଖୁସିର କଥା। ଏହାଛଡ଼ା ଏହି କୁକୁଡ଼ାର ଗବେଷଣା ସହ ବ୍ୟକ୍ତିଗତ ଭାବେ ମୁଁ ସମ୍ପୃକ୍ତ ଥିବାରୁ, ଏହି ଜାତୀୟ ମାନ୍ୟତାପ୍ରାପ୍ତି ମୋତେ ମଧ୍ୟ ବିଶେଷ ଭାବେ ଆନନ୍ଦିତ କରିଛି”, କହନ୍ତି ଡାକ୍ତର ପ୍ରସନ୍ନ କୁମାର ମିଶ୍ର।
ସମ୍ପ୍ରତି ‘ହାଁସିଲି’ ଗଞ୍ଜାକୁ ସିନ୍ଥେଟିକ୍ ଲାଇନ୍ କୁକୁଡ଼ା ସହ ‘ମେଟିଂ’ କରାଇ ଏହି ପ୍ରଜାତିର କୁକୁଡ଼ାଙ୍କ ସଂଖ୍ୟା ବଢାଇବା ସହ ଚାଷୀମାନଙ୍କୁ ଏହି କୁକୁଡ଼ା ପାଳନ କରିବା ନିମନ୍ତେ ଉତ୍ସାହିତ କରିବାକୁ ପଦକ୍ଷେପ ନିଆଗଲାଣି। ଖୁବ୍ ଶୀଘ୍ର ଏହାର ବ୍ୟାବସାୟିକ ସଫଳତା ମଧ୍ୟ ହାସଲ କରିବାର ଆଶା କରାଯାଉଛି। ଏ ଦିଗରେ ପ୍ରଥମ ପଦକ୍ଷେପ ରୂପେ ଓୟୁଏଟି ଗବେଷଣା ଫାର୍ମରେ ବର୍ତ୍ତମାନ ‘ହାଁସିଲି’ କୁକୁଡ଼ା ଚିଆଁ ବିକ୍ରି ପାଇଁ ଉପଲବ୍ଧ ହେଉଛି।
‘ହାଁସିଲି’ କୁକୁଡ଼ାକୁ ପ୍ରଜାତି ମାନ୍ୟତା ମିଳିବା ଦ୍ୱାରା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏହା ଉପରେ ଅଧିକ ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହୋଇପାରିଛି।
“ହାଁସିଲି’ କୁକୁଡ଼ା ପ୍ରଜାତିକୁ ସଂରକ୍ଷଣ ଓ ଉପଯୋଗକରି ଏକ ଉନ୍ନତ ଓ ଅଧିକ ଉତ୍ପାଦନକ୍ଷମ କୁକୁଡ଼ା ପ୍ରଜାତିର ବିକାଶ ପାଇଁ ବର୍ତ୍ତମାନ ଗବେଷଣା ଜାରିରହିଛି”, କହନ୍ତି ବର୍ତ୍ତମାନର ଓୟୁଏଟି କୁକ୍କୁଟ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ନୃସିଂହ ଚରଣ ବେହୁରା। ହାଁସିଲି କୁକୁଡ଼ାକୁ ଦେଶର ଏକ ସ୍ୱତନ୍ତ୍ର ପ୍ରଜାତି ରୂପେ ମାନ୍ୟତା ପ୍ରଦାନ କ୍ଷେତ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁକ୍କୁଟ ବିଜ୍ଞାନ ବିଭାଗର ଭୂମିକା ପ୍ରଶଂସନୀୟ|
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)