ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁରକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେଷରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରି ‘ଅନୁକମ୍ପା’ କାର୍ଡ ଖେଳିଛନ୍ତି ନବୀନ। ହେଲେ ଏହି ଅନୁକମ୍ପା କାର୍ଡ ବିଜେପୁରରେ କେତେଦୂର ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ‘ମିଶନ ବିଜେପୁର’କୁ ଆଜି ଆଉ ଗୋଟିଏ ପାଦ ଆଗକୁ ନେଇଛନ୍ତି। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନବୀନ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ‘ରୀତା ସାହୁ’ଙ୍କ ନାମ ବିଜେପୁର ପାଇଁ ଘୋଷଣା କରିଛନ୍ତି।  ରୀତା ହିଁ ବିଜେଡି ପ୍ରାର୍ଥୀ ବୋଲି ଆଜି ସ୍ପଷ୍ଟ ହୋଇଯାଇଛି।
ନବୀନ ପଟ୍ଟନାୟକ ବିଜେପୁରରେ ରୀତା ସାହୁଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରି ‘ଅନୁକମ୍ପା’ କାର୍ଡ ଖେଳିଛନ୍ତି। ତେବେ ତାଙ୍କ କାର୍ଡକୁ ବିଜେପୁରର ବିଜେଡି କର୍ମୀମାନେ କେମିତି ଖେଳୁଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି।
ବିଜେପୁର ନିର୍ବାଚନମଣ୍ଡଳୀରେ ସବୁବଳେ କଂଗ୍ରେସ ଏବଂ ଅନ୍ୟ ପାର୍ଟିର ପ୍ରାର୍ଥୀଙ୍କ ରାଜୁତି ଚାଲିଆସିଛି। କେବଳ ୧୯୯୦ ନିର୍ବାଚନ, ୧୯୯୧ ଉପ ନିର୍ବାଚନ ଏବଂ ୨୦୦୦ ମସିହା ନିର୍ବାଚନ ଛଡା ଏଠାରେ ଅଣ-କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହୋଇପାରି ନାହାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ବିଜେପୁର ହେଉଛି କଂଗ୍ରେସର ଗଡ଼। କାରଣ ୧୯୬୧ରୁ ୨୦୧୪ ପର୍ଯ୍ୟନ୍ତ ଯଦି ବିଜେପୁରର ତାଲିକା ଦେଖିବା ତାହାଲେ ଏଠାରେ ଅଧିକାଂଶ ସମୟ କଂଗ୍ରେସ ସଭ୍ୟ ରାଜୁତି କରିଥିବା ଜଣାପଡ଼ୁଛି। ତେବେ ଆଗାମୀ ଉପ-ନିର୍ବାଚନରେ କଂଗ୍ରେସ ଗଡ଼କୁ ଭାଙ୍ଗିବା ଲାଗି ବିଜେଡ଼ି ରଣନୀତି ପ୍ରସ୍ତୁତ କରିଛି।
କଂଗ୍ରେସରୁ ସୁବଳ ସାହୁଙ୍କ ପରିବାରକୁ ବିଜେଡିରେ ସାମିଲ କରି ଦଳ ବିଜେପୁର ଦଖଲ ଅଭିଯାନରେ ବାହାରିଛି। ହେଲେ ଦଳର ହାର ଜିତ୍‌ ବିଜେପୁରର ତୃଣମୂଳ କର୍ମୀଙ୍କ ଉପରେ ନିର୍ଭର କରୁଛି। କର୍ମୀ ଚାହିଁଲେ କଂଗ୍ରେସରୁ ବିଜେଡିକୁ ଆସିଥିବା ରୀତା ସାହୁ ବିଜୟୀ ହୋଇପାରିବେ ବୋଲି ଆଲୋଚନା ହେଉଛି।
ସୁବଳ ସାହୁଙ୍କ ପରିବାର ବିଜେଡିରେ ସାମିଲ ହେବା ପୂର୍ବରୁ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ରହିଥିଲା। ସମ୍ବଲପୁରୀ ବସ୍ତ୍ରାଳୟ ସଂଘ ସଭାପତି ପ୍ରଭାତ ଆଦିତ୍ୟ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଆଚାର୍ଯ୍ୟଙ୍କ ଭିତରୁ ଜଣେ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚାକୁ ଭୁଲ୍ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
କଂଗ୍ରେସର ଦୁର୍ଗ ଭାଙ୍ଗିବା ପାଇଁ ଏବଂ ବିଜେପିକୁ ଜବାବ ଦେବା ଲାଗି ବିଜେଡି ଅନୁକମ୍ପା କାର୍ଡ ଖେଳିଛି। କୁହାଯାଉଛି ସୁବଳ ସାହୁଙ୍କ ସମର୍ଥକ ଏବଂ କଂଗ୍ରେସର କିଛି ପାରମ୍ପରିକ ଭୋଟ ହାତେଇ ବିଜେଡି ନିର୍ବାଚନ ବୈତରଣୀ ପାର୍ ହେବ।
ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,”ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ। ଆମ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେବେ। ଏହାକୁ କେହି ରୋକିପାରିବେ ନାହିଁ।”
ଶ୍ରୀ ଆଚାର୍ଯ୍ୟଙ୍କ ବିବୃତି ପୂର୍ବରୁ ପ୍ରଭାତ ଆଦିତ୍ୟ ମିଶ୍ର ଏକ ଅଘୋଷିତ କର୍ମୀ ସମ୍ମିଳନୀ କରିଥିଲେ, ଯେଉଁଥିରେ ବରଗଡ ଜିଲ୍ଲାର ବହୁ କର୍ମୀ ଯୋଗ ଦେଇଥିଲେ। ଏହି କର୍ମୀ ସମ୍ମିଳନୀ ରୀତାଙ୍କ ପାଇଁ ବୁମେରାଂ ସାଜିପାରେ ବୋଲି ଚର୍ଚ୍ଚା ହେଉଛି।
ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,”ଦଳରେ ଅସନ୍ତୋଷ ନାହିଁ, ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ସାଙ୍ଗରେ ନେଇ ଦଳ ଆଗକୁ ବଢ଼ିବ।”
ପ୍ରକୃତରେ ଅସନ୍ତୋଷ କମୁଛି ନା ବଢ଼ୁଛି ତାହା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣାପଡିବ। କାରଣ ନବୀନଙ୍କ ଲୋକପ୍ରିୟତା ହାୱା ସାରା ରାଜ୍ୟରେ ପ୍ରବାହିତ ହେଉଥିବା ବେଳେ ବିଜେପୁରରେ ବ୍ୟତିକ୍ରମ ଦେଖାଦେଇଥିଲା। କେବଳ ୨୦୦୦ରେ ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ଛାଡ଼ିଦେଲେ ବିଜେଡିର କୌଣସି ପ୍ରାର୍ଥୀ ଏଠାରେ ବିଜୟୀ ହୋଇପାରି ନାହାନ୍ତି। ଏଣୁ ବିଜେଡିର ‘ଅନୁକମ୍ପା’ କାର୍ଡ ଉପରେ ରାଜନୀତି ପର୍ଯ୍ୟବେକ୍ଷକ ସନ୍ଦେହ ପ୍ରକାଶ କରିଛନ୍ତି।

Comment