ଓଡିଶାଲାଇଭ୍ ବ୍ୟୁରୋ

ଦୁଇ ଦଶନ୍ଧି ହେଲା କଂଗ୍ରେସର କୌଣସି ନେତା ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସି ନାହାନ୍ତି। ରାହୁଲ ଗାନ୍ଧି ହେଉଛନ୍ତି ପ୍ରଥମ କଂଗ୍ରେସ ନେତା, ଯିଏକି ଦୁଇ ଦଶନ୍ଧି ପରେ ୩ ଦିନିଆ ଗୁଜୁରାଟ ଗସ୍ତରେ ଆସିଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ହେଉଛି ରାହୁଲଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏଣୁ ରାହୁଲ ଗୁଜୁରାଟରେ ନିଆରା ଶୈଳୀରେ ଲୋକଙ୍କ ସହ ମିଶିଛନ୍ତି।

ନୂଆଦିଲ୍ଲୀରେ ବିଜେପି ୨୦୧୯ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ ରଣହୁଙ୍କାର ଦେଇଛନ୍ତି। ସୋମବାରଠାରୁ ରାହୁଲ ୩ ଦିନିଆ ଗୁଜୁରାଟ ଗସ୍ତରେ ଯାଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବାରୁ କଂଗ୍ରେସ ଯୁବରାଜ ଗୁଜୁରାଟରେ ନିଆରା ଢ଼ଙ୍ଗରେ ଲୋକଙ୍କ ସହ ମିଶିଛନ୍ତି।
ରାହୁଲ ଗୁଜୁରାଟର ଦ୍ବରକା ମନ୍ଦିରରୁ ତାଙ୍କ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଏକ ବସ୍‌ରେ ଜାମନଗର ଅଭିମୁଖେ ବାହାରିଥିଲେ। ବସ୍‌ରେ ଯିବା ବେଳେ ରାହୁଲ ବାଟ ସାରା ଅଟକି ସାଧାରଣ ଲୋକ ଏବଂ କୃଷକମାନଙ୍କ ସହ ଆଲୋଚନା କରିଥିଲେ। ଛୋଟ ପିଲାଙ୍କ ସହ ମିଶିଛନ୍ତି।
ରାହୁଲଙ୍କ ଗୁଜୁରାଟ ଗସ୍ତର ମୁଖ୍ୟ ଆକର୍ଷଣ ହେଉଛି ଶଗଡ଼ ଗାଡ଼ି। ଦ୍ୱାରକାଠାରୁ ୨୫ କି.ମି ଦୂର ହଞ୍ଜରାପାର୍‌ ଗାଁରେ କଂଗ୍ରେସ ଉପାଧ୍ୟକ୍ଷ ଶଗଡ଼ରେ ବସି ବୁଲିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ରାହୁଲ ମଙ୍ଗଳବାର ସୌରାଷ୍ଟ୍ର ଅଭିମୁଖେ ଯାଇ ‘ଚା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି। ଏହି ଅବସରରେ ସେ ମୋଦି ସରକାରଙ୍କ ଉପରେ ଜିଏସ୍‌ଟି, ବେରୋଜଗାରୀ ଏବଂ କଳାଧନ ପ୍ରସଙ୍ଗରେ ବର୍ଷିଛନ୍ତି। କହିଛନ୍ତି, ମୋଦି ଯୁବକଙ୍କୁ ରୋଜଗାର ଦେବାରେ ସମର୍ଥ ହୋଇନାହାନ୍ତି। ଦେଶରେ ଏବେ ବି ଲକ୍ଷାଧିକ ଯୁବକ ରୋଜଗାର ପାଇ ନାହାନ୍ତି। ନୋଟ ବନ୍ଦୀ ଯୋଗୁଁ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଛି।
କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର କିଛି ବି ପଦକ୍ଷେପ ନେଇ ନାହାନ୍ତି। ଚାଷୀ ଉତ୍ପାଦିତ ଫସଲର ମୂଲ୍ୟ ପାଉନି। ଯଦି ଗୁଜୁରାଟରେ କଂଗ୍ରେସ ସରକାର ଆସେ ତାହାଲେ ଚାଷୀ, ଗରିବ ଓ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯିବ। ଆମ ସରକାର ହେବ ଚାଷୀ-ଗରିବ-ଯୁବକଙ୍କ ସରକାର ବୋଲି ରାହୁଲ କହିଛନ୍ତି।
ଗତ ଦୁଇ ଦଶନ୍ଧି ହେଲା କଂଗ୍ରେସର କୌଣସି ନେତା ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସିନାହାନ୍ତି। ରାହୁଲ ହେଉଛନ୍ତି ପ୍ରଥମ କଂଗ୍ରେସ ନେତା, ଯିଏ କି ଦୁଇ ଦଶନ୍ଧି ପରେ ୩ ଦିନିଆ ଗୁଜୁରାଟ ଗସ୍ତରେ ଆସି ସାଧାରଣ ଲୋକଙ୍କ ସହ ମିଶିଛନ୍ତି। କାରଣ ଗୁଜୁରାଟକୁ କିଛିବର୍ଷ ହେଲା ବିଜେପି କବ୍‌ଜା କରି ନେଇଛି। ଏଠାରେ ଚାହିଁଲେ ବି କଂଗ୍ରେସ କ୍ଷମତାକୁ ଆସି ପାରୁନି। ହେଲେ ୨୦୧୪ ନିର୍ବାଚନ ପରେ ସବୁକିଛି ଓଲଟପାଲଟ ହୋଇଯାଇଛି। କଂଗ୍ରେସ ସମଗ୍ର ଦେଶରୁ ମୂଳପୋଛ ହୋଇଯାଇଛି। ଏଣୁ ରାହୁଲ ମୋଦିଙ୍କ ଗଡ଼ ଗୁଜୁରାଟରୁ ଅଭିନବ ଶୈଳୀରେ ତାଙ୍କ କ୍ୟାମ୍ପେନ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here