ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମିରଙ୍କ ପରବର୍ତ୍ତୀ ସିନେମା ‘ସିକ୍ରେଟ ସୁପରଷ୍ଟାର’ର ଆଉ ଏକ ଗୀତ ରିଲିଜ ହୋଇଛି। ଏହି ନୁଆ ଗୀତ ‘ଆଇ ୱିଲ ମିସ୍ ୟୁ’କୁ ସୋସିଆଲ ମିଡିଆରେ ସେୟାର କରି ଭାବୁକ ହୋଇଉଠିଛନ୍ତି ୫୨ ବର୍ଷୀୟ ଆମିର ଖାନ୍।
ଆମିର କହିଛନ୍ତି, ଏହି ଗୀତ ମାଧ୍ୟମରେ ଯୁବ କଳାକାର ତୀର୍ଥ ଶର୍ମାଙ୍କୁ ଦର୍ଶକଙ୍କ ସାମନାକୁ ଅଣାଯାଇଛି। ‘ଆଇ ୱିଲ ମିସ୍ ୟୁ’ ଗୀତରେ ଜାଇରା ୱାସିମ ଓ ତୀର୍ଥ ଶର୍ମାଙ୍କ ସ୍କୁଲ ବେଳର ପ୍ରେମ ବର୍ଣ୍ଣନା କରାଯାଇଛି। ବରୋଦାର ତୀର୍ଥ ଏହି ଗୀତ ଜରିଆରେ ସିନେମାରେ ପଦାର୍ପଣ କରିଛନ୍ତି।
ଆମିରଙ୍କୁ ଏହି ନୂଆ ଗୀତ ଅତ୍ୟନ୍ତ ଭାବପ୍ରବଣତା କରିଦେଇଛି। ସେ କହିଛନ୍ତି, ଜାଇରା ୱାସିମ ଓ ତୀର୍ଥ ଶର୍ମାଙ୍କ ଅଭିନୟ ମୋତେ ମୋ ସ୍କୁଲ ସମୟକୁ ନେଇଗଲା ଏବଂ ମୋର ପ୍ରଥମ ପ୍ରେମ ମନେ ପଡିଗଲା। ଅବଶ୍ୟ ନିଜର ପ୍ରଥମ ପ୍ରେମ ବିଷୟରେ ଅଧିକ କିଛି ଖୋଲି କହିନାହାନ୍ତି ଆମିର। ତେବେ ଏହି ଗୀତ ତାଙ୍କ ତରଫରୁ ଦେଶବାସୀଙ୍କୁ ନବରାତ୍ରି ଉତ୍ସବ ଭେଟି ବୋଲି ସେ କହିଛନ୍ତି।
‘ଆଇ ୱିଲ ମିସ୍ ୟୁ’ ହେଉଛି ‘ସିକ୍ରେଟ ସୁପରଷ୍ଟାର’ର ରିଲିଜ ହୋଇଥିବା ଚତୁର୍ଥ ଗୀତ। ଏହାକୁ କୁଶଲ ଚୋକ୍ସି ଗାଇଥିବା ବେଳେ ଲେଖିଛନ୍ତି କୌସର ମୁନିର ଏବଂ ଏହାର କମ୍ପୋଜର ରହିଛନ୍ତି ଅମିତ ତ୍ରିବେଦୀ।
ଗତ ଅଗଷ୍ଟ ମାସରେ ‘ସିକ୍ରେଟ ସୁପରଷ୍ଟାର’ର ପ୍ରଥମ ଗୀତ ‘ମେଁ କୌନ ହୁଁ’ ଏବଂ ଦ୍ୱିତୀୟ ଗୀତ ‘ମେରି ପ୍ୟାରୀ ଅମ୍ମି’ ରିଲିଜ ହୋଇଥିଲା। ସେହିପରି ସେପ୍ଟେମ୍ବରରେ ‘ସପନେ ରେ’ ଏବଂ ‘ଆଇ ୱିଲ ମିସ୍ ୟୁ’ ରିଲିଜ କରାଯାଇଛି।
ଅଦ୍ଵେତ ଚନ୍ଦନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ରେ ଆମିର ଖାନ ଅଭିନୟ କରୁଥିବା ସହ ମ୍ୟୁଜିକ୍ ପ୍ରଡ୍ୟୁସର ଭାବେ କାମ କରୁଛନ୍ତି। ଆସନ୍ତା ଅକ୍ଟୋବର ୧୯ ତାରିଖ ଦିନ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଆମିରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ମଧ୍ୟ ତାଙ୍କର ପୂର୍ବ ଫିଲ୍ମ ଭଳି ସଫଳତା ପାଇବ ବୋଲି ଆଶା କରାଯାଉଛି।

Comment