ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ବିତୀୟ ସହର ଯେଉଁଠି ଏତେ ଆଡମ୍ବର ସହକାରେ ଦୂର୍ଗା ପୂଜା ପାଳିତ ହୋଇଥାଏ।
ଇତିହାସ କହୁଛି, ୧୮୩୨ ସାଲରେ ପ୍ରଥମେ କଟକରେ ସାର୍ବଜନୀନ ଦୂର୍ଗା ପୂଜା ପାଳନ କରାଯାଇଥିଲା।ଏହି ପୂଜା ଅନୁଷ୍ଠିତ ହୋଇଥିଲା କାଜି ବଜ଼ାର ଅଂଚଳରେ। ଉଭୟ ବଙ୍ଗାଳୀ ଓ ଓଡ଼ିଆମାନେ ଏକାଠି ହୋଇ ଏହି ପ୍ରଥା ଆରମ୍ଭ କରିଥିଲେ। ଏ ସମସ୍ତେ ଥିଲେ ଇଷ୍ଟ ଇଣ୍ଡିଆ କମ୍ପାନିର କର୍ମଚାରୀ। ପ୍ରଥମ ଥର ପାଇଁ ଦଶହରା ପର୍ବ ପାଳିତ ହେଉଥିବା କାରଣରୁ ସମସ୍ତଙ୍କ ମନରେ ଆନନ୍ଦ ପରିଲକ୍ଷିତ ହୋଇଥିଲା। ତେବେ ଉଭୟ ସମ୍ପ୍ରଦାୟ ମଧ୍ୟରେ ବିବାଦ ଓ ମତପାର୍ଥକ୍ୟ ଯୋଗୁଁ  ଓଡ଼ିଆମାନେ ନିଜ ଉଦ୍ୟମରେ ପୂଜା କରିବା ପାଇଁ ନିଷ୍ପତ୍ତି ନେଲେ।
କଟକ ଦଶହରାର ଆଉ ଏକ ସ୍ୱତନ୍ତ୍ର ପରିଚୟ ହେଉଛି ଏଠାକାର ସୁନା ଓ ରୂପାରେ ସଜ୍ଜିତ  ଦୂର୍ଗା ମୂର୍ତ୍ତି। ଯେଉଁ ପେଣ୍ଡାଲରେ ମା’ ପୂଜା ପାଉଛନ୍ତି ତାହା ସ୍ଥାୟୀ ମଣ୍ଡପ ଏବଂ କେବଳ ଦଶହରା ପର୍ବ ଉପଲକ୍ଷେ ହିଁ ଏଗୁଡିକ ଚଳଚଞ୍ଚଳ ହୋଇ ଉଠିଥାନ୍ତି। ଆଉ ଏକ  ମତ ଅନୁସାରେ ମହାପ୍ରଭୁ ଚୈତନ୍ୟ କଟକରେ ୧୫୫୦ ସାଲରେ ଦୂର୍ଗା ପୂଜା ଆରମ୍ଭ କରିଥିଲେ, ଯେତେବେଳେ ସେ ନବଦ୍ବୀପରୁ ପୁରୀ ଆସିଥିଲେ। ତେବେ ଐତିହାସିକ ତଥ୍ୟ ଅନୁଯାୟୀ ବ୍ରିଟିଶ ଶାସନ କାଳରେ ହିଁ କଟକ ସହରରେ ସାର୍ବଜନୀନ ପୂଜା ଆରମ୍ଭ ହୋଇଥିଲା।
 

 

Comment