ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଡ଼ିଖେଳରେ ଆଖଡ଼ା ଦଳର ସଲାମି ବେଶ୍ ନିଆରା

ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ବାଲେଶ୍ୱର ସହର ଉତ୍ସବମୁଖର। ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ଝଲସୁଛି ପାର୍ବଣ ମାହୋଲ। ସହରର ପାଖାପାଖି ୮୦ଟି ପୂଜା ମଣ୍ଡପରେ ଦେବୀ ପୂଜା ପାଉଛନ୍ତି।
ମହାଷ୍ଟମୀରେ ସକାଳ ୮ଟାରୁ ଲମ୍ବା ଲାଇନରେ ମହିଳାମାନେ ଭୋଗଡାଲା ଧରି ଲମ୍ବା ଲାଇନରେ ଛିଡ଼ା ହୋଇରହିଥିବାର ଦୃଶ୍ୟ ନିଆରା ଥିଲା। ଏକ ପ୍ରକାର ସ୍ୱତନ୍ତ୍ର ତୃଣ ଓ ବାଉଁଶ ପାତରେ ତିଆରି ଡଲାରେ ଭୋଗ ଅର୍ପଣ କରିବା ବିଶେଷ ଭାବେ ବାଲେଶ୍ୱରରେ ଦେଖାଯାଏ। ଏଥିପାଇଁ ଷଷ୍ଠୀ ଦିନରୁ ବାଲେଶ୍ୱର ସହରର ଫାଣ୍ଡି ବଜାର ଅଞ୍ଚଳରେ ଡଲା ବିକି୍ରର ବିଶାଳ ଭିଡ଼ ଦେଖାଯାଏ। ଲୋକମାନେ ଏସବୁ ଡାଲା କିଣୁଥିବା ଯୋଗୁ ଏହି ବ୍ୟବସାୟ ଦୁର୍ଗାପୂଜାରେ ବେଶ୍ ଚାଲେ।
ଦୁର୍ଗାପୂଜାର ଇତିହାସ ୩୦୦ ବର୍ଷର ପୁରୁଣା
ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି ପୂଜା କରୁଥିଲେ। ଏହା ବୋଧହୁଏ ୧୭୦୦ ମସିହା ପୂର୍ବର କଥା।
୧୮୬୩ ମସିହାରେ ଶ୍ୟାମାଚରଣ କରଙ୍କ ବଂଶଧରମାନେ ଦୁର୍ଗାଙ୍କ ମୂର୍ତ୍ତି କରି ନିଜ ବୈଠକଖାନାରେ ପୂଜା କରୁଥିବା ଇତିହାସ କହେ। ସେ ସମୟରୁ ଆଜି ପର୍ଯ୍ୟନ୍ତ ଦୁର୍ଗାପୂଜାର ବ୍ୟାପକ କ୍ରମୋନ୍ନତି ହେବା ସହ ସହରରେ ପ୍ରତିବର୍ଷ ପୂଜା ମଣ୍ଡପ ବୃଦ୍ଧି ପାଇବାରେ ଲାଗିଛି।
ଚଳିତ ବର୍ଷ ସହର ଓ ସହର ତଳି ଅଞ୍ଚଳରେ ପାଖାପାଖି ୮୦ଟି ପୂଜା ମଣ୍ଡପରେ ଦେବୀଙ୍କ ପୂଜା ହେଉଛି। ସେଥିମଧ୍ୟରୁ ସହଦେବଖୁଣ୍ଟା, ନୂଆ ବାଲେଶ୍ୱର, ଫାଣ୍ଡିଛକ, ମାଣିଖମ୍ବ, ମାକଲପୁର, ଆଇଟିଆଇ ଛକ, ପୋଲିସଲାଇନ ଛକ, ପଢୁଆଁପଦା, ସୁନହଟ, ପୁରୁଣା ବାଲେଶ୍ୱର, ବାରବାଟୀ, ଗଡ଼ଗଡ଼ିଆ, ହେମକାପଦା, ଚାଉଳିଆସାହି, ଆକତପୁର, ଇଡକୋ ଛକ, ଫକୀରମୋହନ ନଗର, ମଠସାହି, ରାଣୀ ପାଟଣା, ମିର୍ଜା ପୋଖରୀ, ଦର୍ଜିପୋଖରୀ, ଷ୍ଟେସନ ଇନଷ୍ଟିଚ୍ୟୁଟ, ଷ୍ଟେସନ ବଜାର, ଡିକେ ଲେନ୍, ଆଜିମାବାଦ, ଗବଗାଁ ଛକ, ଆନନ୍ଦବଜାର, ଓଡିଏନ୍ ଟକିଜ, ଅରଡ଼ ବଜାର, କଚେରି ବଜାର, ଶୋଭାରାମପୁର, ସୋମନାଥପୁର, ଗୋଳାପୋଖରୀ ଅଞ୍ଚଳରେ ସୁଦୃଶ୍ୟ ମଣ୍ଡପ ଓ ଦେବୀମୂର୍ତ୍ତି ହୋଇଛି।
ଏସବୁ ମଣ୍ଡପ ମଧ୍ୟରୁ ଚାଉଳିଆ ସାହିରେ ଚାନ୍ଦିମେଢ଼ କରାଯାଇଥିବା ବେଳେ ଝାଡେ଼ଶ୍ୱର ମନ୍ଦିର ନିକଟସ୍ଥ ମଣ୍ଡପଟି ସପମସିଣାରେ ତିଆରି ହୋଇ ଦୃଷ୍ଟି ଆକର୍ଷଣ କରୁଛି। ସେହିପରି କେବଳ ଅଖାରେ ତିଆରି ହୋଇଥିବା ମଣ୍ଡପ ନିର୍ମାଣ କରି ନୂଆ ବାଲେଶ୍ୱର ପୂଜା କମିଟି ଶ୍ରଦ୍ଧାଳୁଙ୍କ ପ୍ରଶଂସାଭାଜନ ହୋଇଛି।
ସିନେମାବଜାର ମେଢ଼ର ଦେବୀମୁହଁ ସବୁଠୁ ସୁନ୍ଦର ହୋଇଛି। ସୁନହଟର ଦେବୀମୂର୍ତ୍ତି ସମ୍ପୂର୍ଣ୍ଣ ସୁନେଲି ରଙ୍ଗରେ କରାଯାଇଥିବା ବେଳେ ହେମକାପଦାର ଦୁର୍ଗାମୂର୍ତ୍ତି ସହିତ ରାବଣ ନଥାଇ ଶ୍ରୀରାମ ଥିବା ଦେଖାଯାଇଛି। ସହଦେବଖୁଣ୍ଟାରେ ନେପାଳର ପୁରୁଣା ରାଜପ୍ରାସାଦ ଅନୁରୂପ ତୋରଣ ହୋଇଥିବା ବେଳେ ମାକଲପୁରରେ ପାର୍ଲିଆମେଣ୍ଟ ସଦୃଶ ତୋରଣ, ମଠସାହିରେ ଇଣ୍ଡିଆ ଗେଟ୍ ଆକାରର ତୋରଣ କରଯାଇଛି।
୧୯୭୪ରେ ଆରମ୍ଭ ହୋଇଥିବା କାଳୀ ମନ୍ଦିର ଦୁର୍ଗାପୂଜା କମିଟିରେ ଏଥର କଲିକତାର ପ୍ରସିଦ୍ଧ ଢାକ୍ ବାଜା ବିଶେଷ ଆକର୍ଷଣ ସାଜିଛି। ମାତୃ ଆରାଧନା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ମଧ୍ୟ ଦେଖିବାକୁ ମିଳୁଛି। ନୂଆ ବଜାରରେ ‘ମୀନା ବଜାର’ ଏକ ପ୍ରମୁଖ ଆକର୍ଷଣ ସାଜିଛି। ଏଥିରେ ରାମଦୋଳି, ଡିସ୍କୋ ଡ୍ୟାନ୍ସ, ମିକି ମାଉସ ଟୟ ଟ୍ରେନ୍ ସହ ବିଭିନ୍ନ ଖାଦ୍ୟ ସାମଗ୍ରୀର ପସରା ପିଲା, କଲେଜ ତରୁଣ ତରୁଣୀଙ୍କୁ ଆକର୍ଷିତ କରୁଛି। ସେହିପରି ପୂଜାରେ ଏକ ବିଶେଷ ପାନ ବିକ୍ରି ହେଉଛି ଯାହାର ଦାମ୍ ୩୫୦ ଟଙ୍କା ରହିଛି।
ମୁଖ୍ୟ ଆକର୍ଷଣ ବାଡ଼ି ଖେଳ
ବାଲେଶ୍ୱର ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ବାଡ଼ିଖେଳ। ଆବାହମାନ କାଳରୁ ବାଲେଶ୍ୱର ସହରରେ ଏହି ପୁରାତନ ପରମ୍ପରା ରହିଆସିଛି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ମଧ୍ୟରେ ଭ୍ରାତୃତ୍ୱ ଭାବ ପ୍ରତିଷ୍ଠା ହେଉଛି ଏହାର ଉଦ୍ଦେଶ୍ୟ।
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଉଭୟ ସମ୍ପ୍ରଦାୟର ଆଖଡ଼ା ଦଳ ଅଷ୍ଟମୀ ଦିନ ସକାଳୁ ସହରର ବିଭିନ୍ନ ସ୍ଥାନରୁ ବାହାରି ପୃଥକ ଶୋଭାଯାତ୍ରାରେ ମହାବୀର ମନ୍ଦିର ନିକଟରେ ପହଞ୍ଚିଥିଲେ। ମନ୍ଦିର ନିକଟରେ ଖେଳ ପ୍ରଦର୍ଶନ କରି ସେମାନେ ସଲାମି ଗ୍ରହଣ କରିଥିଲେ।
ଆଖଡ଼ା ଖେଳ ଭିତରେ ବନାଟି, ରୁକମାର, ଛେଡ଼ିବାଡ଼ି, ପରିବାଡ଼ି, ଖଣ୍ଡାଖେଳ ଦର୍ଶକଙ୍କ ମନ ମୋହିଥିଲା। ଏପରିକି କିଶୋରୀମାନେ ମଧ୍ୟ ନିଜ କ୍ରୀଡ଼ା ନୈପୁଣ୍ୟ ଦେଖାଇଥିଲେ। ୧୯୨୫ ମସିହାରେ ତତ୍କାଳୀନ ସ୍ୱାଧୀନତା ସଂଗ୍ରାମୀ ଡ, ହରେକୃଷ୍ଣ ମହତାବ ଏହି ପରମ୍ପରା ସୃଷ୍ଟି କରିଥିଲେ।
ଗତବର୍ଷ ୨୬ଟି ଆଖଡ଼ା ଦଳ ବିଭିନ୍ନ ଅଞ୍ଚଳରୁ ବହାରିଥିବା ବେଳେ ଚଳିତ ବର୍ଷ ମୋଟ ୧୬ଟି ଦଳ ଭାଗ ନେଇଥିଲେ। ଶନିବାର ବିଜୟା ଦଶମୀ ପାଇଁ ସହରରେ ଭିଡ଼ ବେଶ୍ ଜମିବ। ସହରର ୩ଟି ଜାଗାରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ରହିଛି। ଆଇଟିଆଇ ପଡ଼ିଆ, ବାଲିଘାଟ ପଡିଆ ଓ ରେମୁଣାଠାରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି

LEAVE A REPLY

Please enter your comment!
Please enter your name here