ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଡାକ ପରିମଣ୍ଡଳ ଏକ ନିଆରା ଢଙ୍ଗରେ ପାଳନ କରିଛି ଗାନ୍ଧିଜୀଙ୍କ ୧୪୮ତମ ଜୟନ୍ତୀ। ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ଡାକଟିକଟ ଓ ଲଫାପାକୁ ସିପିଏମ୍‌ଜି ଅଫିସ୍‌ରେ ପ୍ରଦର୍ଶନ କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି।
ଡାକଟିକଟ ସଂଗ୍ରାହକ ଅଜିତ କୁମାର ରାଉତ, ଅନୁପ ରାଉତ ଓ ନନ୍ଦକିଶୋର ଲାଲଙ୍କ ସଂଗ୍ରହକୁ ନେଇ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀରେ ୫୦୦ରୁ ଊର୍ଦ୍ଧ୍ୱ ଡାକ ଟିକଟ ସ୍ଥାନ ପାଇଛି। ଏଥିରେ ଅହିଂସା ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଚମ୍ପାରଣ ସତ୍ୟାଗ୍ରହରେ ଘଟିଥିବା ସଂଘର୍ଷ କାହାଣୀ ସ୍ଥାନ ପାଇଛି। ଏହାସହ ଭାରତ ବାହାରେ ଗାନ୍ଧିଙ୍କୁ ନେଇ ତିଆରି ହୋଇଥିବା ବିଭିନ୍ନ ଦେଶର ପୋଷ୍ଟାଲ୍ ଷ୍ଟାମ୍ପ ମଧ୍ୟ ଏଥିରେ ପ୍ରଦର୍ଶିତ ହୋଇଛି।
ଏହି ଅବସରରେ ଓଡ଼ିଶା ଡାକ ପରିମଣ୍ଡଳ  ତରଫରୁ ଏକ ସ୍ଵତନ୍ତ୍ର ପୋଷ୍ଟାଲ୍ କଭର୍ ‘ଧାଇ ଅକ୍ଷର’ର ମାକ୍ସିମ୍ କାର୍ଡ ଉନ୍ମୋଚିତ ହୋଇଛି। ଡାକବିଭାଗ ତରଫରୁ ‘ଧାଇ ଅକ୍ଷର’ ନାମରେ ଆୟୋଜିତ ହୋଇଥିବା ଚିଠିପତ୍ର ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ୨୫,୦୦୦, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୦,୦୦୦, ତୃତୀୟ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ୫,୦୦୦ ଟଙ୍କା ଏବଂ ମାନପତ୍ର ଦିଆଯାଇଛି।
ଓଡ଼ିଶା ଡାକ ପରିମଣ୍ଡଳର  ମହାଡାକପାଳ ଡକ୍ଟର ସନ୍ତୋଷ କୁମାର କମିଳା କହିଛନ୍ତି, “ଗାନ୍ଧି ଜୟନ୍ତୀ ଅବସରରେ ଡାକ ବିଭାଗ ତରଫରୁ ତିନିଜଣ ଡାକଟିକଟ ସଂଗ୍ରହକାରୀଙ୍କ ସହଯୋଗରେ ଆମେ ଡାକଟିକଟ ଏବଂ ଲଫାପା ପ୍ରଦର୍ଶନ କରୁଛୁ। ଡାକଟିକଟ ସଂଗ୍ରହକାରୀ, ଛାତ୍ରଛାତ୍ରୀ ଡାକଟିକଟ ଉପରେ ରୁଚି ରଖୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଡାକଟିକଟରୁ ଜଣେ ବ୍ୟକ୍ତି ବିଭିନ୍ନ ଦେଶ ବିଦେଶର ଭୌଗୋଳିକ ଅବସ୍ଥିତି ଓ ଐତିହାସିକ କୀର୍ତ୍ତିରାଜି ସମ୍ପର୍କରେ ଜାଣିପାରିଥାଏ। ତେଣୁ ଆଗାମୀ ଦିନରେ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ମନରେ ଡାକ ବିଭାଗ ପ୍ରତି ଅଧିକ ବିଶ୍ଵାସ ଜନ୍ମାଇବା ପାଇଁ ଧ୍ୟାନ ଦେଉଛୁ।”
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ଶାସନ ସଚିବ ସହଦେବ ସାହୁ, ବ୍ରହ୍ମପୁର ଶାଖାର ମୁଖ୍ୟ ଡାକପାଳ ଜଳେଶ୍ଵର କହଁର, ସମ୍ବଲପୁର ଶାଖାର ମୁଖ୍ୟ ଡାକପାଳ ଲଳିତେନ୍ଦୁ ପ୍ରଧାନ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here