ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ହୋଇପାରେ। ବିଜେପି ସଭାପତି ଅମିତ ଶାହା ଏହି ସୂଚନା ଦେଇଛନ୍ତି। ପୋରବନ୍ଦରଠାରେ ଅନୁଷ୍ଠିତ ଏକ ସଭାରେ ସେ ଏହି କଥା କହିଛନ୍ତି। ଅବଶ୍ୟ ନିର୍ବାଚନ କମିଶନ ପକ୍ଷରୁ ଏ ନେଇ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଅନୁମାନ କରାଯାଉଛି ସେହି ସମୟରେ ହିଁ ନିର୍ବାଚନ ହେବ।ଗତ ନିର୍ବାଚନ ମଧ୍ୟ ପ୍ରାୟ ଏତିକି ବେଳେ ହୋଇଥିଲା।
ନିର୍ବାଚନ ପାଇଁ ମଇଦାନରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଆସି ପହଞ୍ଚିଗଲେଣି। ଅମିତ ଶାହା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଗୁଜରାଟରେ ଗୌରବ ଯାତ୍ରାରେ ଅଛନ୍ତି। ଗୁଜୁରାଟ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନଙ୍କ ତରଫରୁ ଖୁବ୍  ତତ୍ପରତା ପ୍ରକାଶ ପାଇଛି ଓ ବାତାବରଣ ଏବେଠାରୁ ସରଗରମ ହୋଇଉଠିଛି। ଗୋଟିଏ ପଟେ ବିଜେପି ପୁଣି ଥରେ ଶାସନକୁ ଆସିବାକୁ ଅପେକ୍ଷା କରିଛି। ତେଣେ କଂଗ୍ରେସ ଏହି ଚକ୍ରବ୍ୟୁହକୁ ଭାଙ୍ଗିବାକୁ ଚାହୁଁଛି।
କିଛି ଦିନ ତଳେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଯାଇ ସେଠି ବେଶ୍ କିଛି ସମୟ ଦେଇଥିଲେ। ଏହିସବୁ ସଭାରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶ୍ ଧୁଲେଇ କରିଥିଲେ। କଂଗ୍ରେସ ଓ ବିଜେପି ବ୍ୟତୀତ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମଧ୍ୟ ଗୁଜରାଟ ନିର୍ବାଚନରେ ନିଜର ଦଖଲ ଦେବାକୁ ଘୋଷଣା କରିଛି। ଏଣୁ ଗୁଜରାଟରେ ଏଥର ଜମାଣିଆ ଲଢ଼େଇ ହେବା ଆଶା କରାଯାଉଛି।
୨୦୧୮ ଜାନୁଆରୀ ୨୨ ତାରିଖରେ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ଏଣୁ ତା’ ପୂର୍ବରୁ ନିର୍ବାଚନ ସାରିବାକୁ ହେବ। ୨୦୧୨ ମସିହାରେ ସେଠାରେ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା।
୧୯୯୮ ପରଠାରୁ ଗୁଜରାଟରେ ବିଜେପି ଶାସନ କ୍ଷମତାରେ ରହିଛି। ବିଜେପି ପାଇଁ ଏଥରର ନିର୍ବାଚନ ଏକ ବଡ଼ ଚାଲେଞ୍ଜ ହେବା ଆଶା କରାଯାଉଛି କାରଣ ସେଠାକାର ପଟେଲ ସମ୍ପ୍ରଦାୟ ବିଜେପି ଶାସନକୁ ବିରୋଧ କରିଛନ୍ତି। ପଟେଲମାନଙ୍କ ଆନ୍ଦୋଳନକୁ ରୋକି ନ ପାରିବା କାରଣରୁ ହିଁ ଆନନ୍ଦି ବେନ୍ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

Comment