ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର। ଭୁବନେଶ୍ୱରରେ ପହଞ୍ଚୁ ପହଞ୍ଚୁ ଜାଭଡେକର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପିଡିଏସ୍ ଚାଉଳକୁ ନେଇ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ଯୋଜନା ମୋଦିଙ୍କର, ଆଉ ଏହାକୁ ହାଇଜାକ୍ କରୁଛନ୍ତି ରାଜ୍ୟ ସରକାର।
ଜାଭଡେକରଙ୍କ ଏହି ଚାଉଳ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ବିଜେଡି। ରାଜନୈତିକ ବୟାନବାଜି ଛଡ଼ା ଏହା ଆଉ କିଛି ନୁହେଁ ବୋଲି ବିଜେଡି କହିଛି।
ଜାଭଡେକର କହିଛନ୍ତି,”ପିଡିଏସ୍ ଚାଉଳ ବାବଦରେ କେନ୍ଦ୍ର ସରକାର ୨୭ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଦେଉଛନ୍ତି ୨ ଟଙ୍କା। କେନ୍ଦ୍ରର ମୋଦି ସରକାର ଏହି ଚାଉଳ ଦେଉଛନ୍ତି। ହେଲେ ନବୀନ ପଟ୍ଟନାୟକଙ୍କ ସରକାର ଏହାକୁ ହାଇଜାକ୍ କରି ନିଜସ୍ୱ ଯୋଜନା ବୋଲି କହୁଛନ୍ତି। ଓଡ଼ିଶାବାସୀ ସବୁ ଜାଣି ସାରିଲେଣି। ଆଗାମୀ ଦିନରେ ଏହାର ଜବାବ ଦେବେ।”
ଜାଭଡେକରଙ୍କ ଚାଛଳ ମନ୍ତବ୍ୟ ବିଜେଡି ଶିବିରରେ ଆଲୋଡନ ଖେଳାଇଛି। କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେବା ପାଇଁ ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଗେଇ ଆସିଛନ୍ତି।
ପ୍ରତାପ ଦେବ କହିଛନ୍ତି,”୨୦୦୮ରେ ବିଜେଡି ୨ ଟଙ୍କାରେ ଚାଉଳ ଦେବା ବ୍ୟବସ୍ଥା ଶୁଭାରମ୍ଭ କରିଛି। ଏହାକୁ ଅନୁସରଣ କରି ୨୦୧୩ରେ କେନ୍ଦ୍ର ଆଇନ୍ ପ୍ରଣୟନ କଲା। ସେତେବେଳେ ମୋଦି ସରକାର କ୍ଷମତାରେ ନଥିଲେ। ଏଣୁ ଏହା ମୋଦି ଚାଉଳ କେମିତି ହେଲା ତାହା ଭଗବାନଙ୍କୁ ଜଣା। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟକୁ ଚାଉଳ ଦେବାକୁ ବାଧ୍ୟ। ମୋଦି ତାଙ୍କ ଘରୁ ଆଣି ଚାଉଳ ଦେଉନାହାନ୍ତି।”
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,”ଚାଉଳ କାହାର ପୈତୃକ ସମ୍ପତ୍ତି ନୁହେଁ। କେନ୍ଦ୍ର ସରକାରଙ୍କ ଆଇନ୍ ବଳରେ ଲୋକେ ଶସ୍ତାରେ ଚାଉଳ ପାଉଛନ୍ତି। କେନ୍ଦ୍ରରେ ଉପା ସରକାର ଥିବା ବେଳେ ଏନେଇ ଆଇନ୍ ପ୍ରଣୟନ ହୋଇଥିଲା। କେନ୍ଦ୍ର ସରକାର କିଲୋ ପିଛା ୩ ଟଙ୍କାରେ ଚାଉଳ ଦେଉଥିଲେ। ରାଜ୍ୟ ସରକାର ୧ ଟଙ୍କାରେ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।”

Comment