ଓଡ଼ିଶାଲାଇଭ୍ ବ୍ୟୁରୋ
ସିନେମା କେବଳ ମଉଜ ସଜଲିସର ମାଧ୍ୟମ ନୁହେଁ, ଏହା ଜଣଙ୍କ ଜୀବନ ବି ରକ୍ଷା କରିପାରେ। ନିକଟରେ ଏହାର ଏକ ବଡ଼ ପ୍ରମାଣ ମିଳିଛି। ବହୁଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ ଯୋଗୁଁ ଜଣେ ୪୩ ବର୍ଷୀୟା ନର୍ସ ନବଜୀବନ ପାଇଛନ୍ତି।
ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏକ ଘରୋଇ ହସପିଟାଲରେ ଏପରି ଏକ ବିରଳ ଅପରେସନ ହୋଇଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ‘ବାହୁବଳୀ-୨’ ଫିଲ୍ମ ଯୋଗୁଁ ଏକ ଜଟିଳ ବ୍ରେନ ସର୍ଜରୀ ସଫଳ ହୋଇଛି। ଜାଣିବା, ପୂରା ଖବର।

ନର୍ସ ଭାବେ କାର୍ଯ୍ୟ କରୁଥିବା ୪୩ ବର୍ଷୀୟା ବିନୟା କୁମାରୀ କିଛି ଦିନ ହେବ ଅସୁସ୍ଥ ଥିଲେ। ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ତାଙ୍କ ବାମ ପାର୍ଶ୍ୱ ମସ୍ତିଷ୍କରେ ଏକ ଟ୍ୟୁମର ହୋଇଛି। ଯାହାକୁ ତୁରନ୍ତ ଅପରେସନ କରି ନ କାଢିଲେ, ରୋଗୀଙ୍କ ଜୀବନ ଯିବା ଆଶଙ୍କା ରହିଛି ବୋଲି କହିଥିଲେ ଡାକ୍ତର।
ଗୁଣ୍ଟୁରର ଏକ ମଲ୍ଟି-ସ୍ପେଶାଲିଟି ହସପିଟାଲରେ ତାଙ୍କର ସର୍ଜରୀ ହେବା ପାଇଁ ସ୍ଥିର କରାଗଲା। ଏହି ଅପରେସନ୍ ପ୍ରକ୍ରିୟା ବେଶ ଜଟିଳ ଥିଲା। କାରଣ ଅପରେସନ ସମୟରେ ରୋଗୀ ସଂପୂର୍ଣ୍ଣ ଚେତାରେ ରହିବା ନିହାତି ଜରୁରୀ ଥିଲା। ଏକଥା ଶୁଣିବା ପରେ ବିଚଳିତ ହୋଇପଡିଥିଲେ ବିନୟା କୁମାରୀ। ତେବେ ତାଙ୍କୁ ସର୍ଜରୀ ବେଳେ ସଚେତ ରଖିବା ପାଇଁ ଏକ ଅଭିନବ ଉପାୟ ବାହାର କଲେ ସ୍ନାୟୁ ବିଶେଷଜ୍ଞ।
ବିନୟା କୁମାରୀଙ୍କୁ ତାଙ୍କ ପସନ୍ଦର ସିନେମା କ’ଣ ବୋଲି ପଚରାଗଲା। ‘ବାହୁବଳୀ-୨’ ତାଙ୍କ ମନପସନ୍ଦ ସିନେମା ଜାଣିବା ପରେ ଡାକ୍ତରମାନେ ଅପରେସନ ସମୟରେ ତାଙ୍କୁ ବାହୁବଳୀ ସିନେମା ଦେଖାଇବାକୁ ସ୍ଥିର କଲେ।
ଅପରେସନ୍ ଥିଏଟରରେ ଏକ ଲାପଟପରେ ‘ବାହୁବଳୀ’ ସିନେମା ପ୍ରଦର୍ଶିତ ହେଲା। ଗୋଟିଏ ପଟେ ଡାକ୍ତରମାନେ ବ୍ରେନରୁ ଟ୍ୟୁମର କାଢିବାରେ ବ୍ୟସ୍ତ ଥାଆନ୍ତି, ଅନ୍ୟପଟେ ‘ବାହୁବଳୀ’ ସିନେମା ଦେଖିବାରେ ମଜ୍ଜି ରହିଥାନ୍ତି ରୋଗୀ।
ବିନୟା କୁମାରୀ କେବଳ ସିନେମା ଦେଖୁନଥା’ନ୍ତି, ସିନେମା ଗୀତ ମଧ୍ୟ ଗୁଣୁଗୁଣୁ ହେଉଥା’ନ୍ତି। ଏହାରି ଭିତରେ ଶେଷ ହୋଇଥିଲା ଦେଢ ଘଣ୍ଟାର ଅପରେସନ। ସଫଳତାର ସହ ଟ୍ୟୁମର କଢାଯିବା ପରେ ଏବେ ସୁସ୍ଥ ଅଛନ୍ତି ବିନୟାକୁମାରୀ।
ଡାକ୍ତରୀ ଦଳକୁ ଏଭଳି ଏକ ଅପରେସନ୍ ବିରଳ ଅନୁଭୂତି ଦେଇଛି। ଏହି ସର୍ଜରୀର ନାଁ ଦିଆଯାଇଛି ‘ବାହୁବଳୀ ବ୍ରେନ ସର୍ଜରୀ’।