ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବଢ଼ୁଛି ବିବାଦ। ଚଳଚ୍ଚିତ୍ରର କେତୋଟି ଡାଏଲଗକୁ ନେଇ ଦେଶ ବ୍ୟାପୀ ଚାଲିଛି ବିରୋଧ ପ୍ରଦର୍ଶନ।

ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଅପେକ୍ଷା କରିରହିଥିବା ଦର୍ଶକ ଏବେ ଏହାକୁ ବିରୋଧ ଆରମ୍ଭ କରିଛନ୍ତି। ଚଳଚ୍ଚିତ୍ରରେ କେତୋଟି ଡାଏଲଗକୁ ନେଇ ଦେଶବ୍ୟାପୀ ଏବେ ବିରୋଧ ଆରମ୍ଭ ହୋଇଛି। ଚଳଚ୍ଚିତ୍ରଟିରେ ଭାରତୀୟଙ୍କ ଧର୍ମୀୟ ଭାବନକୁ ଆଘାତ କରିଥିବା ଅଭିଯୋଗ ହେଉଛି।

ପୋଲିସ ସୁରକ୍ଷା ମାଗିଲେ ଲେଖକ ମନୋଜ ମୁନ୍ତଶିର

ଦେଶ ସାରା ‘ଆଦିପୁରୁଷ’ର କାହାଣୀ, ନିର୍ମାଣ ଏବଂ ଏହାର କେତେକ ଡାଇଲଗକୁ ନେଇ ଉଠିଛି ବିରୋଧର ସ୍ଵର। ଏହାରି ମଧ୍ୟରେ ମୁମ୍ବାଇ ପୋଲିସଠାରୁ ସୁରକ୍ଷା ମାଗିଛନ୍ତି ଚଳଚ୍ଚିତ୍ରର ଲେଖକ ମନୋଜ ମୁନ୍ତଶିର। ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ମନୋଜ ଏହି ସୁରକ୍ଷା ମାଗିଛନ୍ତି।

ଜୁନ ୧୬ ତାରିଖ, ଶୁକ୍ରବାର ଦିନ ରିଲିଜ ହୋଇଥିଲା ସାଉଥ ସୁପରଷ୍ଟାର ପ୍ରଭାସ, ବଲିଉଡ ସୁପରଷ୍ଟାର ସୈଫଅଲ୍ଲୀ ଖାନ ଏବଂ ବଲିଉଡ ବ୍ୟୁଟି କ୍ରୀତି ସେନନ ଷ୍ଟାରର ଫିଲ୍ମ ‘ଆଦିପୁରୁଷ’। ଏହାକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା। ରିଲିଜ ପୂର୍ବରୁ ବିବାଦରେ ରହିଥିବା ଏହି ଚଳଚ୍ଚିତ୍ର ରିଲିଜ ହେବା ପରେ ଏହାକୁ ବିରୋଧ ଆରମ୍ଭ ହୋଇଛି। ୬୦୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ହିଁ ୧୫୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ଚଳଚ୍ଚିତ୍ରର ବିବାଦୀୟ ଡାଏଲଗ୍

୧- ହନୁମାନ ଯେତେବେଳେ ଲଙ୍କାରେ ପ୍ରବେଶ କରନ୍ତି, ସେହି ସମୟରେ ଜଣେ ରାକ୍ଷାସ ତାଙ୍କୁ ଦେଖି କୁହେ, “ୟେ ଲଙ୍କା କ୍ୟା ତେରି ବୁଆ କା ବଗିଚା ହୈ, ଜୋ ହବା ଖାନେ ଚଲା ଆୟା?”

୨-ସୀତାଙ୍କୁ ଭେଟିବା ପରେ ହନୁମାନଙ୍କୁ ଲଙ୍କାର ରାକ୍ଷାସମାନେ କାବୁ କରିଥିଲେ। ଏହା ପରେ ମେଘନାଦ ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇ ଦେଇଥିଲେ। ସେହି ସମୟରେ ହନୁମାନ କହିଥିଲେ, “ତେଲ ତେରେ ବାପ କା, କପଡ଼ା ତେରେ ବାପକା ଔର ଜଲେଗୀ ଭି ତେରେ ବାପ କି।”

୩- ହନୁମାନ ଲଙ୍କାରୁ ଫେରିବା ପରେ ରାମ ହନୁମାନଙ୍କୁ ପଚାରନ୍ତି ଲଙ୍କାରେ କ’ଣ ସବୁ ଘଟିଲା? ଏହାର ଉତ୍ତରରେ ହନୁମାନ କହିଥିଲେ ଯେ, “ବୋଲ ଦିଆ, ଜୋ ହମାରି ବହନୋ କୋ ହାଥ ଲଗାଏଙ୍ଗେ, ଉନକି ଲଙ୍କା ଲଗା ଦେଙ୍ଗେ।”

୪- ଲକ୍ଷ୍ମଣଙ୍କୁ ଆକ୍ରମଣ କରିବା ସମୟରେ ଗୋଟିଏ ସ୍ଥାନରେ ଇନ୍ଦ୍ରଜିତ କୁହନ୍ତି, “ମେରେ ଏକ ସପୋଲେ ନେ ତୁମହାରେ ଶେଷ ନାଗ କୋ ଲମ୍ବା କରଦିଆ। ଅଭି ତୋ ପୂରା ପିଟାରା ଭରା ପଡ଼ା ହେ।”

କେବଳ ଏତିକି ନୁହେଁ, ଏହା ବ୍ୟତୀତ ଏହି ଚଳଚ୍ଚିତ୍ରର ଅନେକ ଶବ୍ଦ ଏବଂ ଶ୍ରୀ ରାମଚନ୍ଦ୍ରା, ସୀତା, ହନୁମାନ, ରାବଣ ଏବଂ ଅନେକ ଚରିତ୍ରଙ୍କ ବେଷଭୂଷାକୁ ନେଇ ମଧ୍ୟ ନାପସନ୍ଦ କରାଯାଇଛି।

‘ଆଦିପୁରୁଷ’ ବ୍ୟାନ୍ କରିବାକୁ ଦାବି

ହିନ୍ଦୀ ଚଳଚ୍ଚିତ୍ର ଆଦିପୁରୁଷକୁ ନେଇ ସାରା ଦେଶରେ ବିରୋଧ ଆରମ୍ଭ ହୋଇଯାଇଛି। ହିନ୍ଦୁଧର୍ମକୁ ଆଘାତ କରାଯାଇଥିବା ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ ଅନେକ ସାଧୁସନ୍ଥ ମଧ୍ୟ ଏହି ଚଳଚ୍ଚିତ୍ରକୁ ଘୋର ବିରୋଧ କରିବା ସହ ଏହାକୁ ବ୍ୟାନ କରିବା ଲାଗି ଦାବି କରୁଛନ୍ତି।

ଏହି ଚଳଚ୍ଚିତ୍ରକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ବିରୋଧ ଆରମ୍ଭ କରିଛନ୍ତି। ଅନ୍ୟର ଭାବନାକୁ ଆଘାତ କରିବା ପାଇଁ କାହାରିକୁ ଅନୁମତି ନାହିଁ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।

ବଦଳିବ ବିବାଦୀୟ ଡାଏଲଗ

‘ଆଦିପୁରୁଷ’ର ଡାଏଲଗକୁ ନେଇ ସୋସିଆଲ ମିଡିଆରେ ଜୋରସୋର ବିରୋଧ ଚାଲିଛି। ଡାଏଲଗଗୁଡ଼ିକୁ ନେଇ ଟ୍ରୋଲ କରାଯିବା ପରେ ଏବେ ଏହି ବିବାଦୀୟ ଡାଏଲଗଗୁଡ଼ିକୁ ଚଳଚ୍ଚିତ୍ରରୁ ବାଦ୍ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ନିର୍ମାତା। ଏହି ଚଳଚ୍ଚିତ୍ରର ଲେଖକ ମନୋଜ ମୁନ୍ତଶିର କହିଛନ୍ତି, “ଛୋଟ ପିଲାଙ୍କୁ ଧ୍ୟାନରେ ରଖି ଏହି ଫିଲ୍ମର କାହାଣୀ ଲେଖାଯାଇଥିଲା। ଭଗବାନ ଶ୍ରୀରାମଙ୍କ ବିଷୟରେ ଭଲ ଭାବେ ଜାଣିବା ପାଇଁ ଏହା ଏକ ପ୍ରୟାସ ଥିଲା। ଛୋଟ ପିଲା ହଲ୍କ ଏବଂ ସୁପରମ୍ୟାନ ଚରିତ୍ର ବିଷୟରେ ଭଲ ଭାବେ ଜାଣନ୍ତି, କିନ୍ତୁ ହନୁମାନ ଏବଂ ଅଙ୍ଗଦଙ୍କୁ ଜାଣନ୍ତି ନାହିଁ। ରାମାୟଣର ପ୍ରତିଟି ଚରିତ୍ର ବିଷୟରେ ପିଲାଙ୍କୁ ଜଣାଇବା ଲାଗି ଚେଷ୍ଟା କରାଯାଇଥିଲା।”

Tags: #BollywoodFilm #HindiCinema #Adipurush #Controversy

Comment