ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ରାଜ୍ୟ ସରକାର ରାଜ୍ୟ  ହସ୍ତତନ୍ତ ଓ ହସ୍ତ ଶିଳ୍ପ ବିକାଶ ପରିଷଦ ଗଠନ କରିଛନ୍ତି। ଏହା ଆଗାମୀ ଦିନରେ କାରିଗରଙ୍କ  ବିକାଶରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତିକୁ ହସ୍ତଶିଳ୍ପୀ ଓ ବୁଣାକାର ସଂଘ ସ୍ୱାଗତ ଜଣାଇଛନ୍ତି। ଏନେଇ ସଂଘର କର୍ମକର୍ତ୍ତା ଶନିବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଳ୍ପୀ ଓ ବୁଣାକାରମାନେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେମାନେ ହାତ ତିଆରି କଳାକୃତି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ। ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ଉପରୁ ଜିଏସ୍‌ଟି ଉଚ୍ଛେଦ କରାଯାଇଥିବାରୁ ଶିଳ୍ପୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ବୁଣାକାର ସଂଘ ତରଫରୁ ମୋତେ ସମ୍ବର୍ଦ୍ଧିତ କରାଯାଇଥିବାରୁ ମୁଁ ବହୁତ ଖୁସି। ରାଜ୍ୟରେ ବୁଣାକାରମାନେ ବହୁତ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି। ରାଜ୍ୟ ସରକାର ସେମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ।”
ଓଡ଼ିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି, “ମୁଖ୍ୟମନ୍ତ୍ରୀ ଆମମାନଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ଏବଂ ଚଳିତ ବଜେଟ୍‌ରେ ରାଜ୍ୟ ସରକାର ୪୬୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଶିଳ୍ପୀମାନଙ୍କ ସ୍ୱାର୍ଥ ନିମନ୍ତେ ଜିଏସ୍‌ଟି ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେଥିପାଇଁ ରାଜ୍ୟର ବିଭିନ୍ନ ଜାଗାରୁ ଶିଳ୍ପୀମାନେ ଆସି ଆଜି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ।

 

LEAVE A REPLY

Please enter your comment!
Please enter your name here