ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ରହିଥିବା ବିଜେଡି ବରଗଡ଼ ଜିଲ୍ଲା ପାଇଁ ଦୁଇ ଦିନରେ ୩ଟି ପ୍ରକଳ୍ପ ଘୋଷଣା କରିଛି। ବିଜେଡି ପୂରା ବିଜେପୁର ମୁହାଁ ହୋଇଯାଇଥିବା ଚର୍ଚ୍ଚା ହେଉଛି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୧ ତାରିଖରେ ଯିବେ ବିଜେପୁର। ବିଜେପୁରରେ କରିବେ ପଦଯାତ୍ରା। ଏହା ପୂର୍ବରୁ ନବୀନ ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ୨୪ ଘଣ୍ଟାରେ ୩ଟି ପ୍ରକଳ୍ପ ଘୋଷଣା କରି ନବୀନ ମିଶନ୍‌ ବିଜେପୁର ଲକ୍ଷ୍ୟରେ ବାହାରିଥିବା ସଙ୍କେତ ଦେଇଛନ୍ତି।
ଅକ୍ଟୋବର ୧୬ ତାରିଖ। ନବୀନ ନିବାସରେ ଜନ୍ମଦିନ ପାଳନ ଅବସରରେ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଭେଟି ଦେଇଥିଲେ। ଜଳସେଚନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନବୀନ ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ। ଏଥିପାଇଁ ୧୨୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ଯୋଜନାକୁ ନାମିତ କରି ନବୀନ ତାଙ୍କ ଗୋଟି ଖେଳିଛନ୍ତି।
୧୭ ତାରିଖରେ ନବୀନ ଆଉ ଦୁଇଟି ପ୍ରକଳ୍ପ ଘୋଷଣା କରିଛନ୍ତି। ବରଗଡ଼ରୁ ବଲାଙ୍ଗୀର ଏବଂ ଭେଡେନ୍‌ରୁ ଗାଇସିଲାଟ ପର୍ଯ୍ୟନ୍ତ ଦୁଇଟି ପୋଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାର ବ୍ୟୟ ଅଟକଳ ରହିଛି ୬ କୋଟି ଟଙ୍କା। ସେହିପରି ବରପାଲ୍ଲିରେ ୩୩ କେଭି ବିଦ୍ୟୁତ ଗ୍ରୀଡ଼ ପ୍ରତିଷ୍ଠା ପାଇଁ ନବୀନ ଘୋଷଣା କରିଛନ୍ତି।
ଗତ ଦୁଇ ଦିନରେ ବରଗଡ଼ ଜିଲ୍ଲା ପାଇଁ ତିନି ତିନିଟି ନୂଆ ପ୍ରକଳ୍ପ ଘୋଷଣା କରିବା ଘଟଣାକୁ ରାଜନୀତି ପର୍ଯ୍ୟବେକ୍ଷକ ଏବଂ ବିରୋଧୀ ଦଳ ସମାଲୋଚନା କରିଛନ୍ତି। ବିଜେପୁର ଉପ-ନିର୍ବାଚନ ପୂର୍ବରୁ ଏହା ଏକ ଗୋଟି ଚାଳନା ବୋଲି ଚର୍ଚ୍ଚା ହେଉଛି।
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ବିଜେପୁର ବିଜେଡି ଦଖଲରେ ନଥିଲା। ଏହି ଆସନକୁ କଂଗ୍ରେସ କବ୍‌ଜା କରି ରଖିଥିଲା। ତେବେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ବିଜେଡିରେ ସାମିଲ୍‌ କରି ଦଳ ବିଜେପୁର ଅଭିଯାନ ଆରମ୍ଭ କରିଛି।
୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନ ହେଉଛି ୩ ପ୍ରମୁଖ ଦଳ ପାଇଁ ଏସିଡ ଟେଷ୍ଟ। ଏଣୁ ଏହି ଆସନକୁ ଦଖଲ କରି ପତିଆରା ଜାହିର କରିବାକୁ ଚାହୁଁଛନ୍ତି ରାଜନୈତିକ ଦଳ। କଂଗ୍ରେସ ଗୋଷ୍ଠୀ କନ୍ଦଳରେ ଉଉଟୁବୁ ରହିଥିବା ବେଳେ ବିଜେପି ଏବଂ ବିଜେଡି ବିଜେପୁର ଦଖଲ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପୁରରେ ବିଜେପି ସଫଳତା ପାଇଥିବାରୁ କର୍ମୀ ଓ ନେତାଙ୍କ ମନୋବାଳ ବୃଦ୍ଧି ପାଇଛି। ଏହାଛଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମିଶନ୍ ୧୨୦ର ଟାର୍ଗଟେ ଦେଇଥିବାରୁ ବିଜେପି ପାଇଁ ବିଜେପୁର ସମ୍ମାନର ବିଷୟ ହୋଇଛି। ସେହିପରି ବିଜେପିକୁ ଚେକ୍‌ ଦେବା ପାଇଁ ବିଜେଡି ଏବେଠାରୁ କସରତ ଆରମ୍ଭ କରିଛି।

Comment