ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ସପ୍ତାହେ ବିତିଥିଲେ ମଧ୍ୟ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି। ଏପର୍ଯ୍ୟନ୍ତ ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ିନି। ପୀଡ଼ିତାଙ୍କ ଗାଁର ଅଟକ ରହିଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣକର ଲାଇ ଡିଟେକ୍ସନ କରାଯାଇଛି। କୋରାପୁଟରୁ ଭୁବନେଶ୍ବର ଅଣାଯାଇ ଫରେନ୍‌ସିକ୍‌ ଲାବ୍‌ରେ ତାଙ୍କ ଲାଇ ଡିକ୍ସେନ୍ କରାଯାଇଛି। ଆବଶ୍ୟକ ପଡ଼ିଲେ ପୀଡ଼ିତାଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।
ଅକ୍ଟୋବର ୧୧ ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୋରିଷପଦର ଜଙ୍ଗଲରେ ଘଟିଥିଲା ଏହି ଅଭାବନୀୟ ଘଟଣା। କୁନ୍ଦୁଲି ହାଟରୁ ଘରକୁ ଜନୈକା ନାବାଳିକା ଘରକୁ ଫେରୁଥିବା ବେଳେ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସିଆର୍‌ପିଏଫ୍ ଯବାନଙ୍କ ହାତ ରହିଥିବା ପୀଡ଼ିତାଙ୍କ ଭାଇ ଅଭିଯୋଗ କରିଥିଲେ। ହେଲେ ସିଆର୍‌ପିଏଫ୍‌ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରେଡ୍ ଫ୍ଲାଗ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ କରିଥିଲେ। କ୍ରାଇମବ୍ରାଞ୍ଚ ଟିମ୍‌ କୋରାପୁଟ ଗସ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ଚିହ୍ନଟ ହୋଇପାରି ନାହାନ୍ତି। ୪ ଜଣଙ୍କୁ ଅଟକ ରଖି ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି।
ଏପଟେ ମହିଳା କମିସନର ୪ ଜଣିଆ ଟିମ୍‌ ପୀଡ଼ିତାଙ୍କ ସହ ଆଲୋଚନା କରିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କଠାରୁ ତଥ୍ୟ ଯୋଗାଡ଼ କରିଛନ୍ତି। ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ମହିଳା କମିସନର ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here