ଓଡ଼ିଶାଲାଇଭ୍ ବ୍ୟୁରୋ

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି ଗଙ୍ଗାଧର।

ଏସପି କହିଛନ୍ତି ଯେ, ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ପାଣିରେ ବୁଡ଼ିବା କାରଣରୁ ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଛି। ଚିନ୍ମୟୀ ମୃତ୍ୟୁ ମାମଲାରେ ତଦନ୍ତ ସରିନାହିଁ। ଭିସେରା ରିପୋର୍ଟ ଆସିବା ପରେ ଏହି ମୃତ୍ୟୁ ମାମଲା ସ୍ପଷ୍ଟ ହୋଇପାରିବ ବୋଲି ସମ୍ବଲପୁର ଏସପି କହିଛନ୍ତି।

ଏସପିଙ୍କ ଏହି ସୂଚନା ପରେ ମୃତ ଚିନ୍ମୟୀଙ୍କ ପରିବାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ଚିନ୍ମୟୀଙ୍କ ମା’ କହିଛନ୍ତି ଯେ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଚିନ୍ମୟୀଙ୍କ ପରିବାର ଲୋକ ସେଇ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି। ସେମାନେ କହିଛନ୍ତି ଚିନ୍ମୟୀଙ୍କ ଶବ ଉଦ୍ଧାର କରାଯିବା ପରେ ତାଙ୍କ ବେକ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଚିନ୍ମୟୀଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଚିନ୍ମୟୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ଗତ ମଙ୍ଗଳବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ) ଠାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ ଚିନ୍ମୟୀ। ଉତ୍ସବ ପରେ କିଛି ବନ୍ଧୁଙ୍କ ସହ ଚିନ୍ମୟୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରୁ ବାହାରି ଥିଲେ। ଚିନ୍ମୟୀଙ୍କ ସାଙ୍ଗରେ ତାଙ୍କ ବନ୍ଧୁ ପ୍ରୀତିମାନ ଦେ ଏବଂ ଆଉ କିଛି ବନ୍ଧୁ ମଧ୍ୟ ଥିଲେ ବୋଲି ମୃତ ଚିନ୍ମୟୀଙ୍କ ମା’ କହିଥିଲେ।

ମଙ୍ଗଳାର ରାତି ୯ଟାରେ ଚିନ୍ମୟୀଙ୍କର ବସ୍ ସମୟ ରହିଥିଲା। କିନ୍ତୁ ବୁର୍ଲାରୁ ଭୁବନେଶ୍ଵର ପହଞ୍ଚିବା ପୂର୍ବରୁ ଘଟିଗଲା ବଡ଼ ଅଘଟଣ। ଚିନ୍ମୟୀ ପାଓ୍ଵାର ଚ୍ୟାନେଲକୁ ଡେଇଁ ପଡ଼ିଥିବାବେଳେ ୧୨ ଘଣ୍ଟା ପରେ ବୁଧବାର ଦିନ ଚିନ୍ମୟୀଙ୍କ ମୃତ ଦେହ ଠାବ କରାଯାଇଥିଲା। ଚିନ୍ମୟୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ତଦନ୍ତ ଜୋରଦାର ହୋଇଥିଲା।

ଚିନ୍ମୟୀ ମୃତ୍ୟୁ ମାମଲାରେ ତାଙ୍କ ବନ୍ଧୁ ପ୍ରୀତିମାନ ଦେ ଏବଂ ମାନସ ଟୁଡୁଙ୍କର ଲାଇ ଡିଟେକ୍ସନ ପରୀକ୍ଷା କରାଯାଇଛି। ଏହାର ରିପୋର୍ଟ ଏବେ ବନ୍ଦ ଲଫାପା ଭିତରେ ରହିଛି।

Tags: #VSSUT #ChinmayeePriyadarshiniSahoo #UnnaturalDeath #MurderCase #PoliceInvestigation #LieDetectionTest

Comment