ଓଡ଼ିଶାଲାଇଭ୍ ବ୍ୟୁରୋ

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାକୁ ଚାରିଦିନ ବିତିଥିବାବେଳେ ଏଯାଏଁ ମୃତ୍ୟୁ ରହସ୍ୟ ଉପରୁ ହଟି ପାରିନି ପରଦା। ଏହି ଘଟଣା ଉପରୁ ପରଦା ହଟାଇବାକୁ ପ୍ରୟାସ ଚଳାଇଛି ପୋଲିସ। ଶନିବାର ଦିନ ଚିନ୍ମୟୀଙ୍କ ବନ୍ଧୁ ପ୍ରୀତିମାନ ଦେ ଏବଂ ମାନସ ଟୁଡୁଙ୍କର ଲାଇ ଡିଟେକ୍ସନ ପରୀକ୍ଷା କରାଯାଇଛି।

ବୁର୍ଲା ପୋଲିସର ଦୁଇଟି ଟିମ୍ ପହଞ୍ଚିଛି ଭୁବନେଶ୍ଵର। ଗୋଟିଏ ଟିମ୍ ପ୍ରୀତିମାନ ଏବଂ ମାନସଙ୍କୁ ଭୁବନେଶ୍ଵର ଆଣିଥିବା ବେଳେ ଆଉ ଏକ ଟିମ୍ ପହଞ୍ଚିଛି ଚିନ୍ମୟୀଙ୍କ ଭଡ଼ାଘରେ।

ଭୁବନେଶ୍ଵରରେ ପହଞ୍ଚିବା ପରେ ପ୍ରୀତିମାନ ଏବଂ ମାନସଙ୍କର ଲାଇ ଡିଟେକ୍ସନ ପରୀକ୍ଷା କରାଯାଇଛି। ଏହି ପରୀକ୍ଷା ପରେ ଚିନ୍ମୟୀଙ୍କ ମୃତ୍ୟୁ ସମ୍ପର୍କରେ ଅନେକ ତଥ୍ୟ ମିଳିବ ବୋଲି ଆଶା ରଖିଛି ପୋଲିସ।

ପୋଲିସ ଟିମ୍ ଭୁବନେଶ୍ଵରରେ ଥିବା ଚିନ୍ମୟୀଙ୍କ ଭଡ଼ାଘରେ ତଦନ୍ତ କରୁଛି। ଭଡ଼ାଘରୁ ଚିନ୍ମୟୀଙ୍କର ଲାପଟପ, ପେନଡ୍ରାଇଭ ଏବଂ ଡାଇରୀକୁ ଜବତ କରିଛି ପୋଲିସ। ଏଗୁଡ଼ିକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ବୋଲି ପୋଲିସ କହିଛି।

ଏହା ସହିତ ଆଉ ଏକ ଟିମ୍ ମୃତ ଚିନ୍ମୟୀଙ୍କ ବଲାଙ୍ଗୀର ସ୍ଥିତ ଘରେ ପହଞ୍ଚିଛି। ସେଠାରେ ଚିନ୍ମୟୀଙ୍କ ବାପା, ମା’ ଏବଂ ଭଉଣୀଙ୍କୁ ପଚରାଉଚରା କରି ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଛି।

ମଙ୍ଗଳବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ) ଠାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ ଚିନ୍ମୟୀ। ଉତ୍ସବ ପରେ କିଛି ବନ୍ଧୁଙ୍କ ସହ ଚିନ୍ମୟୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରୁ ବାହାରି ଥିଲେ। ଚିନ୍ମୟୀଙ୍କ ସାଙ୍ଗରେ ତାଙ୍କ ବନ୍ଧୁ ପ୍ରୀତିମାନ ଦେ ଏବଂ ଆଉ କିଛି ବନ୍ଧୁ ମଧ୍ୟ ଥିଲେ ବୋଲି ମୃତ ଚିନ୍ମୟୀଙ୍କ ମା’ କହିଥିଲେ।

ମଙ୍ଗଳାର ରାତି ୯ଟାରେ ଚିନ୍ମୟୀଙ୍କର ବସ୍ ସମୟ ରହିଥିଲା। କିନ୍ତୁ ବୁର୍ଲାରୁ ଭୁବନେଶ୍ଵର ପହଞ୍ଚିବା ପୂର୍ବରୁ ଘଟିଗଲା ବଡ଼ ଅଘଟଣ। ଚିନ୍ମୟୀ ପାଓ୍ଵାର ଚ୍ୟାନେଲକୁ ଡେଇଁ ପଡ଼ିଥିବାବେଳେ ୧୨ ଘଣ୍ଟା ପରେ ବୁଧବାର ଦିନ ଚିନ୍ମୟୀଙ୍କ ମୃତ ଦେହ ଠାବ କରାଯାଇଥିଲା। ଚିନ୍ମୟୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି।

Tags: #VSSUT #ChinmayeePriyadarshiniSahoo #UnnaturalDeath #MurderCase #PoliceInvestigation #LieDetectionTest

Comment