ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରରେ କ୍ଷମତାରେ ରହିଛି ଭାରତୀୟ ଜନତା ପାର୍ଟି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଭଳି ୧୮ଟି ରାଜ୍ୟରେ ବିଜେପି ସରକାରରେ ରହିଛି। କେନ୍ଦ୍ରରେ ବହୁ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି। ବିଜେପି ବର୍ତ୍ତମାନ ବିଶ୍ବର ବଡ଼ ରାଜନୈତିକ ଦଳ ବୋଲି ଦାବି କରୁଛି। ତେବେ ଏହି ବଡ଼ ରାଜନୈତିକ ଦଳର କିଛି ଲୋକପ୍ରିୟ ରାଜନେତା କେତେ ପାଠ ପଢ଼ିଛନ୍ତି ତାକୁନେଇ ବିଶେଷ ରିପୋର୍ଟ।

ନରେନ୍ଦ୍ର ମୋଦି: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିତା ଯୋଗୁଁ ବିଜେପି ଆଜି କେନ୍ଦ୍ରରେ ଶାସନ ଗାଦିରେ ବସିଛି। ୧୯୫୦ ସେପ୍ଟେମ୍ବର ୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ମୋଦି ପିଲାବେଳେ ତାଙ୍କ ବାପାଙ୍କ ସହ ଚା’ ବିକୁଥିଲେ। ଗୁଜୁରାଟ ଭଡ଼ନଗରରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ତେବେ ମୋଦି ଭଲ ଛାତ୍ର ନଥିବା କୁହାଯାଉଛି। ମାତ୍ର ତାଙ୍କର ବକ୍ତୃତା ଓ ଥିଏଟର ପ୍ରତି ବିଶେଷ ଆଗ୍ରହ ରହିଥିଲା। ତେବେ ୧୯୭୮ରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଡିଷ୍ଟାନ୍ସ ପାଠ୍ୟକ୍ରମରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ ପାସ୍‌ କରିଥିଲେ। ଏହାପରେ ୧୯୮୨ରେ ମୋଦି ଗୁଜୁରାଟ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।
ଅମିତ ଶାହା: ନରେନ୍ଦ୍ର ମୋଦିଙ୍କ ଡାହାଣ ହାତ ଭାବେ ପରିଚିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାୟୋ କେମେଷ୍ଟ୍ରିରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ଶାହା ବାପାଙ୍କ ବ୍ୟବସାୟ ବୁଝାବୁଝି କରିଥିଲେ। ପରେ ସେ ଅହମ୍ମଦାବାଦ କୋ-ଅପରେଟିଭ୍ ବ୍ୟାଙ୍କରେ ଚାକିରି କରିଥିଲେ।
ଅରୁଣ ଜେଟଲୀ: ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଯିଏ ଦେଖିବ ସିଏ ଅର୍ଥନୀତିରେ ବିଶାରଦ ବୋଲି ଭାବିବ। ହେଲେ ଜେଟଲୀ ଦିଲ୍ଲୀ ସେଣ୍ଟ ଜାଭିଅର୍ସ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କମର୍ସରୁ ଗ୍ରାଜୁଏସନ୍ ପାସ୍ କରିଥିଲେ। ୧୯୭୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ଆଇନ୍ ଶିକ୍ଷାରେ ଡିଗ୍ରୀ ହାସଲ କରିଥିଲେ। କଲେଜରେ ପାଠ ପଢ଼ିବା ବେଳେ ଜେଟଲୀ ଛାତ୍ର ସଂସଦ ସଭାପତି ରହିବା ସହ ବହୁ ବାଦ-ବିବାଦରେ ମୁଣ୍ଡ ଖେଳାଉଥିଲେ। ଏହାସହ ସେ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ। ପାଠପଢ଼ା ଶେଷ ହେବା ପରେ ଜେଟଲୀ ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରୁଥିଲେ।
ଯୋଗୀ ଆଦିତ୍ୟନାଥ: କଟ୍ଟର ହିନ୍ଦୁବାଦୀ ନେତା ଭାବେ ପରିଚିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି। ହେଲେ ଯୋଗୀ ଏହାପରେ ତାଙ୍କ ଲାଇନ୍ ବଦଳାଇ ରାଜନୀତିରେ ପ୍ରବେଶ କରିଥିଲେ। ୧୯୭୨ ଜୁନ୍ ୫ରେ ଉତ୍ତରାଖଣ୍ଡର ଜନ୍ମ ଗ୍ରହଣ କରିଥିବା ଆଦିତ୍ୟନାଥଙ୍କ ସ୍କୁଲ ଶିକ୍ଷା ଠଙ୍ଗର ପ୍ରାଥମିକ ବିଦ୍ୟାଳୟରେ ହୋଇଥିଲା। ଏହାପରେ ସେ ଗଢ଼ଓ୍ବାଲ ବିଶ୍ବବିଦ୍ୟାଳୟରୁ ଗଣିତରେ ଡିଗ୍ରୀ ହାସଲ କରିଥିଲେ। ଯୋଗୀ ଜଣେ ମେଧାବୀ ଛାତ୍ର ଥିଲେ। ପାଠପଢ଼ା ସହ ସେ ଜଣେ ଭଲ ବକ୍ତା ଭାବେ ସୁନାମ ଅର୍ଜନ କରିଛନ୍ତି। ଭାଷଣ ଦେଇ ସେ ଅନ୍ୟମାନଙ୍କୁ ଆକର୍ଷିତ କରିବାର ସାମର୍ଥ୍ୟ ରଖିଛନ୍ତି।
ସୁଷମା ସ୍ବରାଜ: ବିଜେପିର ବରିଷ୍ଠ ନେତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଲ’ରେ ଡିଗ୍ରୀ ହାସଲ କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ସୁପ୍ରିମକୋର୍ଟରେ ଓକିଲାତି ଅଭ୍ୟାସ କରୁଥିଲେ। ସୁଷମା ଅମ୍ବାଲା ଏସ୍‌ଡି କଲେଜରୁ ସଂସ୍କୃତ ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିବା ପରେ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପାସ୍ କରିଥିଲେ। ପାଠ ପଢ଼ୁଥିବା ବେଳେ ସେ ହରିଆଣା ଭାଷା ବିଭାଗ ପକ୍ଷରୁ ଆୟୋଜିତ ବକ୍ତୃତି ପ୍ରତିଯୋଗିତାରେ ଭାଗ ନେଉଥିଲେ। ସେ ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ବେଷ୍ଟ ହିନ୍ଦୀ ପୁରସ୍କାର ପାଇଛନ୍ତି। ସବୁଠୁ ବଡ଼ କଥା ହେଉଛି ୨୫ ବର୍ଷ ବୟସରେ ସୁଷମା ହରିଆଣା ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ।

 

 

Comment