ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ପାଳନ ହୋଇଛି ନିଆରା ଦୀପାବଳି। ସରଜୁ ନଦୀ କୂଳରେ ୧ ଲକ୍ଷ ୮୭ ହଜାର ୨୧୩ ଦୀପ ପ୍ରଜ୍ବଳିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ବ ରେକର୍ଡ କରିଛନ୍ତି। ଏହାସହ ଲେଜର ସୋ ଜରିଆରେ ରାମ କଥା ଲୋକଙ୍କୁ ପ୍ରଦର୍ଶିତ ହୋଇଛି। ଏହି ନିଆରା ଦୀପାବଳିରେ ଅଯୋଧ୍ୟାବାସୀ ଝୁମିଛନ୍ତି।
ରାବଣକୁ ବଧ କରି ପୃଥିବୀରୁ ପାପ ଭାର ମୁକ୍ତ କରି ମର୍ଯ୍ୟା ପୁରୁଷୋତ୍ତମ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ସୀତା ପୁଷ୍କ ବିମାନରେ ଅଯୋଧ୍ୟା ଫେରିଥିଲେ। ଆଜି ଅନୁରୂପ ଝଲକ ଦେଖିବାକୁ ମିଳିଛି। ହେଲିକପ୍ଟରେ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ସୀତା ଅଯୋଧ୍ୟା ଫେରିଛନ୍ତି। ଆଉ ସେମାନଙ୍କୁ ପାଛୋଟି ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ ତାଙ୍କ କ୍ୟାବିନେଟ।
ଏହି ଅବସରରେ ଯୋଗୀ ଆଦିତ୍ୟନାଥ ଦେଶରେ ରାମ ରାଜ୍ୟ ପ୍ରତିଷ୍ଠା ପାଇଁ ସଙ୍କଳ୍ପ ନେଇଛନ୍ତି। ଗରିବ, ଆତଙ୍କବାଦ ଏବଂ ସାମ୍ପ୍ରଦାୟିକତାବାଦ ମୁକ୍ତ ଭାରତ ଗଠନ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ଆଦିତ୍ୟନାଥ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶର ବିକାଶ ହେଉଛି। ଏହି ବିକାଶରେ ସାମିଲ ହୋଇ ଆମେ ରାମ ରାଜ୍ୟର ପରିକଳ୍ପନାକୁ ଆମେ ସାକାର କରିବା। ଗରିବ ପରିବାରଙ୍କୁ ଗ୍ୟାସ, କୃଷିକଙ୍କୁ ଅଗ୍ରାଧିକାର, ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଏବଂ ଯୁବକଙ୍କୁ ନିଯୁକ୍ତି ପ୍ରଦାନ ହେଉଛି ରାମ ରାଜ୍ୟ।”
ଦୁଇ ଲକ୍ଷ ଦୀପ ଗଢ଼ିବା ପାଇଁ ୬୦ ଜଣ କୁମ୍ଭାର କରିବାରଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ଏହାସହ ସରଜୁ ନଦୀ କୂଳରେ ହେଉଥିବା ରାମଲୀଳାରେ ଯୋଗଦେବା ପାଇଁ ଥାଇଲାଣ୍ଡ ଏବଂ ଶ୍ରୀଲଙ୍କାରୁ ଆସିଛନ୍ତି କଳାକାର।

LEAVE A REPLY

Please enter your comment!
Please enter your name here