ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟର ସୋମନାଥ, ବାରାଣାସୀର କାଶୀ ବିଶ୍ବନାଥ ଧାମ ପରେ ବିଜେପି ନଜରରେ ପୁରୀ ଜଗନ୍ନାଥ ଧାମ୍। ଜଗନ୍ନାଥ ଧାମରୁ ନରେନ୍ଦ୍ର ମୋଦି କିମ୍ବା ଅମିତ ଶାହା ୨୦୧୯ ନିର୍ବାଚନ ଲଢ଼ନ୍ତୁ ବୋଲି ବିଜେପି ବିଗତ ଦିନରେ ଏଜେଣ୍ଡା ପ୍ରସ୍ତୁତ କରିଥିଲା। ଏବେ ‘ପୁରୀରୁ ନବକଳେବର’ ମନ୍ତବ୍ୟ ଧର୍ମେନ୍ଦ୍ର ପ୍ରଧାନ ଦେବା ପରେ ବିଜେପିର ଏହି ଏଜେଣ୍ଡା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି।

“ଓଡ଼ିଶାରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଛି। ଏ ସରକାରକୁ ବଙ୍ଗୋପସାଗରରେ ପକାଇବା ପାଇଁ ଲୋକ ମନ ବଳାଇଲାଣି। ଖୁବଶୀଘ୍ର ପୁରୀରୁ ନବକଳେବର ହେବ”- ଏହା କହିଛନ୍ତି ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଅସମୟରେ କେନ୍ଦ୍ରମନ୍ତ୍ରୀ ପୁରୀରୁ ନବକଳେବର କଥା କାହିକି କହିଲେ ତାର କାରଣ ରାଜନୀତିକ ମହଲ ଖୋଜୁଛି।
ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ବର କହିଛନ୍ତି, “ଧର୍ମେନ୍ଦ୍ର ୨୦୧୯ରେ କେଉଁଠୁ ଲଢ଼ିବେ ପ୍ରଥମେ ସ୍ପଷ୍ଟ କରନ୍ତୁ। ଯଦି ସେ ବିଧାୟକ ଭାବେ ଲଢ଼ିବାକୁ ଚାହୁଁଛନ୍ତି ତାହାଲେ ସେ ପୁରୀରୁ ଆସି ମୋ ସହ ଲଢ଼ନ୍ତୁ।”
୨୦୧୭ ଏପ୍ରିଲ୍‌ ୧୨। ୩ ଦିନ ଧରି ରାଜଧାନୀ ଭୁବନେଶ୍ବରର ଜନତ ମଇଦାନରେ ଚାଲିଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଯୋଗଦେଇଥିଲେ ବିଜେପିର ବହୁ ହାଇପ୍ରୋଫାଇଲ୍‌ ନେତା। ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ଚାଲିଥିଲା ମାନସମନ୍ଥନ। ଏହି କାର୍ଯ୍ୟକାରିଣୀ ପରେ ଜାତୀୟ ସ୍ତରର ପତ୍ରିକା ‘ଇଣ୍ଡିଆ ଟୁଡେ’ରେ ଏକ ରୋଚକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା ବିଜେପି ରାଜ୍ୟ ସ୍ତରୀୟ ନେତା ପୁରୀ ଜଗନ୍ନାଥ ଧାମରୁ ନରେନ୍ଦ୍ର ମୋଦି ଲଢ଼ନ୍ତୁ ବୋଲି ପ୍ରସ୍ତାବ ଦେଇଛି। ଯଦି ମୋଦି ଏଥିରେ ରାଜି ନହୁଅନ୍ତି ତାହାଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଲଢ଼ିବା ପାଇଁ କୁହାଯାଉ ବୋଲି ଓଡ଼ିଶା ବିଜେପି ନେତା ପ୍ରସ୍ତାବ ଦେଇଥିବା ଏହି ପତ୍ରିକାରେ ଉଲ୍ଲେଖ ରହିଥିଲା। କାରଣ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ କେବଳ ମୋଦି ଏବଂ ଶାହା ଟକ୍କର ଦେଇ ପାରିବେ ବୋଲି ରାଜ୍ୟ ବିଜେପି ନେତା ଅଙ୍କ କଷିଛନ୍ତି।
ଏହି ପତ୍ରିକାରେ ଆହୁରି ପ୍ରକାଶ ପାଇଥିଲା ଯେ, ଓଡ଼ିଶା ବିଜେପି ନେତା ଦାବି କରୁଛନ୍ତି ମୋଦି ଗୁଜୁରାଟର ସୋମନାଥ ଧାମ ଏବଂ ବାରାଣାସୀର କାଶୀ ବିଶ୍ବନାଥ ଧାମରୁ ଲଢ଼ିଛନ୍ତି। ଏଣୁ ସେ ୨୦୧୯ରେ ଜଗନ୍ନାଥ ଧାମରୁ ଲଢ଼ନ୍ତୁ। ସେପ୍ଟେମ୍ବର ମାସରେ ମିଶନ୍-୧୨୦ ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତି କରିବାକୁ ଆସିଥିବା ଅମିତ ଶାହାଙ୍କୁ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନ କରିଥିଲା। ହେଲେ ଏହାର କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ ଶାହା। ତେବେ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ପୁରୀରୁ ନବକଳେବର ଆରମ୍ଭ ହେବ ବୋଲି ମନ୍ତବ୍ୟ ଦେଇଥିବାରୁ ମୋଦି କିମ୍ବା ଶାହା ଜଗନ୍ନାଥ ଧାମରୁ ଲୋକସଭା ନିର୍ବାଚନ ଲଢ଼ିବେ କି ବୋଲି ପୁଣିଥରେ ଚର୍ଚ୍ଚା ଉଠିଛି।
୨୦୧୭ ଅକ୍ଟୋବର ୫। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ସମୟରେ ଜାବଡେକର ପୁରୀ ଜିଲ୍ଲା ଗସ୍ତ କରିଥିଲେ। ପୁରୀରେ ସଙ୍ଗଠନ ମଜଭୁତ ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ତେବେ ଜାଭଡେକର ଅଚାନକ ପୁରୀ ଜିଲ୍ଲାରେ ସଙ୍ଗଠନ ମଜଭୁତ ନେଇ ସମୀକ୍ଷା କରିବା ଘଟଣାକୁ ରାଜନୀତି ପର୍ଯ୍ୟବେକ୍ଷକ ଭିନ୍ନ ଦୃଷ୍ଟିରେ ଦେଖିଥିଲେ।
ଜାବଡେକରଙ୍କ ସମୀକ୍ଷା ପରେ ପୁରୀ ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଥିଲେ। କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନାରେ ପିନାକୀ ଯୋଗଦେଇ କହିଥିଲେ, ଧର୍ମେନ୍ଦ୍ର ଜଣେ କଠିନ ପରିଶ୍ରମୀ। ଏହି ମନ୍ତବ୍ୟ ପାଇଁ ପିନାକୀ ଅଡ଼ୁଆରେ ପଡ଼ିଥିଲେ। ତେବେ ଧର୍ମେନ୍ଦ୍ର ଯେଉଁ ନବକଳେବର ପ୍ରସଙ୍ଗ କଥା ଉଠାଇଛନ୍ତି ତାହା ପିନାକୀଙ୍କୁ ଦୃଷ୍ଟିରେ ରଖି କହି ନାହାନ୍ତି ତ ବୋଲି ରାଜନୀତି କରିଡରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶନିବାର ଭୁବନେଶ୍ବର ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି, “ଯେଉଁଠି ବିଜେଡିର ଅଧିକ ସିଟ୍ ସେଇଠୁ ବିଜେପିର ପାନିପଥ।” ତେବେ ଜାବଡେକରଙ୍କ ଏହି ମନ୍ତବ୍ୟ ପୁଣି ଧର୍ମନ୍ଦ୍ରେଙ୍କ ବିବୃତିକୁ ଅଧିକ ଚର୍ଚ୍ଚିତ କରିଛି।
ଲୁଲୁ ସେନାକୁ ନେଇ ବିଜେପି କଷୁଛି ଗଣିତ
ପୁରୀରେ ରହିଛି ୭ଟି ନିର୍ବାଚନମଣ୍ଡଳୀ। ହେଲେ ୨୦୧୪ରେ କୌଣସି ଗୋଟିଏ ଆସନକୁ ବିଜେପି କବ୍‌ଜା କରିପାରି ନଥିଲା। ଗତ ପଞ୍ଚାୟତ ନିର୍ବାଚନ ବେଳେ କେବଳ ନିମାପଡାରେ ବିଜେପିର ଭୋଟ ବୃଦ୍ଧି ପାଇଥିଲା। ହେଲେ ଅକ୍ଟୋବର ୧୪ରେ ଦିବଙ୍ଗତ କଂଗ୍ରେସ ନେତା ଲଲୁ ମହାପାତ୍ରଙ୍କ ପରିବାର ବିଜେପିରେ ସାମିଲ ହେବା ପରେ ଏହି ଜାତୀୟ ଦଳ ପୁରୀ ଉପରେ ଅଧିକ ଫୋକସ୍‌ କରୁଥିବା କୁହାଯାଉଛି। ଲୁଲୁ ପରିବାରକୁ ନେଇ ବିଜେପି ପୁରୀ ଜିଲ୍ଲାରେ ପ୍ରଭାବ ବିସ୍ତାର କରିବ ବୋଲି ଗଣିତ କଷୁଛି। ଲୁଲୁଙ୍କ ଭାଇ ଲଳିତେିନ୍ଦୁ ଏବଂ ଝିଅ ଉପାସନାଙ୍କୁ ଆଗରେ ରଖି ବିଜେପି ଭୋଟ ନେବ ବୋଲି ଆଶାବାଦୀ ରହିଛି। ତେବେ ଏହା କେତେଦୂର ସଫଳ ହେବ ତା’ ଉପରେ ସମସ୍ତଙ୍କ ନଜର।
 

LEAVE A REPLY

Please enter your comment!
Please enter your name here