ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦିନ ଥିଲା ମିଥୁନ୍‍ ଚକ୍ରବର୍ତ୍ତୀ ଷ୍ଟେସନରେ ରାତି କାଟୁଥିଲେ। ପାଖରେ ପଇସା ନଥିବାରୁ ଦିନେ ଦିନେ ଉପାସରେ ରହୁଥିଲେ। ହେଲେ ସମୟର ମୋଡ଼ ବଦଳିଗଲା। ଭୋକ ଉପାସରେ ଦିନ କାଟୁଥିବା ମିୁଥୁନ୍‍ ବଲିଉଡର ଷ୍ଟାର ବନିଗଲେ।

୧୯୭୬ରେ ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପ୍ରଥମ ଫିଲ୍ମ ‘ମୃଗୟା’ ପରଦାକୁ ଆସିଥିଲା। ଆଦିବାସୀଙ୍କ ଜୀବନୀ ଉପରେ ଏହି ଫିଲ୍ମ ‘ବେଷ୍ଟ ଫିଲ୍ମ ଆୱାର୍ଡ’ ପାଇବା ସହ ମିଥୁନ୍‍ ବି ଜାତୀୟ ପୁରସ୍କାର ପାଇଥିଲେ। ମାତ୍ର ଏହି ଫିଲ୍ମଟି ବକ୍ସ ଅଫିସ୍‍୍‍ରେ ହିଟ୍‍ ନହେବାରୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ହତାଶ ହୋଇଯାଇଥିଲେ। ପ୍ରଯୋଜକ ରାଜେଶ୍ୱର ରାଓ ଏବଂ ନିର୍ଦ୍ଦେଶକ ମୃଣାଳ ସେନ୍‍ ମନସ୍ତାପ ମଧ୍ୟରେ ରହୁଥିଲେ। ମିଥୁନ୍‍ ମଧ୍ୟ ତାଙ୍କ ପାଉଣା ପାଇ ନଥିଲେ।
କିଛିଦିନ ପରେ ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ପ୍ରଚାରକ ଆର୍‍ ଆର୍‍‍ ପାଠକଙ୍କୁ ଭେଟି ତାଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କଲେ। ଆଉ ଏହି ଫିଲ୍ମ କେମିତି ଭଲରେ ଚାଲିବ ତାର ଦାୟିତ୍ୱ ନେବାକୁ ପାଠକଙ୍କୁ ନିବେଦନ କରିଥିଲେ। ପାଠକ ନିର୍ଦ୍ଦେଶକ ମୃଣାଳ ସେନଙ୍କ ନିବେଦନକୁ ମନା କରିପାରି ନଥିଲେ। ଫଳରେ ଫିଲ୍ମଟି ମୁମ୍ବାଇ ବ୍ଲେଜ ଥିଏଟରରେ ସ୍କ୍ରିନିଂ ହୋଇଥିଲା।
ଫିଲ୍ମଟି ସ୍କ୍ରିନିଂ ହେବା ପରେ ମିଥୁନ୍‍ ପାଠକଙ୍କୁ ଭେଟି ତାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ କହିଥିଲେ। ପାଖରେ ଟଙ୍କା ନଥିବାରୁ ମୋତେ ସଂଘର୍ଷ କରିବାକୁ ପଡ଼ୁଛି ଏବଂ ଷ୍ଟେସନରେ ରହିବାକୁ ପଡ଼ୁଛି ବୋଲି ମିଥୁନ୍‍ କହିଥିଲେ। ମିଥୁନ୍‍ଙ୍କର ଏହି ପଦିଏ କଥା ପାଠକଙ୍କୁ ପ୍ରଭାବିତ କରିଥିଲା।
ପରେ ପାଠକ ମିଥୁନ୍‍ଙ୍କୁ ନେଇ ବି ଏନ୍‍ ଶର୍ମାଙ୍କ ସହ ସାକ୍ଷାତ କରାଇଥିଲେ। ଶର୍ମା ମିଥୁନ୍‍ଙ୍କୁ ତାଙ୍କ ଆଗାମୀ ଫିଲ୍ମ ପାଇଁ ସାଇନ୍‍ କରିଥିଲେ। ଏଥିପାଇଁ ଶର୍ମା ମିଥୁନ୍‍ଙ୍କୁ ଅଗ୍ରୀମ ୫ ହଜାର ଟଙ୍କାର ଚେକ୍‍ ଦେଇଥିଲେ। ହେଲେ ମିଥୁନ୍‍ କହିଥିଲେ ଚେକ୍‍ ନେଇ ମୁଁ କ’ଣ କରିବି? ମୋତେ କିଛି ଟଙ୍କା ଦିଅନ୍ତୁ, କାରଣ ମୁଁ ଦୁଇଦିନ ହେଲା କିଛି ଖାଇନି। ଦୁର୍ଭାଗ୍ୟବଶତଃ ଏହି ଫିଲ୍ମଟି କୌଣସି କାରଣ ପାଇଁ ସୁଟିଂ ହୋଇପାରିନଥିଲା।

Comment