ଓଡ଼ିଶାଲାଇଭ୍‍ ବ୍ୟୁରୋ

୨୧ ବର୍ଷିୟା ଜୋୟିତା ମଣ୍ଡଳ ଦେଶର ପ୍ରଥମ କିନ୍ନର ବିଚାରପତି ହୋ‍ଇଛନ୍ତି। ପଶ୍ଚିମବଙ୍ଗର ଇସ୍‌ଲାମପୁର ଲୋକ ଅଦାଲତରେ ସେ ଏହି ନିଯୁକ୍ତି ପାଇଛନ୍ତି। ୨୦୧୦ ମସିହାରେ ଜୋୟିତା କିନ୍ନରମାନଙ୍କର ଅଧିକାର ଓ ସ୍ୱାର୍ଥ ନେଇ କାମ କରିଆସୁଛନ୍ତି। ଜୋୟିତାଙ୍କ କହିବା କଥା ଯେ ଏହି ନିଯୁକ୍ତି ପରେ କିନ୍ନରମାନଙ୍କର ସାମାଜିକ ସ୍ଥିତିକୁ କେବଳ ସ୍ୱୀକୃତି ମିଳିଛି, ତାହା ନୁହେଁ, ଜଣେ ସମାଜକର୍ମୀ ଭାବେ ତାଙ୍କୁ ଦେଖିବା ଆରମ୍ଭ କରିଛି ସରକାରୀ କଳ। ଏହି ନିଯୁକ୍ତିରେ ଟ୍ରାନ୍ସଜେଣ୍ଡରର କୌଣସି ବିଚାର ହୋ‍ଇନାହିଁ ବୋଲି ଦୃଢୋକ୍ତି କରିଛନ୍ତି ଜୋୟିତା।
କିନ୍ନରଙ୍କ ପାଇଁ ପ୍ରେରଣା
ଜୋୟିତା ମଣ୍ଡଳ ଦେଶର ପ୍ରଥମ ଜଜ୍‌ ହେବା ପରେ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଏହା ଏକ ବଡ଼ ପ୍ରେରଣା ହୋ‍ଇପାରିଛି। ତେବେ ଏହି ସଫଳତା ପାଇବା ପାଇଁ ଜୋୟିତାଙ୍କୁ କିଛି କମ୍‍ କଷ୍ଟ କରିବାକୁ ପଡ଼ିନାହିଁ। ଜୋୟିତାଙ୍କୁ ପ୍ରତିଟି ସ୍ଥାନରେ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ହେଲେ ଏସବୁକୁ ସେ ଖାତିର ନକରି ନିଜର ଲକ୍ଷ୍ୟ ହାସଲ କରିବାରେ ଆଗେଇ ଯାଇଥିଲେ। ଟ୍ରାନ୍ସଜେଣ୍ଡରମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ୨୦୧୦ ମସିହାରେ ଜୋୟିତା ‘ନ‌ଇ ରୋଶନି’ ନାମକ ଏକ ସଂସ୍ଥା ଗଠନ କରିଥିଲେ। କ୍ରମଶଃ ଦେଖାଗଲା ଏହି ସଂସ୍ଥା ସହିତ ବହୁ ଲୋକ ନିଜକୁ ଜଡ଼ିତ କରିବା ଆରମ୍ଭ କଲେ।
ହକ୍‍ ଦିଆଇବେ
ଜୋୟିତା କହନ୍ତି, “ଦେଶରେ ବହୁ ଟ୍ରାନ୍ସଜେଣ୍ଡର ଅଛନ୍ତି। ସେମାନଙ୍କୁ ସୁଯୋଗ ସୁବିଧା ମିଳିଲେ ସେମାନେ ବହୁତ କିଛି କରିପାରିବେ।” ଦେଶର ଲୋକ ଅଦାଲତର ପ୍ରଥମ ଟ୍ରାନ୍ସଜେଣ୍ଡର ବିଚାରପତି ଜୋୟିତା କହିଛନ୍ତି ଯେ ଏହି ଗୋଷ୍ଠୀର ଲୋକମାନଙ୍କୁ ସେ ତାଙ୍କ ଅଧିକାରକୁ ନିଶ୍ଚିତ କରିବେ। ଦେଶରେ ଯେଉଁ ଅଳ୍ପକିଛି କିନ୍ନର ସଂଗ୍ରାମ କରି ଉପରକୁ ଉଠିଛନ୍ତି, ସେମାନଙ୍କ ଭିତରେ ଜୋୟିତା ମଧ୍ୟ ଅନ୍ୟତମ।
ସଂଘର୍ଷର ଯାତ୍ରା
ଜୋୟିତାଙ୍କୁ ପିଲାବେଳୁ ହିଁ ବ୍ୟଙ୍ଗ ଓ ତାଚ୍ଛଲ୍ୟର ସାମନା କରିବାକୁ ହୋ‍ଇଥିଲା। ଏଥିରେ ବ୍ୟସ୍ତବିବ୍ରତ ହୋ‍ଇ ତାଙ୍କ ପରିବାରର ସଦସ୍ୟମାନେ ଜୋୟିତାଙ୍କୁ ବେଶ୍‌ ଗାଳି ଦେଉଥିଲେ। ସ୍କୁଲ୍‌ରେ ପଢିବାବେଳେ ତାଙ୍କୁ କମେଣ୍ଟ ବି କରାଯାଉଥିଲା। ପରିସ୍ଥିତି ଏମିତି ହେଲା ଯେ ତାଙ୍କୁ ପ୍ରଥମେ ସ୍କୁଲ୍‍ ଛାଡ଼ିବାକୁ ପଡ଼ିଲା ଓ ପରେ ୨୦୦୯ ମସିହାରେ ନିଜ ଘର।
ଚାକିରି ସନ୍ଧାନରେ ଯାଇ ଜୋୟିତା ପ୍ରଥମେ ପହଞ୍ଚିଥିଲେ ଏକ କଲ୍‍ ସେଣ୍ଟରରେ। କିନ୍ତୁ ସେଠି ବି ସହଯୋଗୀମାନେ ତାଙ୍କର ମଜାକ୍‍ ଉଡ଼ାଇଥିଲେ। ଏପରିକି ତାଙ୍କୁ ଅନେକ ସମୟରେ ଭିକ ମାଗି ପେଟ ପୋଷିବାକୁ ପଡ଼ିଥିଲା। ତାଙ୍କୁ ଘରଭଡ଼ା ଦେବା ପାଇଁ କେହି ରାଜି ହେଉନଥିଲେ। ଏଣୁ ସେ ଅନେକଥର ଖୋଲା ଆକାଶ ତଳେ ଜୀବନ ବିତାଇଥିଲେ। ଜୋୟିତାଙ୍କ ଜୀବନରେ ନୂଆ ଆଶାର ସଞ୍ଚାର ହେଲା ଯେଉଁଦିନ ସେ ଏକ ସାମାଜିକ ସଂସ୍ଥା ସହିତ ଯୋଡ଼ିହେଲେ ଓ ସାମାଜିକ କର୍ମକୁ ତାଙ୍କର ଜୀବନର ବ୍ରତ ବୋଲି ଧରିନେଳେ। ୨୦୧୦ରୁ ସେ ଜଣେ ପ୍ରତିଷ୍ଠିତ ସମାଜକର୍ମୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।
ବାସ୍ତବରେ ଜୋୟିତାଙ୍କର ଏହା ଏକ ଲମ୍ବା ଲଢେଇର କାହାଣୀ…

LEAVE A REPLY

Please enter your comment!
Please enter your name here