ଓଡ଼ିଶାଲାଇଭ୍‍ ବ୍ୟୁରୋ

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ହଠାତ୍ ସୋସିଆଲ ମିଡିଆରେ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ସୋସିଆଲ ମିଡିଆରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେଉଛନ୍ତି ରାହୁଲ ଗାନ୍ଧି।
ପୂର୍ବରୁ କେବଳ ରାହୁଲଙ୍କୁ ପରିହାସ କରିବାରେ ବିଜେପିର ସୋସିଆଲ ମିଡିଆ କାମ କରୁଥିଲା। ଏବେ ରାହୁଲ ତାଙ୍କ ଟ୍ୱିଟର ପେଜରେ କଟାକ୍ଷ କରୁଛନ୍ତି ମୋଦିଙ୍କୁ। ଭଲ ପ୍ରତିକ୍ରିୟା ମିଳୁଛି। ରାହୁଲଙ୍କ ଟ୍ୱିଟ୍ ଉପରେ ଲାଇକ୍ ଏବଂ ରି-ଟ୍ୱିଟ୍ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ବହୁଦିନ ପରେ ଦୁଇ ନେତା ପରସ୍ପରକୁ ଟକ୍କର ଦେଉଛନ୍ତି ସୋସିଆଲ ମିଡିଆରେ।
ଜାତୀୟ କଂଗ୍ରେସ ବିଶେଷ କରି ରାହୁଲଙ୍କ ଏହି ସଫଳତା ପଛରେ ଅଭିନେତ୍ରୀରୁ ନେତ୍ରୀ ବନିଥିବା ରାମ୍ୟାଙ୍କ ଭୂମିକା ନେଇ ଜୋରଦାର ଚର୍ଚ୍ଚା ହେଉଛି। କଂଗ୍ରେସ ପାର୍ଟିର ଡିଜିଟାଲ ଓ ସୋସିଆଲ ମିଡିଆ ପ୍ରଚାର ମୁଖ୍ୟ ଭାବେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରାମ୍ୟା ଦାୟିତ୍ଵ ନେବା ପରେ ବଦଳିଯାଇଛି ସ୍ଥିତି। ଡିଜିଟାଲ ମିଡିଆ ପାଇଁ ଅନେକ ଅଭିନବ ରଣନୀତି ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି ରାମ୍ୟା। ତାଙ୍କରି ଯୋଗୁଁ ଇଣ୍ଟରନେଟ୍ ଦୁନିଆରେ ରାହୁଲଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ପୂର୍ବରୁ ରାହୁଲଙ୍କର ଯେଉଁ ଛବି ଥିଲା, ସେଥିରେ ବ୍ୟାପକ ପରିବର୍ତ୍ତନ ହୋଇଛି।
ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ରାହୁଲଙ୍କ ପ୍ରଶଂସକ ଓ ତାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବୃଦ୍ଧି ଚିନ୍ତାରେ ପକାଇ ଦେଇଛି ବିଜେପି ନେତାଙ୍କୁ। ସେମାନେ ଅଭିଯୋଗ କରିଛନ୍ତି ଯେ ବୁଡି ଯାଉଥିବା କଂଗ୍ରେସ ପାର୍ଟି ନିଜ ସ୍ଥିତିକୁ ଅକ୍ଷୁର୍ଣ୍ଣ କରିବାକୁ ମିଛ ପ୍ରଶଂସକ ଓ ସମର୍ଥକ ସୋସିଆଲ ମିଡିଆରେ ସୃଷ୍ଟି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଖୋଲିଖୋଲି ଅଭିଯୋଗ କରିଛନ୍ତି, ‘ବଟ୍ସ’ ଜରିଆରେ ନକଲି ସମର୍ଥକ ସୃଷ୍ଟି କରାଯାଇଛି। ତେବେ ଏହାକୁ ଅସ୍ୱୀକାର କରିଛନ୍ତି ରାମ୍ୟା।
ବଟ୍ସ?
ବିଭିନ୍ନ ସୋସିଆଲ ମିଡିଆ ବିଶେଷ କରି ଟ୍ୱିଟର ପେଜରେ ଲାଇକ୍ ଓ ରି-ଟ୍ୱିଟ୍ ‘ବଟ୍ସ’ ଜରିଆରେ ବୃଦ୍ଧି କରାଯାଏ। ଇଣ୍ଟରନେଟ୍ ରୋବଟ୍ସ ବା ‘ବଟ୍ସ’ ହେଉଛି କମ୍ପ୍ୟୁଟର ଦ୍ୱାରା ଅଟୋ-ଜେନେରେଟ୍ ହେଉଥିବା ଲାଇକ୍ ଓ ରି-ଟ୍ୱିଟ୍। ଏହି ଟେକ୍ନୋଲଜି ସହାୟତାରେ ସୋସିଆଲ ମିଡିଆରେ ଫଲୋଅର ବୃଦ୍ଧି କରିବାଠାରୁ ଆରମ୍ଭ କରି ଗୋଟିଏ ମନ୍ତବ୍ୟର ହଜାର ହଜାର ସମର୍ଥନ ଓ ପ୍ରତିକ୍ରିୟା ବୃଦ୍ଧି କରାଯାଏ। ବିଦେଶରେ ଏ ନେଇ ବଡ଼ ବଡ଼ ରାକେଟ୍ କାର୍ଯ୍ୟ କରିଥାଏ। କେବଳ ରାହୁଲ ଗାନ୍ଧି ନୁହେଁ ମୋଦିଙ୍କଠାରୁ ଆରମ୍ଭ କରି ସବୁ ବଡ଼ ବଡ଼ ନେତାଙ୍କର ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ସମର୍ଥକ ଏହି ମାଧ୍ୟମରେ କରାଯାଉଥିବା ଅଭିଯୋଗ ହୋଇଆସିଛି।
ନୂଆ ତଥ୍ୟ କହୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଟ୍ୱିଟର ଆକାଉଣ୍ଟରେ ମିଛ ସମର୍ଥକଙ୍କ ସଂଖ୍ୟା ରାହୁଲ ଗାନ୍ଧିଙ୍କଠାରୁ ଅଧିକ।
ଏହି ଆରୋପ ପ୍ରତ୍ୟାରୋପ ଭିତରେ ଗୋଟିଏ କଥା ସତ ଯେ ଡିଜିଟାଲ ମିଡିଆରେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଅଡୁଆରେ ପକାଇଛନ୍ତି ରାହୁଲ। ରାମ୍ୟା ଦାୟିତ୍ଵ ନେବା ପରେ ରାହୁଲଙ୍କର ସୋସିଆଲ ମିଡିଆ କାର୍ଯ୍ୟକଳାପ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଚର୍ଚ୍ଚା ହେଉଛି, ରାମ୍ୟାଙ୍କ କାର୍ଯ୍ୟଦକ୍ଷତା ଉପରେ ରାହୁଲ ଗାନ୍ଧିଙ୍କ ଅତୁଟ ବିଶ୍ୱାସ ରହିଛି। ରାମ୍ୟା ମଧ୍ୟ ଡିଜିଟାଲ ପ୍ରଚାର ଦାୟିତ୍ଵ ନେବା ପରେ ଜନମାନସରେ ରାହୁଲଙ୍କ ଛବିରେ ବ୍ୟାପକ ସୁଧାର ଆଣିପାରିଛନ୍ତି।
ରାମ୍ୟା, ରାହୁଲ ଗାନ୍ଧିଙ୍କ ଟ୍ୱିଟର ପେଜ୍ ହ୍ୟାଣ୍ଡେଲ କରିବା ପରେ ମୋଦି ସରକାରଙ୍କୁ ସମାଲୋଚନା ଶାଣିତ ହୋଇଛି। ଯାହା ବିଜେପିକୁ ବ୍ୟସ୍ତ ବିବ୍ରତ କରିପକାଇଛି।

Comment