ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ବିଧାନସଭା ଭୋଟ ପାଇଁ ବାଜିଲା ବିଗୁଲ୍। ନିର୍ବାଚନ କମିଶନ୍ ବୁଧବାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ ବୋଲି କମିଶନ କହିଛନ୍ତି। ଡିସେମ୍ବର ୯ରେ ୮୯ ବିଧାନସଭା ଆସନ ପାଇଁ ଭୋଟ ହେବାକୁ ଥିବା ବେଳେ ୧୪ ତାରିଖରେ ୯୩ ଆସନ ପାଇଁ ଭୋଟ ଗ୍ରହଣ ହେବ। ୧୮ ତାରିଖରେ ଭୋଟ ଗଣତି କରାଯିବା ସହ ଫଳାଫଳ ଜଣାପଡ଼ିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଅଚଳ କୁମାର ଜ୍ୟୋତି ଘୋଷଣା କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୧୯ଟି ଜିଲ୍ଲାରେ ଭୋଟ ହେଉଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୪ଟି ଜିଲ୍ଲାରେ ଭୋଟ ହେବ।
ଗୁଜୁରାଟର ୧୮୨ଟି ଆସନରେ ମୋଟ ୪.୩୦ କୋଟି ଭୋଟର ଅଛନ୍ତି। ମତଦାନ ପାଇଁ ୫୦,୧୨୮ଟି ବୁଥ୍ କରାଯାଇଛି। ଏହି ନିର୍ବାଚନରେ ଭିଭିପାଟ ମେସିନ୍ ବ୍ୟବହାର କରାଯିବ ବୋଲି କମିଶନ ଘୋଷଣା କରିଛନ୍ତି।
ନିର୍ବାଚନ କମିଶନ କହିଛନ୍ତି, ପ୍ରତି ବୁଥ୍‌ରେ ଜଣେ ଲେଖାଏଁ ମହିଳା ନିର୍ବାଚନ ଅଧିକାରୀ ଉପସ୍ଥିତ ରହିବେ। ଏହାସହ ବଡ଼ ନିର୍ବାଚନ ରାଲିର ଭିଡିଓ ରେକର୍ଡିଂ କରାଯିବ। ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସହ ଗୁଜୁରାଟ ବର୍ଡର ଚେକ୍‌ପୋଷ୍ଟ ନିକଟରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି।
ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନରେ ୨୮ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ। ଏହି ଖର୍ଚ୍ଚ ଉପରେ ଆୟକର ବିଭାଗ ପକ୍ଷରୁ ନଜର ରଖାଯିବ। ସମସ୍ତ ପ୍ରାର୍ଥୀ ନିର୍ବାଚନ ପାଇଁ ପୃଥକ୍ ପୃଥକ୍ ଆକାଉଣ୍ଟ ଖୋଲିବେ ଏବଂ ଏହି ଆକାଉଣ୍ଟ ଜରିଆରେ ସେମାନେ ନିର୍ବାଚନ ଖର୍ଚ୍ଚ କରିବେ ବୋଲି କମିଶନ ଘୋଷଣା କରିଛନ୍ତି।

Comment