ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କିଙ୍ଗ୍କୁ ନେଇ ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଆଜି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଏହି ଶୁଣାଣି ବେଳେ ବିଚାରପତି ଏକ କଟୁ ମନ୍ତବ୍ୟ ଦେଇଛନ୍ତି।
କୋର୍ଟ କହିଛନ୍ତି, “ସଂସଦରେ ଗୃହୀତ ଆଇନକୁ ରାଜ୍ୟ କିପରି ଚାଲେଞ୍ଜ କରିପାରିବେ?”
ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଯୋଡ଼ିବା ଓ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇଁ ଆଧାର ଜରୁରୀ ବୋଲି କେନ୍ଦ୍ର ସରକାର ଏଥିପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମମତା ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ବିଶେଷକରି ମୋବାଇଲ ନମ୍ବର ସହିତ ଆଧାର ଲିଙ୍କକୁ ନେଇ ସେ ଫିଡିକି ଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ମୋବାଇଲ କମ୍ପାନିମାନଙ୍କୁ ନୋଟିସ ଜାରି କରିଥିଲେ। ଆବେଦନର ପ୍ରାଥମିକ ଶୁଣାଣି କରି ସୁପ୍ରିମକୋର୍ଟ କହିଲେ ଯେ ଯଦି ମମତାଙ୍କ ବାନାର୍ଜୀଙ୍କର ଏଥିରେ କିଛି କହିବାର ଅଛି ସାଧାରଣ ନାଗରିକ ଭାବରେ ସେ ଆବେଦନ କରନ୍ତୁ।
ସରକାରୀ ପଦର ଅପବ୍ୟବହାର କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ଅନୁଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଧାର କାର୍ଡ ସଂଯୋଗକୁ ନେଇ ମମତା ଏତେ ପରିମାଣରେ କ୍ଷୁବ୍ଧ ହୋଇଯାଇଥିଲେ ଯେ ବରଂ ତାଙ୍କ ମୋବାଇଲ କନେକ୍ସନ କଟିଯାଉ କିନ୍ତୁ କେବେ ବି ସେ ଲିଙ୍କିଙ୍ଗ କରିବେ ନାହିଁ।
ସୁପ୍ରିମକୋର୍ଟର ମନ୍ତବ୍ୟ ପରେ ପଶ୍ଚିମବଙ୍ଗ ସରକାର ଏହି ଆବେଦନକୁ ସଂଶୋଧନ କରି ପୁଣି ଥରେ ଦାଖଲ କରିବେ। ଚାରି ସପ୍ତାହ ପରେ ଏହି ମାମଲାର ସାନି ବିଚାର ହେବ।