ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରପର୍ଟି କିଣିବା ପାଇଁ ସାରା ବିଶ୍ୱରେ ବର୍ତ୍ତମାନ ସବୁଠାରୁ ବଢିଆ ଜାଗା ହେଉଛି ଦୁବାଇ। ଦୁବାଇରେ ସମ୍ପତ୍ତି ଠୁଳ କରିବା କ୍ଷେତ୍ରରେ ଭାରତର ଲୋକଙ୍କ ସ୍ଥାନ ସର୍ବପ୍ରଥମ ବୋଲି ଜଣାପଡ଼ିଛି। ପୁର୍ବ ବର୍ଷମାନଙ୍କରେ ମଧ୍ୟ ଭାରତୀୟମାନେ ଟପ୍‌ରେ ଥିଲେ।

ଜାନୁଆରୀ ୨୦୧୬ରୁ ଜୁନ୍ ୨୦୧୭ ମଧ୍ୟରେ ଦୁବାଇରେ ଭାରତୀୟ ଲୋକେ ୪୨,୦୦୦ କୋଟି ଟଙ୍କାର ସମ୍ପତ୍ତି ଖରିଦ୍‌ କରିଛନ୍ତି। ଦୁବାଇ ଇଷ୍ଟେଟ ବିଭାଗର ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱର ଯେତିକି ଲୋକ ସେଠି ଘରବାଡ଼ି କିଣନ୍ତି ସେମାନଙ୍କ ମଧ୍ୟରେ ଭାରତର ଲୋକେ ସର୍ବାଧିକ ସମ୍ପତ୍ତିର ମାଲିକ। ୨୦୧୪ ମସିହାରେ ଏହି ପ୍ରପର୍ଟିର ମୂଲ୍ୟ ୩୦ ହଜାର କୋଟି ଟଙ୍କା ଥିବା ବେଳେ ୨୦୧୭ରେ ଏହା ୧୨ ହଜାର କୋଟି ଅଧିକ ହୋଇଛି। ଇତି ମଧ୍ୟରେ ଅଣ-ଆରବ ଲୋକେ ପ୍ରାୟ ଲକ୍ଷେ କୋଟି ଟଙ୍କାର ସମ୍ପତ୍ତି କିଣିଛନ୍ତି, ଯେଉଁଥିରେ ଭାରତୀୟମାନଙ୍କ ଅଂଶ ପ୍ରାୟ ୩୦ ପ୍ରତିଶତ।

ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ବାନ୍ଦ୍ରା-କୁର୍ଲା କ୍ୟାମ୍ପସରେ ତୃତୀୟ ଦୁବାଇ ପ୍ରପର୍ଟି ସୋ’ ଆୟୋଜିତ ହେଉଛି। ଏହି ସୋ’ର ଆୟୋଜକମାନଙ୍କ ମତରେ ଯେଉଁ ଭାରତୀୟ ଲୋକେ ଦୁବାଇରେ ପ୍ରପର୍ଟି କିଣୁଛନ୍ତି ସେଥିରେ ବିଗତ କିଛି ସମୟ ଧରି  ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।

ଏହି ଅଧ୍ୟୟନ ଅନୁସାରେ ମୁମ୍ବାଇ, ପୁଣେ, ଅହମ୍ମଦାବାଦ ଓ ନବି ମୁମ୍ବାଇର ଲୋକେ ହିଁ ପ୍ରାୟ ଦୁବାଇରେ କୋଠାଘର ପାଇଁ ପୁଞ୍ଜି ବିନିଯୋଗ କରିଥା’ନ୍ତି। ଦୁବାଇ ପ୍ରପର୍ଟି ସୋ’ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଯେ ସେଠାରେ କିଣା ହେଉଥିବା ଫ୍ଲାଟର ଦାମ ୩.୨୪ କୋଟିରୁ ଆରମ୍ଭ କରି ୬.୫ କୋଟି ପର୍ଯ୍ୟନ୍ତ। ଖୁବ୍ କମ ଲୋକ ଅଛନ୍ତି ଯେଉଁମାନେ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି କ୍ରୟ କରିଥା’ନ୍ତି।

LEAVE A REPLY

Please enter your comment!
Please enter your name here