(ଓଡ଼ିଶାଲାଇଭ୍ ବ୍ୟୁରୋ)
ପ୍ରଦୂଷିତ ହୋଇଛି ଦୟା ନଦୀ ପାଣି। ଏହା ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ଘୋଷଣା ସତ୍ତ୍ୱେ ଖୋର୍ଦ୍ଧା ସହରବାସୀଙ୍କୁ ଏହି ଦୂଷିତ ପାଣି ମିଳୁଛି। ତେବେ କାହିଁକି ଖୋର୍ଦ୍ଧା ଜନ ସ୍ୱାସ୍ଥ୍ୟ ବିଭାଗ ଦୟାର ଦୂଷିତ ପାଣି ଆମକୁ ଦେଉଛି ବୋଲି ପୂର୍ବତଟ ରେଳବାଇ କଲୋନୀ, ଇଡ୍କୋ କଲୋନୀ ଏବଂ ଆର୍ଡବ୍ଲ୍ୟୁଏସ୍ଏସ୍ କଲୋନି ବାସିନ୍ଦା ପ୍ରଶ୍ନ କରିଛନ୍ତି। ନରାଜ ବ୍ୟାରେଜର ପାଣି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେମାନେ ଦାବି କରିଛନ୍ତି।
ଖୋର୍ଦ୍ଧା ସହର ବାସିନ୍ଦା ରମେଶ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଦୟା ନଦୀ ପାଣି ଦୂଷିତ ହୋଇଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହାସତ୍ତ୍ୱେ ପ୍ରଶାସନ ଆମକୁ ଦୟାର ଦୂଷିତ ପାଣି ଯୋଗାଣ କରୁଛି।”
ଏପଟେ ଖୋର୍ଦ୍ଧାର ବାର୍ ଆସୋସିଏସନ୍ ମଧ୍ୟ ରଣହୁଙ୍କାର ଦେଇଛି। ଯଦି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନନିଅନ୍ତି ତାହାଲେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବାକୁ ଆସୋସିଏସନ୍ ଚେତାବନୀ ଦେଇଛି।
କିଛିଦିନ ତଳେ ରାଜସ୍ୱ ମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଘୋଷଣା କରିଥିଲେ ଯେ, ଦୟା ନଦୀ ପାଣି ପାନୀୟ ଉପଯୋଗୀ ନୁହେଁ। ଦୟା ନଦୀ ପାଣିରେ ଆବର୍ଜନା ପାଣି ମିଶୁଛି। ଏଥିପାଇଁ ଲୋକଙ୍କୁ ସଚେତନ କରାଯିବ।














