ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କୁ ଚିକିତ୍ସା ସମ୍ପର୍କରେ ପଚରା ଉଚରା କରିବେ ରାଜ୍ୟ ମାନବାଧିକାର କମିଶନ। ଏଥିପାଇଁ ଆଜି କୋରାପୁଟ ମେଡିକାଲ କଲେଜ ଅଧୀକ୍ଷକ ସୀତାରାମ ମହାପାତ୍ର ଆଜି କମିଶନଙ୍କୁ ଭେଟିଛନ୍ତି। ପୀଡ଼ିତାଙ୍କ ଚିକିତ୍ସା ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ଅଧୀକ୍ଷକଙ୍କୁ ଆଜି କମିଶନ ଡାକିଥିଲେ। କମିଶନଙ୍କ ଡକରା ପାଇ ଅଧୀକ୍ଷକ ଶ୍ରୀ ମହାପାତ୍ର ଆଜି ହାଜର ହୋଇଛନ୍ତି।

ପୂର୍ବରୁ ପୀଡ଼ିତାଙ୍କ ଚିକିତ୍ସା ସମ୍ପର୍କୀତ ରିପୋର୍ଟ ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କୁ ଦେଇଥିଲେ କୋରାପୁଟ ମେଡିକାଲ ଅଧୀକ୍ଷକ। ଏହି ରିପୋର୍ଟ ଆଧାରରେ ପୀଡ଼ିତାଙ୍କ ସହ କୌଣସି ଗଣଦୁଷ୍କର୍ମ ହୋଇନାହିଁ ବୋଲି ଏଡିଜି କହିଥିଲେ। ଏହାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ହୋଇଥିଲା।

ଏପଟେ ଘଟଣାର ତଦନ୍ତ ପାଇଁ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ କୋରାପୁଟରେ ପହଞ୍ଚିଛନ୍ତି। ଏହି ଟିମ୍‌ ଗଣଦୁଷ୍କର୍ମ ଘଟଣାର ଖୋଳତାଡ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୮ରେ ବିଚାରବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ଜଣେ ଜିଲ୍ଲା ଜଜ୍‌ଙ୍କ ନେତୃତ୍ବରେ ୧୯୫୨ ଇନ୍‌କ୍ବାରି ଆକ୍ଟ ଅନୁଯାୟୀ ତଦନ୍ତ ହେବ। ସମାନ୍ତରାଳ ଭାବେ କ୍ରାଇମ୍ରାବଞ୍ଚ ଏବଂ ଜୁଡିସିଆଲ୍‌ ତଦନ୍ତ ଚାଲିବ।

ଅକ୍ଟୋବର ୧୦ରେ ଏହି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। କେତେକ ସୁରକ୍ଷା କର୍ମୀ ଏଥିରେ ସଂପୃକ୍ତ ଥିବା ପୀଡିତା ଏବଂ ତାଙ୍କ ଭାଇ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଡିଜି ଏହାକୁ ରେଡ ଫ୍ଲାଗ୍‌ କ୍ୟାଟେଗେରିରେ ରଖିଥିଲେ। ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରି ପ୍ରତିବାଦ କରିଥିବା ବେଳେ କଂଗ୍ରେସ ମଧ୍ୟ କୋରାପୁଟରେ ପଦଯାତ୍ରା କରିଥିଲା। ପୀଡ଼ିତାକୁ ନ୍ୟାୟ ଦେବା ଦାବିରେ ରାଜଭବନ ସମ୍ମୁଖରେ କଂଗ୍ରେସ ଧାରଣା ଦେଇଥିଲା।

 

Comment