ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ହଜାରେ କୋଟିରୁ ଅଧିକ ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାର ତନାଘନା କରୁଛି ରାଜ୍ୟ କ୍ରାଇମବ୍ରାଞ୍ଚ। ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ଏହି ମାମଲାରେ ଆର୍ଥିକ କାରବାର, ବଲିଉଡ୍ ଏବଂ ବିଦେଶ ଲିଙ୍କକୁ ନେଇ ଜେରା କରାଯାଉଛି।

କ୍ରାଇମବ୍ରାଞ୍ଚ କ୍ରିପ୍ଟୋ କରେନ୍ସି କମ୍ପାନି ‘ଏସଟିଏ କ୍ରିପ୍ଟୋ ଟୋକନ’ର ଭାରତୀୟ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁଙ୍କୁ ରାଜସ୍ଥାନରୁ ଗିରଫ କରଥିଲା। ଏହି କମ୍ପାନି ପାଇଁ ଓଡ଼ିଶାରେ ଦୟିତ୍ଵ ନେଇଥିବା ଭଦ୍ରକର ନିରୋଦ ଦାସଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏବେ ଉଭୟଙ୍କୁ ୩ ଦିନିଆ ରିମଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ନିଜ ଭୁବନେଶ୍ୱର କାର୍ଯ୍ୟାଳୟରେ କ୍ରିପ୍ଟୋ କରେନ୍ସି ଠକେଇ ବାବଦରେ ପଚରାଉଚରା କରୁଛି।

ଏହି କମ୍ପାନି ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଵୀକୃତି ପାଇନଥିଲେ ମଧ୍ୟ କିପରି ଲୋକଙ୍କଠାରୁ ଟଙ୍କା ଅଣୁଥିଲା ସେ ବିଷୟରେ କ୍ରାଇମବ୍ରାଞ୍ଚ ଜେରା କରିଛି। ବଲିଉଡର କେଉଁ କେଉଁ ଅଭିନେତା ଓ ଅଭିନେତ୍ରୀ ସଂସ୍ଥା ପାଇଁ ପ୍ରଚାର କରିଥିଲେ, ସେଥିପାଇଁ ସେମାନଙ୍କୁ କେତେ‌ ଟଙ୍କା ଦିଆଯାଉଥିଲା ଏ ବାବଦରେ କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ ପଚାରିଛି।

ଅନ୍ୟପଟେ ଏହି କ୍ରିପ୍ଟୋ କରେନ୍ସି କମ୍ପାନି ୟୁରୋପର ଆଇସ୍‌ଲ୍ୟାଣ୍ଡରୁ ପରିଚାଳତ ହେଉଥିଲା। ଡେଭିଡ୍‌ ଗେଜ୍‌ ନାମକ ଜଣେ ବ୍ୟକ୍ତି ଏହାର ମୁଖ୍ୟ ଥିଲେ। ତେବେ କେଉଁମାନେ ବିଦେଶରୁ ଭାରତ ଆସିଥିଲେ, କେଉଁମାନଙ୍କୁ ସଂସ୍ଥା ବିଦେଶ ପଠାଇଛି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି ଆଦି ଦିଗକୁ ଦୃଷ୍ଟିରେ ରଖି ଏହି ମାମଲାର ବିଦେଶୀ ଲିଙ୍କକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

ଏବେ ଏହି କମ୍ପାନୀର ବ୍ୟାଙ୍କ ଆକାଉଣ୍ଟର ତଥ୍ୟ କ୍ରାଇମବ୍ରାଞ୍ଚକୁ ମିଳିଛି। ଏଗୁଡ଼ିକରେ ପ୍ରାୟ ୧ ହାଜାର କୋଟି ଟଙ୍କାର ବେଆଇନ୍‌ ଆର୍ଥିକ କାରବାର ହୋଇଥିବା ଦେଖିବାକୁ ମିଳିଛି। କେବଳ ଅଭିଯୁକ୍ତ ନିରୋଦ ଦାସଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କାର ବେଆଇନ୍‌ ଅର୍ଥ କାରବାର ହୋଇଥିବା ଜଣାପଡ଼ିଛି। କମ୍ପାନୀର ସବୁ ଆକାଉଣ୍ଟକୁ ଫ୍ରିଜ୍ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ଏସଟିଏ କ୍ରିପ୍ଟୋ ଟୋକନ କମ୍ପାନି ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ରାତାରାତି ଧନୀ ହେବାର ସ୍ଵପ୍ନ ଦେଖାଇ କ୍ରିପ୍ଟୋ କରେନ୍ସିରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିଲେ। ଅନେକ ଲୋକ ଏହି କମ୍ପାନୀର ସ୍କିମରେ ନିବେଶ କରି ଠକେଇର ଶିକାର ହୋଇଥିଲେ। ଓଡ଼ିଶାରେ କେତେକ ଲୋକ ଠକେଇର ଶିକାର ହେବାପରେ ପୋଲିସରେ ଅଭିଯୋଗ କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।

Tags: #CryptoCurrencyScam #CryptoInvestment #EconomicOffenceWing #CrimeBranch

Comment