ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ହଜାର କୋଟିରୁ ଅଧିକ ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ଠକେଇରେ ସାମିଲ ‘ଏସଟିଏ କ୍ରିପ୍ଟୋ ଟୋକନ’ କମ୍ପାନିର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ ଗେଜଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଛି। ଓଡ଼ିଶା କ୍ରାଇମବ୍ରାଞ୍ଚର ଅନୁରୋଧ କ୍ରମେ ଭାରତୀୟ ବ୍ୟୁରୋ ଅଫ ଇମିଗ୍ରେସନ ଡେଭିଡଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି।

ଏବେ ଡେଭିଡ ଯେଉଁଠି ଥିବେ ସେଠାରୁ ଯଦି ସେ ଅନ୍ୟ କୌଣସି ଦେଶକୁ ଯାଆନ୍ତି କିମ୍ବା ଭାରତ ଆସିବାକୁ ଚେଷ୍ଟା କରନ୍ତି, ତେବେ ଏହି ଲୁକଆଉଟ ସର୍କୁଲାର ଦ୍ଵାରା ତାଙ୍କୁ ଠାବ କରିବାରେ ସୁବିଧା ହେବ।

କ୍ରିପ୍ଟୋ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ତନାଘନା କରୁଛି। କିଛି ଦିନ ପୂର୍ବେ ଇଓଡବ୍ଲୁ ପକ୍ଷରୁ ‘ଏସଟିଏ କ୍ରିପ୍ଟୋ ଟୋକନ’ କମ୍ପାନିର ଭାରତ ମୁଖ୍ୟ ଗୁରୁତେଜ ସିଂ, ଏହାର ଓଡିଶା ମୁଖ୍ୟ ନିରଦ ଦାସ ଓ କମ୍ପାନିର ସୋସିଆଲ ମିଡିଆ ମୁଖ୍ୟ ରତ୍ନାକର ପଲେଇଙ୍କୁ ଗିରଫ କରାଯାଇଥିଲା।

ଇଓଡବ୍ଲୁ ଏହି ଠକେଇ ମାମଲାରେ ଆର୍ଥିକ କାରବାର, ବଲିଡଉ୍‌ ଏବଂ ବିଦେଶ ଲିଙ୍କ୍‌ ନେଇ ଗିରଫ ଅଭିଯୁକ୍ତମାନଙ୍କୁ ଜେରା କରୁଛି। ଏହି କମ୍ପାନି କିପରି ଲୋକଙ୍କୁ ଟଙ୍କା ଅଣୁଥିଲା ଏବଂ କେଉଁ କେଉଁ ଅଭିନେତା ଓ ଅଭିନେତ୍ରୀ ସଂସ୍ଥା ପାଇଁ ପ୍ରଚାର କରିଥିଲେ, ସେ ବାବଦରେ ତଦନ୍ତ ଜାରି ରହିଛି।

ଏହି ‘ଏସଟିଏ କ୍ରିପ୍ଟୋ ଟୋକନ’ କମ୍ପାନି ୟୁରୋପର ଆଇସ୍‌ଲ୍ୟାଣ୍ଡରୁ ପରିଚାଳତ ହେଉଥିଲା। ପ୍ରାରମ୍ଭିକ ତଦନ୍ତରୁ ଏହି କ୍ରିପ୍ଟୋ କରେନ୍ସି କମ୍ପାନିରେ ସାରା ଭାରତରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ଜଣାପଡ଼ିଥିଲା। ଏଥିରୁ ଓଡ଼ିଶାରେ କମ୍ପାନିର ସଦସ୍ୟଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ଥିଲା।

ଏହି କ୍ରିପ୍ଟୋ କରେନ୍ସି  କମ୍ପାନି ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ରାତାରାତି ଧନୀ ହେବାର ସ୍ଵପ୍ନ ଦେଖାଇ କ୍ରିପ୍ଟୋ କରେନ୍ସିରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନେକ ଲୋକ ଏହି କମ୍ପାନୀର ସ୍କିମରେ ନିବେଶ କରି ଠକେଇର ଶିକାର ହୋଇଥିଲେ। ଠକେଇ ପରେ ସେମାନଙ୍କ ମଧ୍ୟରୁ କିଛି ଲୋକ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଏହାପରେ ଇଓଡବ୍ଲୁ ମାମଲାର ତଦନ୍ତ ଆରମ୍ଭ କରିଥିଲା।

Tags: #CryptoCurrencyScam #CryptoInvestment #EconomicOffenceWing #CrimeBranch

 

Comment