ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ମେଡିକାଲ୍ କଲେଜରେ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇ ଦେବା ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଏହି ରାକେର ପେଣ୍ଠସ୍ଥଳ ହେଉଛି ଭୁବନେଶ୍ୱର। ଭୁବନେଶ୍ୱରେ ରହି ଏମ୍‌ବିବିଏସ୍ ସିଟ୍ ଯୋଗାଇଦେବା ନାଁରେ ଦେଶବ୍ୟାପୀ କୋଟିକୋଟି ଟଙ୍କା ଠକେଇ ଚାଲିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ବିଳମ୍ବରେ ହେଲେ ମଧ୍ୟ ଏହି ରାକେଟର ମୁଖ୍ୟ କାର୍ପଟଦାର ତଥା ମାଷ୍ଟର ମାଇଣ୍ଡ୍ କ୍ରାଇମବ୍ରାଞ୍ଚ ହାବୁଡ଼ରେ ପଡ଼ିଛି।

ଅଭିଯୁକ୍ତର ନାଁ ସୌମ୍ୟକାନ୍ତ ମହାନ୍ତି। ଘର ପୁରୀ ଜିଲ୍ଲା ନିମାପଡ଼ା ଥାନା ଚଅଁରପଡ଼ା ଭଟବନ୍ଧ ଗାଁରେ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସୌମ୍ୟକାନ୍ତର ଜମାଥିବା ୮ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍, ଲାପଟପ୍‌, ମୋବାଇଲ୍ ଫୋନ୍ ଜବତ କରିଛି। ସେହିପରି ଅଭିଯୁକ୍ତର ପତ୍ନୀଙ୍କ ନାଁରେ ଭୁବନେଶ୍ୱର ପିପିଲି ରୋଡରେ ଥିବା ୩ ବିଏଚକେ ଫ୍ଲାଟକୁ ଜବତ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସବ୍‌ରେଜିଷ୍ଟ୍ରାରଙ୍କୁ ସୁପାରିଶ କରାଯାଇଛି।

ଆସାମସ୍ଥିତ ସିଲଚର୍ ମେଡିକାଲ କଲେଜରେ ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଜିତ ନାଥ ଚୌଧୁରୀଙ୍କ ଝିଅକୁ ଭୁବନେଶ୍ୱରସ୍ଥିତ କିମ୍ସ ମେଡିକାଲ କଲେଜରେ ଏମ୍‌ବିବିଏସ୍ ସିଟ୍‌ରେ ଆଡମିସନ୍ କରାଇଦେବା ନାଁରେ ୬୯ ଲକ୍ଷ ଟଙ୍କା ଠକି ନେବା ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଆସାମସ୍ଥିତ ସିଲଚର୍ ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଜିତ ନାଥ ଚୌଧୁରୀଙ୍କ ଝିଅକୁ ଭୁବନେଶ୍ୱରସ୍ଥିତ କିମ୍‌ସ ମେଡିକାଲ କଲେଜରେ ମ୍ୟାନେଜମେଣ୍ଟ କୋଟାରେ ୨୦୧୫ ମସିହାରେ ଏମ୍‌ବିବିଏସ୍ ସିଟରେ ଆଡମିସନ୍ କରାଇଦେବା ଲାଗି ଅଭିଯୁକ୍ତ ସୌମ୍ୟକାନ୍ତ ମହାନ୍ତି ଯୋଗାଯୋଗ କରି ପ୍ରତିଶ୍ରୁତି ଦେଇଥିଲେ। ଫୋନରେ କଥାବାର୍ତ୍ତା ମଧ୍ୟରେ ଡାକ୍ତର ଚୌଧୁରୀଙ୍କ ସହ ସମ୍ପର୍କ ବଢ଼ିଥିଲା। ଦାବି ମୁତାବକ ଡାକ୍ତର ଚୌଧୁରୀ ସୌମ୍ୟକାନ୍ତଙ୍କ ସହଯୋଗୀ ରଘୁନାଥ ବେହେରାଙ୍କୁ ପ୍ରଥମେ ୨ ଲକ୍ଷ ଟଙ୍କା ନଗଦ ଟଙ୍କା ଦେଇଥିଲେ।

ପରେ ସୌମ୍ୟକାନ୍ତଙ୍କ କହିବା ମୁତାବକ ତାର ବିଭିନ୍ନ ଆକାଉଣ୍ଟରେ ଜୁଲାଇ ୨୦୧୫ ସୁଦ୍ଧା ୫୧ ଲକ୍ଷ ଟଙ୍କା ଜମା କରିଥିଲେ। ଭୁବନେଶ୍ୱର କିମସ୍ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସିଟ୍‌ରେ ଝିଅର ଆଡମିସନ୍ ହୋଇଯିବ ବୋଲି ଅଭିଯୁକ୍ତ ସୌମ୍ୟକାନ୍ତଙ୍କ ସମେତ ସହଯୋଗୀମାନେ ଡାକ୍ତର ଚୌଧୁରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଅକ୍ଟୋବର ମାସରେ ଅଭିଯୁକ୍ତମାନେ ଡାକ୍ତରଙ୍କ ସହ ଯୋଗାଯୋଗ କରି କିମ୍‌ସରେ ଝିଅର ଆଡମିସନ୍ ହୋଇପାରିବ ନାହିଁ ବୋଲି କହିଥିଲେ। କିମସ୍ ପରିବର୍ତ୍ତେ ବେଙ୍ଗାଳୁରୁରେ ଥିବା ସପ୍ତଗିରି ମେଡିକାଲ କଲେଜରେ ସିଟ୍ ଯୋଗାଇଦେବେ ବୋଲି ପ୍ରତିତିଶ୍ରୁତି ଦେଇଥିଲେ।

ଏ ବାବଦରେ ଡାକ୍ତର ପୁନର୍ବାର ସୌମ୍ୟକାନ୍ତର ସହଯୋଗୀ ରଘୁନାଥ ବେହେରା ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ମେ ୨୦୧୬ରେ ଜମା କରିଥିଲେ। ସୌମ୍ୟକାନ୍ତ ଓ ତାର ସହଯୋଗୀମାନେ ଏମିତି ବିଭିନ୍ନ ଆଳ ଦେଖାଇ ଡାକ୍ତର ଚୌଧୁରୀଙ୍କଠାରୁ ୬୯ ଲକ୍ଷ ଟଙ୍କା ଠକିନେଇଥିଲେ।

ମ୍ୟାନେଜମେଣ୍ଟ୍ କୋଟାରେ ଡାକ୍ତର ଚୌଧୁରୀଙ୍କ ଝିଅକୁ ଏମ୍‌ବିବିଏସ୍ ସିଟ୍ ଯୋଗାଇ ଦେଇ ନପାରିବାରୁ  ସେ ଟଙ୍କା ଫେରସ୍ତ ନେବା ପାଇଁ ଚାହିଁଥିଲେ। ଡାକ୍ତର ଟଙ୍କା ମାଗିବାରୁ ଅଭିଯୁକ୍ତ ରଘୁନାଥ ବେହେରା ୧୦ ଲକ୍ଷ ଟଙ୍କାର ଏକ ଚେକ୍ ଡାକ୍ତର ଚୌଧୁରୀଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଚେକ୍ ବାଉନ୍ସ ହେବାରୁ ତାଙ୍କ ମନରେ ସନ୍ଦେହ ଆସିଥିଲା। ନିରାଶ ହୋଇ ଶେଷରେ ସେ ଗତ ଜୁନ୍ ୨୪ ତାରିଖରେ କ୍ରାଇମବ୍ରାଞ୍ଚରେ ଏକ ଅଭିଯୋଗ କରିଥିଲେ।

କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତକାରୀ ଅଧିକାରୀ ଦେବୀପ୍ରସାଦ ଦାସଙ୍କ ନେତୃତ୍ୱରେ ଗଠିତ ଟିମରେ ତଦନ୍ତ ଚଳାଇଥିଲେ। ଉକ୍ତ ଘଟଣାରେ ଠକେଇ ଘଟଣାରେ ଏକ ବଡ଼ ରାକେଟ୍ ଭୁବନେଶ୍ୱରରେ ସକ୍ରିୟ ଥିବାର କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଜାଣିବାକୁ ପାଇଥିଲେ। ରାକେଟରେ ମୁଖ୍ୟ କାର୍ପଟଦାର ସୌମ୍ୟକାନ୍ତ ମହାନ୍ତି ଥିବା ବେଳେ ଏଥିରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜର ଡାକ୍ତର ଏବଂ ଆଉ କିଛି ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ୍ ଥିବା ଜଣାପଡିଥିଲା।

ଏହି ଠକ ଗ୍ୟାଙ୍ଗ୍ ଓଡ଼ିଶା ସମେତ ବେଙ୍ଗାଳୁରୁ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ବହୁ ଅଭିଭାବକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିବାର କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତରେ ଜାଣିବାକୁ ପାଇଛି। ଉକ୍ତ ଗ୍ୟାଙ୍ଗର ସଦସ୍ୟ ରଘୁନାଥ ବେହେରାକୁ ୨ ମାସ ତଳେ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ କାନ୍ତଙ୍କୁ ଗିରଫ କରି ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଇଛି।

Comment