ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ହଜାରେ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଓଡ଼ିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ନାଁ ରତ୍ନାକର ପଲେଇ। ସେ ଠକେଇରେ ସାମିଲ ଥିବା ‘ଏସଟିଏ କ୍ରିପ୍ଟୋ ଟୋକନ’ କମ୍ପାନିର ସୋସିଆଲ ମିଡିଆ ମୁଖ୍ୟ ଭାବେ କାମ କରୁଥିଲେ।

ରତ୍ନାକର ପଲେଇ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କମ୍ପାନିର ପ୍ରଚାର ପ୍ରସାର କରୁଥିଲେ। ସେ ଅନେକ ସେଲିବ୍ରଟିମାନଙ୍କୁ ସମ୍ପୃକ୍ତ କ୍ରିପ୍ଟୋ କମ୍ପାନିର ପ୍ରଚାର ପ୍ରସାର କରିବା ପାଇଁ ସମ୍ପର୍କ କରିଥିଲେ। ଏହାସହ ସେ ବିଦେଶରେ ମଧ୍ୟ ଅନେକ ବ୍ୟକ୍ତିଙ୍କ ସମ୍ପର୍କରେ ଥିଲେ।

ଏବେ ଏହି କ୍ରିପ୍ଟୋ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତନାଘନା କରୁଛି। ଏହି ମାମଲାରେ ଆର୍ଥିକ କାରବାର, ବଲିଡଉ୍‌ ଏବଂ ବିଦେଶୀ ଲିଙ୍କକୁ ନେଇ ଜେରା କରାଯାଉଛି। କିଛି ଦିନ ପୂର୍ବେ ଇଓଡବ୍ଲୁ ପକ୍ଷରୁ ‘ଏସଟିଏ କ୍ରିପ୍ଟୋ ଟୋକନ’ କମ୍ପାନିର ଭାରତ ମୁଖ୍ୟ ଗୁରୁତେଜ ସିଂ ଏବଂ ଓଡ଼ିଶା ମୁଖ୍ୟ ନିରଦ ଦାସଙ୍କୁ ଗିରଫ କରାଯାଇଥିଲା।

ଏହାପରେ ଇଓଡବ୍ଲୁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ରାଜ୍ୟ ଓପିଆଇଡି କୋର୍ଟ ଅଭିଯୁକ୍ତମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ମଞ୍ଜୁରୀ ଦେଇଥିଲେ। ଏହି କମ୍ପାନି କିପରି ଲୋକଙ୍କୁ ଟଙ୍କା ଅଣୁଥିଲା ଏବଂ କେଉଁ କେଉଁ ଅଭିନେତା ଓ ଅଭିନେତ୍ରୀ ସଂସ୍ଥା ପାଇଁ ପ୍ରଚାର କରିଥିଲେ, ସେ ବାବଦରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।

ପ୍ରାରମ୍ଭିକ ତଦନ୍ତରୁ ଏହି କ୍ରିପ୍ଟୋ କରେନ୍ସି କମ୍ପାନିରେ ସାରା ଭାରତରେ ପ୍ରାୟ ୨ ଲକ୍ଷ ସଦସ୍ୟ ଥିବା ଜଣାପଡ଼ିଥିଲା। ଏଥିରୁ ଓଡ଼ିଶାରେ କମ୍ପାନିର ସଦସ୍ୟଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ଥିଲା।

ଏହି କ୍ରିପ୍ଟୋ କରେନ୍ସି କମ୍ପାନି ୟୁରୋପର ଆଇସ୍‌ଲ୍ୟାଣ୍ଡରୁ ପରିଚାଳତ ହେଉଥିଲା। ଡେଭିଡ୍‌ ଗେଜ୍‌ ନାମକ ଜଣେ ବ୍ୟକ୍ତି ଏହାର ମୁଖ୍ୟ ଥିଲେ। ସେହିପରି ଏବେ କମ୍ପାନିର ସବୁ ଆକାଉଣ୍ଟକୁ ଫ୍ରିଜ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ଏସଟିଏ କ୍ରିପ୍ଟୋ ଟୋକନ କମ୍ପାନି ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ରାତାରାତି ଧନୀ ହେବାର ସ୍ଵପ୍ନ ଦେଖାଇ କ୍ରିପ୍ଟୋ କରେନ୍ସିରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିଲା। ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନେକ ଲୋକ ଏହି କମ୍ପାନିର ସ୍କିମରେ ନିବେଶ କରି ଠକେଇର ଶିକାର ହୋଇଥିଲେ। ଠକେଇ ପରେ ସେମାନଙ୍କ ମଧ୍ୟରୁ କିଛି ଲୋକ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଏହାପରେ ଇଓଡବ୍ଲୁ ମାମଲାର ତଦନ୍ତ ଆରମ୍ଭ କରିଥିଲା।

Tags: #CryptoCurrencyScam #CryptoInvestment #EconomicOffenceWing #CrimeBranch

 

Comment