ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଶୁକ୍ରବାର ଦିନ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପକ୍ଷରୁ ୫୪୩ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ଗୋପାଳ ଦାସ ଗୁଳି କରିଥିବା ଉଲ୍ଲେଖ କରାଯାଇଛି। ଏହି ଚାର୍ଜସିଟ୍‌ରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ରହିଥିବା କୁହାଯାଉଛି।

ଗୋପାଳ ପାଗଳ ନୁହେଁ, ସୁସ୍ଥ ମସ୍ତିସ୍କ ଏବଂ ଯୋଜନା କରି ସେ ନବ ଦାସଙ୍କ ଉପରକୁ ଗୁଳି ଚଳାଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

ଅଭିଯୁକ୍ତ ଗୋପାଳ ବିରୋଧରେ ହତ୍ୟା ପାଇଁ ଆଇପିସି ଧାରା ୩୦୨ ହତ୍ୟା, ହତ୍ୟା ଉଦ୍ୟମ ପାଇଁ ଧାରା ୩୦୭ ଏବଂ ୨୭(୧) ଆର୍ମସ ଆକ୍ଟ ଲାଗିଛି। ଏହି ମାମଲାରେ ତଦନ୍ତ ଅଧିକାରୀଙ୍କୁ ମିଶାଇ ମୋଟ ୮୯ ଜଣ ସାକ୍ଷୀ ରହିଛନ୍ତି। କିନ୍ତୁ ଚାର୍ଜସିଟ୍‌ରେ ଷଡ଼ଯନ୍ତ୍ର ବିଷୟ ଉଲ୍ଲେଖ କରାଯାଇ ନାହିଁ, ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

“ନବ ଦାସ ହତ୍ୟା ମାମଲାର ସତ ଖୋଜିବାକୁ ରାଜ୍ୟ ସରକାର ଚାହିଁଲେ ନାହିଁ। ଏହି ହତ୍ୟା ମାମଲାରେ ଏକାଧିକ ଷଡ଼ଯନ୍ତ୍ରକାରୀ ରହିଥିବା ଶୁଣିବାକୁ ମିଳୁଛି। କିନ୍ତୁ ଏକମାତ୍ର ଅଭିଯୁକ୍ତ ଭାବେ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି। କହି ହେବନି ପ୍ରାମଣ ଅଭାବରୁ ଗୋପାଳ ଦାସ ଖଲାସ ହେବାର ସମୟ ବି ଆସିଯିବ”, କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳି କରିଥିଲେ। ପରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କ ହତ୍ୟା ମାମଲାରେ ଏକ ମାତ୍ର ଅଭିଯୁକ୍ତ ଭାବେ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି।

Tags: #NabaKishorDasMurderCase #CrimeBranchInvestigation #ChargeSheet #GopalDas #JharsugudaJMFCCourt

Comment