ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଏବେ ଅଡ଼ୁଆ ଆହୁରି ବଢ଼ିଛି। ବୀରେନ୍ଦ୍ରଙ୍କ ସାଙ୍ଗ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଘଟଣାର ଆଉଥରେ ତଦନ୍ତ କରିବ। ଆନନ୍ଦଙ୍କ ମୃତ୍ୟୁରେ ବୀରେନ୍ଦ୍ର ସାମିଲ ଥିଲେ କି ନାହିଁ ସେ ନେଇ ତଦନ୍ତ କରାଯିବ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ଵ ଦିଆଯିବ। ଘଟଣାର ମୁଖ୍ୟ ଅଭିଯୁକ୍ତ ବୀରେନ୍ଦ୍ର ଲାକ୍ରା ନିଜେ ଜଣେ ଡିଏସପି ପାହ୍ୟାର ପୋଲିସ ଅଧିକାରୀ ହୋଇଥିବାରୁ ତଦନ୍ତ ଦାୟିତ୍ଵ ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦେବାକୁ କୁହାଯାଇଛି।

ଘଟଣାର ସବୁ ଦିଗରୁ ଏହି ବରିଷ୍ଠ ଅଧିକାରୀ ତଦନ୍ତ କରି ନିମ୍ନ ଅଦାଲତରେ ରିପୋର୍ଟ ଦାଖଲ କରିବେ। ଏହା ପୂର୍ବରୁ ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ନଥିପତ୍ର, ରେକର୍ଡ, ସଂପୂର୍ଣ୍ଣ କେସ୍ ଡାଏରି ଇତ୍ୟାଦି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ପୋଲିସକୁ କୁହାଯାଇଛି।

ତେବେ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ନିରପେକ୍ଷ ତଦନ୍ତ ହୋଇ ନଥିବା ଅଭିଯୋଗ କରି ତାଙ୍କ ବାପା ବନ୍ଧନ ‌ଟ‌ପ୍ପୋ ଏହାର ପୁନଃତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।

କ’ଣ ଥିଲା ଏହି ମାମଲା?

ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ। ୨୦୨୨ ମସିହା ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟରେ ବେକରେ ଶାଢ଼ି ଦେଇ ଆନନ୍ଦ ଟପ୍ପୋ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ୍‌ ମାଧ୍ୟମରେ ସୂଚନା ଦେଇଥିଲେ।

ଆନନ୍ଦଙ୍କ ବେକରେ ଦୁଇଟି ଦାଗ ରହିଥିଲା। ବେକରେ ଦଉଡ଼ି ଦାଗ ଓ ଅନ୍ୟ ଏକ ଦାଗ ଥିବାରୁ ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଅନ୍ୟପଟେ କିଛିଦିନ ପୂର୍ବରୁ ଆନନ୍ଦଙ୍କ ବିବାହ ହୋଇଥିଲା। ସେ ଆତ୍ମହତ୍ୟା କରିବା ଭଳି କୌଣସି କାରଣ ନଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଥିଲା।

ଏହାପରେ ଆନନ୍ଦଙ୍କ ବାପା ବନ୍ଧନ ଟ‌ପ୍ପୋ ୨୦୨୨ ମାର୍ଚ୍ଚ ୧ ତାରିଖରେ ଇନଫୋସିଟି ଥାନାରେ ନିଜ ପୁଅକୁ ହତ୍ୟା କରାଯାଇଥିବା ଦର୍ଶାଇ ଏତଲା ଦେଇଥିଲେ। ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ଆନନ୍ଦଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଥିଲେ। ହେଲେ ଏହାକୁ ପୋଲିସ ଗ୍ରହଣ କରିନଥିଲା। ଏହି ମାମଲାରେ ପୋଲିସ କିଛି ସହଯୋଗ କରୁନଥିବା ଦର୍ଶାଇ ମେ’ ମାସ ୧୧ ତାରିଖରେ ବନ୍ଧନ ଭୁବନେଶ୍ଵର ଡିସିପିଙ୍କୁ ଜଣାଇଥିଲେ। କିଛି ପଦକ୍ଷେପ ନିଆ ନ ଯିବାରୁ ମେ’ ୧୭ ତାରିଖରେ ପୋଲିସ କମିଶନରଙ୍କୁ ଲିଖିତ ଅଭିଯୋଗ କରିଥିଲେ ଆନନ୍ଦଙ୍କ ବାପା।

ମାମଲାର ଓଡ଼ିଶା ହାଇକୋର୍ଟରେ ଶୁଣାଣି  

ଏତେ ସବୁ ହେଲା ପରେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହାପରେ ଆନନ୍ଦଙ୍କ ବାପା ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ କରିଥିଲେ। ଏହାପରେ ମାମଲା ତଦନ୍ତର କରି ତିନି ମାସ ଭିତରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ।

ହାଇକୋର୍ଟଙ୍କ ନିର୍ଦେଶ ପରେ ପୋଲିସ ଘଟଣାର ତଦନ୍ତ କରି ୨୦୨୩ ଫେବ୍ରୁଆରି ୭ ତାରିଖରେ ଆନନ୍ଦଙ୍କ ମୃତ୍ୟୁ ମାମଲାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା। ଏହା ଏକ ହତ୍ୟାକାଣ୍ଡ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହି ରିପୋର୍ଟ ବିରୋଧରେ ଆନନ୍ଦଙ୍କ ବାପା ପୁଣି ହାଇକୋର୍ଟରେ ଆବେଦନ କରିଥିଲେ।

Tags: #AnandToppoDeathCase #CrimeBranchInvestigation #OdishaHighCourt

 

Comment