ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ସୋମବାର ଦିନ ଜାମିନ ମିଳିଛି। ଇଡି ମାମଲାରେ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏହା ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିସାରିଛି। ସମସ୍ତ ତିନୋଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଥିବାରୁ ସେ ଶୀଘ୍ର ଜେଲରୁ ମୁକୁଳିବାର ସମ୍ଭାବନା ରହିଛି।

ପୂର୍ବରୁ ନୟାପଲ୍ଲୀ ଥାନା ମାମଲା ଏବଂ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା। ଗତ ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଥିବାବେଳେ ଗତ ଅଗଷ୍ଟ ୨ ତାରିଖରେ ଖଣ୍ଡଗିରି ଥାନା ମାମଲାରେ ଜାମିନ ପ୍ରଦାନ କରାଯାଇଥିଲା। ଦୁଇଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଥିଲେ ମଧ୍ୟ ତାଙ୍କୁ ଜେଲରୁ ବାହାରିବାକୁ ଅନୁମତି ମିଳିନଥିଲା। ଏବେ ଇଡି ମାମଲାରେ ଜାମିନ ମିଳିବା ପରେ ଅର୍ଚ୍ଚନା ନାଗ ଜେଲରୁ ମୁକୁଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଅର୍ଚ୍ଚନା ନାଗଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଅକ୍ଷୟ ପରିଜା। ଅଭିଯୋଗ ଥିଲା ଜଣେ ଯୁବତୀଙ୍କୁ ମୋହରା କରି ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଉତ୍ତୋଳନ କରିବା ସହ ବ୍ଲକମେଲ କରି ତାଙ୍କୁ ୩ କୋଟି ଟଙ୍କା ମାଗିଥିଲେ ଅର୍ଚ୍ଚନା। ଟଙ୍କା ନଦେଲେ ଫଟୋ ଏବଂ ଭିଡଓ ଭାଇରାଲ କରିଦେବାକୁ ସେ ଧମକ ମଧ୍ୟ ଦେଉଥିଲେ।

ସେହିପରି ହନିଟ୍ରାପିଂ ଘଟଣାରେ ନିଜକୁ ପୀଡ଼ିତା ବୋଲି ଦର୍ଶାଇ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଏତଲା ଦେଇଥିଲେ। ଏହାପରେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ ଓ ଅନ୍ୟ ସହଯୋଗୀ ଖଗେଶ୍ଵର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଖଣ୍ଡଗିରି ପୋଲିସ ୨୦୨୨ ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରଥମେ ଭୁବନେଶ୍ଵର ସ୍ଥିତ ଦୌରା ଜଜଙ୍କ ଅଦାଲତରେ ତାଙ୍କ ଜାମିନ ଖାରଜ ହୋଇଥିଲା। ଏହାପରେ ଅର୍ଚ୍ଚନା ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମନି ଲଣ୍ଡରିଂ ଅଭିଯୋଗରେ ଗତ ଡିସେମ୍ବର ୧୩ ତାରିଖରେ ଗିରଫ କରିଥିଲା ଇଡି।

Tags: #ArchanaNaag #HoneytrappingCase #Bail #OdishaHighCourt #EDCase #Bail

Comment